ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ଅନେକ ପଦକ୍ଷେପ ନେଇଛି। ବିଶେଷକରି କୋଭିଡ୍‌-୧୯ ବେଳେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତାର ହାତ ବଢ଼ାଇଛି ୟୁନିସେଫ୍‌। ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ କ’ଣ ପଦକ୍ଷେପ ନେଇଛି ଏବଂ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେଇଛି ସେ ସମ୍ପର୍କରେ ୟୁନିସେଫ୍‌ର ହେଲ୍‌ଥ ସ୍ପେଶାଲିଷ୍ଟ ଡାକ୍ତର ମୀନା ସୋମ୍‌ କହିଛନ୍ତି।

ଅଗ୍ରଣି ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ଓ ଜୀବନଶୖଳୀ ପୋର୍ଟଲ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କାର୍ଯ୍ୟକ୍ରମ ‘କେତେ ନୂଆ ବାଟ’ରେ ଭାଗନେଇ ଡାକ୍ତର ମୀନା ସୋମ୍‌ କରୋନା ପାଇଁ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି।

ବୃଦ୍ଧ, ଶିଶୁ, ଗର୍ଭବତୀଙ୍କ ପ୍ରତି ବିପଦ ଅଧିକ

କରୋନା ଭାଇରସ୍‌ ସବୁ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ହେଲେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଏହା ଅପେକ୍ଷାକୃତ କମ କ୍ଷତିକାରକ ବୋଲି ଡାକ୍ତର ମୀନା ସୋମ୍‌ କହିଛନ୍ତି। ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି, ଶିଶୁ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ଗର୍ଭବତୀଙ୍କ ପାଇଁ କରୋନା ସଂକ୍ରମଣ ଅଧିକ କ୍ଷତିକାରକ ହୋଇଥାଏ। ଏମାନେ ଯଥାସମ୍ଭବ ଜନଗହଳିରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।

ଶିଶୁମାନଙ୍କ ସହ ସମୟ ବିତେଇବା ଉଚିତ

କେରାନା ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ, ଅଙ୍ଗନବାଡ଼ି ଆଦି ବନ୍ଦ ରହିଛି। ଶିଶୁମାନେ ଘରେ ରହିଛନ୍ତି। ବାହାରକୁ ଆସୁ ନାହାନ୍ତି। ଏଣୁ ଏମାନଙ୍କ ମାନସିକ ସ୍ତରରେ ପ୍ରଭାବ ପଡ଼ିପାରେ। ଏହାକୁ ଦୂରେଇବା ପାଇଁ ଏବଂ ମାନସିକ ସ୍ତରରେ ଶିଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନଙ୍କ ସହ ପରିବାର ଲୋକ ସମୟ ବିତେଇବା ଉଚିତ। ଏଥିସହ ଶିଶୁମାନଙ୍କୁ ସ୍ଵାସ୍ଥ୍ୟକର ଖାଦ୍ୟ ଦେବାକୁ ଡାକ୍ତର ସୋମ ପରାମର୍ଶ ଦେଇଛନ୍ତି।

ଭୟ କରିବାର କିଛି କାରଣ ନାହିଁ

ଲୋକଙ୍କ ମନରେ କରୋନାକୁ ନେଇ ବିଭିନ୍ନ ପ୍ରକାର ଭୟ ରହିଛି। କିନ୍ତୁ ଯଦି ଆମେ ଦେଖିବା, ଓଡ଼ିଶାରେ ବର୍ତ୍ତମାନ କରୋନା ମୃତ୍ୟୁହାର ମାତ୍ର ୧ ପ୍ରତିଶତ ରହିଛି। ଅନ୍ୟ ଦେଶଗୁଡ଼ିକରେ କରୋନା ମୃତ୍ୟୁହାର ୩ ରୁ ୫ ପ୍ରତିଶତ ଭିତରେ ରହୁଛି। ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏଣୁ ଆମେ କରୋନାକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।

