ଓଡ଼ିଶାଲାଇଭ୍ ବ୍ୟୁରୋ

k.palani-2

ତାଙ୍କ ସ୍ୱପ୍ନ ଥିଲା ନିଜର ଏକ ଘର ତିଆରି କରିବେ। ଏହି ସ୍ୱପ୍ନ ପୂରଣ ହେଲା ମଧ୍ୟ। କିନ୍ତୁ ଗତ ଜୁନ୍ ୩ ତାରିଖରେ ତାଙ୍କ ଜନ୍ମ ଦିନ ଅବସରରେ ଗୃହପ୍ରବେଶ କାର୍ଯ୍ୟକ୍ରମରେ ସେ ଯୋଗ ଦେଲେନି, ପତ୍ନୀଙ୍କୁ କହିଲେ ଦେଶ ଆଗ, ଘର ପଛ। କିଛି ଦିନ ମଧ୍ୟରେ ଏହା ପ୍ରମାଣ କରି ଦେଶ ପାଇଁ ସହିଦ ହୋଇଗଲେ ତାମିଲନାଡ଼ୁର ଯବାନ କେ.ପଲାନୀ।

ଗତ ସୋମବାର ଲଦାଖ ଗଲଓ୍ୱାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ସହିଦ ହୋଇଥିଲେ ଭାରତର କୋଡ଼ିଏ ଜଣ ଯବାନ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାମିଲନାଡ଼ୁର କଡାକ୍କାଲୁର ଗାଁର ବୀରପୁତ୍ର କେ.ପଲାନୀ। ପତ୍ନୀ, ଝିଅ, ପୁଅକୁ ନେଇ ତାଙ୍କ ସୁଖୀ ସଂସାର ଥିଲା। ହେଲେ ଦେଶ ଆଗରେ ସବୁକିଛି ଯେପରି ଭୁଲିଯାଇଥିଲେ ସେ। ଶେଷରେ ଲଢ଼ି ଲଢ଼ି ସବୁଦିନ ପାଇଁ ହୋଇଗଲେ ସହିଦ।

k palani funeral

ଆଜି ତାଙ୍କ ଗାଁରେ ସସମ୍ମାନ ସହ ତାଙ୍କ ଅନ୍ତିମ ସଂସ୍କାର ସରିଛି। ଏହି ସମୟରେ ସେଠାରେ ତାଙ୍କ ପ୍ରିୟଜନଙ୍କ ବ୍ୟତୀତ ଶହ ଶହ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏକ ବୀର ପୁତ୍ରକୁ ହରାଇବାର ଦୁଃଖ ସମସ୍ତଙ୍କ ଆଖିରୁ ଜଣା ପଡ଼ୁଥିଲା। ସେଠାରେ ଉପସ୍ଥିତ ସେନା ଅଧିକାରୀ, ଜିଲ୍ଲା ଅଧିକାରୀ, ପୋଲିସ କର୍ମଚାରୀ ତଥା ସାଧାରଣ ଜନତା ତାଙ୍କୁ ପୁଷ୍ପାଞ୍ଜଳୀ ଜ୍ଞାପନ କରିଥିଲେ। ସେନା ବାହିନୀଙ୍କ ତରଫରୁ ତାଙ୍କୁ ବନ୍ଧୁକରେ ସଲାମୀ ଦିଆଗଲା।

ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସହିଦ ପଲାନୀଙ୍କ ପରିବାରକୁ କୋଡ଼ିଏ ଲକ୍ଷ ରାଶି କ୍ଷତିପୂରଣ ହିସାବରେ ଦେବାକୁ ଘୋଷଣା କରିଥିଲେ। ପଲାନୀଙ୍କୁ ଶ୍ରଦ୍ଧଆଞ୍ଜଳୀ ଦେବା ସମୟରେ ଜିଲ୍ଲାଧିକାରୀ କେ.ରାଘବ ରାଓ ଏହି ରାଶିର ଏକ ଚେକ୍ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ।

Comment