ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଦେଶରେ ଏବେ ଶ୍ରମିକ ସ୍ପେଶାଲ ଟ୍ରେନ, ବିମାନ, ଅନ୍ୟ ସବୁ ନିୟମ କୋହଳ ହେବା ସହ ସବୁ କମ୍ପାନି ମଧ୍ୟ ଖୋଲିବାକୁ ଲାଗିଲାଣି। ଏହାସହ ଆମ ଅର୍ଥବ୍ୟବସ୍ଥା ଧିରେ ଧିରେ ଠିକ ହେଉଛି। ଦେଶ ଧିରେ ଧିରେ ଖୋଲୁଛି, ତେଣୁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ପାଳନ କରିବାକୁ ପଡ଼ିବ” କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

 ଧିରେ ଧିରେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ବିମାନ ଚଳାଚଳ ଆରମ୍ଭ ହୋଇଛି, ଅନେକ ଉଦ୍ୟୋଗ ମଧ୍ୟ ଖୋଲିଲାଣି। ଏହାର ଅର୍ଥ ହେଉଛି ଯେ ଆମ ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି। ଏଭଳି ପରିସ୍ଥିତିରେ ଆମକୁ ଅଧିକ ସଜାଗ ରହିବାକୁ ପଡ଼ିବ। ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନାର ପ୍ରଭାବ କମ ପଡ଼ିଛି। ଏହା କେବଳ ଦେଶବାସୀଙ୍କ ସମୂହ ଲଢ଼େଇ ଯୋଗୁଁ ସମ୍ଭବ ହୋଇପାରିଛି।

ଜରୁରୀ ସେବା ପ୍ରଦାନକାରୀ ଆମର ସବୁଠାରୁ ବଡ଼ ଶକ୍ତି

କରୋନା ଯୋଗୁଁ ହୋଇଥିବା କ୍ଷତି ପାଇଁ ଆମ ସମସ୍ତଙ୍କ ଦୁଃଖ ରହିଛି। ହେଲେ ଆମେ ଯାହା ସଞ୍ଚୟ କରି ରଖିଛି ତାହା ନିଶ୍ଚିତ ସାମୂହିକ ଶକ୍ତିର ଫଳାଫଳ। ଦେଶବାସୀଙ୍କ ସେବାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମୋଦୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତର, ନର୍ସିଂ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ, ମିଡିଆ କର୍ମଚାରୀଙ୍କ କଥା ଆଗରୁ ମୁଁ ଉଲ୍ଲେଖ କରିଛି। ଏମାନଙ୍କ ସେବା ଯୋଗୁଁ ଦେଶ କରୋନା ବିରୋଧରେ ଆଜି ଲଢ଼େଇ କରିପାରୁଛି।

ଗାଁ ଓ ସହରରେ ମହିଳାମାନେ ତିଆରି କରୁଛନ୍ତି ମାସ୍କ

ଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟମ ଅନେକ ରହିଛି। ଗାଁ ଏବଂ ସହରମାନଙ୍କରେ ମହିଳାମାନେ ପ୍ରତିଦିନ ମାସ୍କ ତିଆରି କରୁଛନ୍ତି। ଏହି କାର୍ଯ୍ୟରେ ସମସ୍ତ ସାମାଜିକ ସଂଗଠନ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ଏହି ସଙ୍କଟ ସମୟରେ ଗାଁଠାରୁ ସହର ପର୍ଯ୍ୟନ୍ତ ଛୋଟ ବ୍ୟବସୀୟମାନେ ମଧ୍ୟ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି।

ଗରିବ ଓ ଶ୍ରମିକମାନେ ଲକ୍‌ଡାଉନ୍‌ ଯୋଗୁଁ ଅଧିକ କ୍ଷତି ସହିଛନ୍ତି

ଶ୍ରମିକମାନଙ୍କ ବିଷୟରେ ମୋଦୀ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଏମିତି କେହି ନାହାନ୍ତି ଯିଏ ଅସୁବିଧାରେ ନାହାନ୍ତି। ଏହି ସମୟରେ ଅଧିକ କ୍ଷତି ସହିଛନ୍ତି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକ। କରୋନା ବିରୋଧରେ ଲଢ଼େଇର ଏହା ଏକ ଲମ୍ଵା ରାସ୍ତା। ଏହାର କୌଣସି ପୂର୍ବ ଅଭିଜ୍ଞତା ନାହିଁ। ଏଭଳି ପରିସ୍ଥିତିରେ ଆମେ ନୂତନ ଆହ୍ଵାନ ଓ ସମସ୍ୟାର ସମ୍ମୁଖୀନ ହେଉଛୁ।

Comment