ଓଡ଼ିଶାଲାଇଭ୍ବ୍ୟୁରୋ

  • ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଉ
  • ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଉ
  • ଟ୍ରେନ୍‌ ଓ ବସ୍‌ ଭଡ଼ା ସଂପୃକ୍ତ ରାଜ୍ୟ ସରକାରମାନେ ବହନ କରନ୍ତୁ

ପ୍ରବାସୀ ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଟ୍ରେନ୍‌ ଓ ବସ୍‌ରେ ନିଜ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କଠାରୁ କୌଣସି ଭଡ଼ା ଆଦାୟ ନକରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏ ବାବଦରେ ଭଡ଼ା ସଂପୃକ୍ତ ରାଜ୍ୟ ସରକାରମାନେ ବହନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ବସ୍‌ ଓ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରି ନାହାନ୍ତି ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା ସେଠାକାର ସରକାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରମିକମାନେ ଯେଉଁ ରାଜ୍ୟ ଦେଇ ଚାଲି ଚାଲି ଯାଉଛନ୍ତି ସେଠାକାର ସରକାର ସେମାନଙ୍କ ଖାଇବା, ପିଇବା ଏବଂ ରହିବା କଥା ବୁଝିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାରକାନ୍ତି ମେହଟ୍ଟା କୋର୍ଟଙ୍କୁ କହିଥିଲେ, ‘‘ପ୍ରତିଦିନ ୩.୩୬ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଗାଁରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ମେ’ ୧ରୁ ୨୭ ତାରିଖ ଭିତରେ ୯୧ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଛି।’’

କୋର୍ଟ କହିଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ହେଲେ  ସେମାନଙ୍କ ଖାଇବା, ପିଇବା ପାଇଁ ପର୍ଯ୍ୟାପ୍ତ ସୁବିଧା କରିବା ଦରକାର। ସେମାନଙ୍କୁ ଖାଲିପେଟରେ ପଠାଇବା ଠିକ୍‌ ନୁହେଁ। ଏଥିପାଇଁ ସରକାର ବ୍ୟବସ୍ଥା କରିବା ଦରକାର।

Comment