ସବୁ ହସ୍ପିଟାଲ କର୍ମଚାରୀଙ୍କୁ ଭଲଭାବରେ ଟ୍ରେନିଂ ଦିଆଯାଇଛି

“ହସ୍ପିଟାଲକୁ କୋଭିଡ୍ ରୋଗୀ ଆସିଲେ ଟେଷ୍ଟିଂ କେମିତି ହେବ, କେମିତି ପ୍ରୋଟୋକଲ ପାଳନ ହେବ, କେମିତି ଏସବୁକୁ ପରିଚାଳନା କରାଯିବ ସେବିଷୟରେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଭଲଭାବରେ ତାଲିମ୍ ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ଏବଂ ଏହାକୁ ନିୟନ୍ତ୍ରଣ କରିବା ହେଉଛି ସବୁଠୁ ଗୁରୁତ୍ଵପୂର୍ଣ୍ଣ। ଏହିସବୁ ଜଟିଳତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ୟୁନିସେଫ ଓଡ଼ିଶା ସରକାରଙ୍କୁ ସହଯୋଗ କରୁଛି”, କହିଛନ୍ତି ଡାକ୍ତର ମୀନା ସୋମ।

ହସ୍ପିଟାଲ କର୍ମଚାରୀଙ୍କ ସୁରକ୍ଷା ବେଶି ଗୁରୁତ୍ଵପୂର୍ଣ୍ଣ

ହସ୍ପିଟାଲ ଷ୍ଟାଫମାନେ ସିଧାସଳଖ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ସବୁଠୁ ବେଶି ଗୁରୁତ୍ଵପୂର୍ଣ୍ଣ। ରୋଗୀଙ୍କ ପାଖକୁ ଯିବା ବେଳେ ପିପିଇ କିଟକୁ କେମିତି ପିନ୍ଧାଯିବ ଏବଂ ବାହାର କରାଯିବ, ହସ୍ପିଟାଲର ସରଞ୍ଜାମଗୁଡ଼ିକୁ କେମିତି ପରିଷ୍କାର ରଖାଯିବ ସେନେଇ ପ୍ରୋଟୋକଲ ଏବଂ ଟ୍ରେନିଂ ଦିଆଯାଇଛି। ଆଶା, ଆମ୍ବୁଲାନ୍ସ କର୍ମଚାରୀ, ଅଙ୍ଗନବାଡ଼ି କର୍ମଚାରୀମାନଙ୍କୁ ମଧ୍ୟ ଏସବୁ ଟ୍ରେନିଂ ଦିଆଯାଇଛି ବୋଲି ଡାକ୍ତର ମୀନା ସୋମ୍‌ କହିଛନ୍ତି।

ହସ୍ପିଟାଲ କର୍ମଚାରୀ ମାନସିକ ସ୍ତରରେ ସୁସ୍ଥ ରହିବା ନିହାତି ଜରୁରୀ

କୋଭିଡ୍‌ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ମାନସିକ ସ୍ତରରେ ସୁସ୍ଥ ରହିବା ନିହାତି ଜରୁରୀ। ଏଭଳି ସ୍ଥିତିରେ ସେମାନେ ବିଚଳିତ ହେବା ସ୍ଵାଭାବିକ କଥା। ସେମାନେ ନିଜର ମାନସିକ ଦୁଶ୍ଚିନ୍ତା ବିଷୟରେ କହିବା ପାଇଁ କାହାକୁ କଲ କରିପାରିବେ ସେ ବିଷୟରେ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଇଛି।

ଏସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ସହଯୋଗ କରୁଛି ୟୁନିସେଫ

ୟୁନିସେଫ୍ ଶିଶୁ ଓ ମାତୃମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକ ପରି କୋଭିଡ୍ ନିୟନ୍ତ୍ରଣ ପାଇଁ ମଧ୍ୟ ଓଡ଼ିଶା ସରକାରଙ୍କୁ ସହଯୋଗ କରୁଛି। ୟୁନିସେଫ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କୋଭିଡ ଯୋଦ୍ଧାମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଂ ଦିଆଯାଉଛି। ହେଲଥ୍ କମ୍ୟୁନିକେସନ, ଟେକ୍ନୋଲୋଜି ଏବଂ ଆଡଭାଇଜରି ଆଦିକୁ ବିକଶିତ କରାଯାଉଛି। କୋଭିଡ୍ ହସ୍ପିଟାଲର ସମସ୍ତ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ୟୁନିସେଫ ଡବ୍ଲ୍ୟୁ ଏଚ ଓ ଏବଂ ଅନ୍ୟ ସହଯୋଗୀଙ୍କ ସହ ମିଶି ଓଡ଼ିଶା ସରକାରଙ୍କୁ ସହଯୋଗ କରୁଛି ବୋଲି କହିଛନ୍ତି ଡାକ୍ତର ସୋମ।

Comment