ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଦାଖ ଘଟଣା ପରେ ଚୀନର ପଦାର୍ଥକୁ ବହିଷ୍କାର କରିବା ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଚୀନ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯିବ ଓ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ଵ ଦିଆଯିବ। ଏଥିପାଇଁ ଚୀନରୁ ଯେଉଁ ସବୁ ଦ୍ରବ୍ୟ କିଣାଯାଉଛି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଶିଳ୍ପ ବିଭାଗକୁ କୁହାଯାଇଛି।

ତାଲିକା ପାଇବା ପରେ କେନ୍ଦ୍ର ସରକାର ନିଷ୍ପତ୍ତି କରିବେ କେଉଁ କେଉଁ ଅନାବଶ୍ୟକ ଜିନିଷ ପତ୍ର ଉପରେ ପ୍ରଥମେ କଟକଣା ଲାଗୁ ହେବ। ସରକାରଙ୍କ ଚିନ୍ତା ହେଉଛି ବିଶେଷ କରି ଯେଉଁ ସବୁ ପଦାର୍ଥ ସ୍ଥାନୀୟ ଭାବେ ତିଆରି ହୋଇପାରିବ ତାହାର ଆମଦାନୀ ପୂରା ବନ୍ଦ ହେବ। ଏଥି ସହିତ ଅନ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଉଛି ଯେଉଁ ପଦାର୍ଥକୁ ଚୀନରୁ ଆଣିବା ନିହାତି ଦରକାର ପଡିବ।

କେନ୍ଦ୍ର ସରକାରଙ୍କ ଶିଳ୍ପ ଉନ୍ନୟନ ଓ ଆନ୍ତର୍ଜାତିକ ବାଣିଜ୍ୟ ବିଭାଗ DPIIT ଏନେଇ ବିଭିନ୍ନ ବ୍ୟବସାୟ ସଂଘ ସହିତ ସମ୍ପର୍କ ଆରମ୍ଭ କରିଛି। ଭାରତ ପ୍ରାୟତଃ ଅଟୋମୋବାଇଲ, ଫାର୍ମା, ଖେଳନା, ପ୍ଲାଷ୍ଟିକ ସାମଗ୍ରୀ ଓ ଫର୍ଣ୍ଣିଚର ଆଦି ଚୀନରୁ ଆମଦାନୀ କରିଥାଏ।

ଚୀନ ଉପରେ ନିର୍ଭରଶୀଳତାକୁ କମାଇବା ପାଇଁ ସରକାର ତିନୋଟି ସମୟ ନିର୍ଘଣ୍ଟ ଅନୁସାରେ ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି। ସର୍ଟ ଟର୍ମ, ମିଡିୟମ୍ ଟର୍ମ ଓ ଲଙ୍ଗ ଟର୍ମ। ଶିଳ୍ପ ବିଭାଗର ତାଲିକା ପ୍ରସ୍ତୁତ ହେବା ପରେ ଏହି କ୍ରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟ ଏକ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ଚୀନକୁ ମିଳିବାକୁ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଦେଶକୁ ରଦ୍ଦ କରିଦେଇଛନ୍ତି। ଏହା ପରେ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ଚୀନ୍ ପାଇଥିବା ଟେଣ୍ଡରକୁ ବାତିଲ କରାଯିବ।

Comment