ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ। ପ୍ରସ୍ତୁତିରେ ରାଜ୍ୟ ସରକାର।

ଶେଷରେ ପୁରୀ ରଥଯାତ୍ରାକୁ ହଁ କରିଛନ୍ତି ସୁପ୍ରିମକୋର୍ଟ। ଯେଉଁ ଖଣ୍ଡପୀଠ ଗତ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସେହି ଖଣ୍ଡପୀଠ ଆଜି ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ରଥଯାତ୍ରା ପାଇଁ ସବୁଜସଙ୍କେତ ମିଳିବା ପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛନ୍ତି। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ ହେଉଥିବାରୁ ସରକାରଙ୍କ ପାଇଁ ଚାଲେଞ୍ଜ ବଢ଼ି ଯାଇଛି।

କ’ଣ କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠରେ ଆଜି ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସକାଳ ୧୧ଟାରୁ ଏହି ଶୁଣାଣି ଚାଲିଥିଲା। ଏହି ଶୁଣାଣି ବେଳେ ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ରଥଯାତ୍ରା ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଥିଲେ। ବର୍ଷ ବର୍ଷର ପରମ୍ପରା ନଭାଙ୍ଗିବାକୁ ଅପିଲ କରିଥିଲେ। ସେ କହିଥିଲେ ଯେ, ରଥଯାତ୍ରା ଯଦି ଏବର୍ଷ ହେବନାହିଁ ତାହାଲେ ୧୨ ବର୍ଷ ଯାଏଁ ରଥ ଗଡ଼ି ପାରିବ ନାହିଁ। ମହାପ୍ରଭୁ ସାରା ବର୍ଷ ଅଣସର ଘରେ ରହିଯିବେ। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଉ। ପୁରୀରେ ଦିନିକିଆ କର୍ଫ୍ୟୁ ଲଗାଇ ରଥଯାତ୍ରା କରାଯାଉ। ଯେଉଁ ସେବାୟତଙ୍କର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବ ସେମାନଙ୍କୁ ରଥଯାତ୍ରାରେ ନିୟୋଜିତ କରାଯାଉ। ଏହାକୁ ରାଜ୍ୟ ସରକାର ସମର୍ଥନ କରିଥିଲେ। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ହେବ ବୋଲି ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲ୍‌ଭେ ସତ୍ୟପାଠ ଦାଖଲ କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଥିଲା। ଶେଷରେ ରଥଯାତ୍ରା ପାର୍ଇ ସର୍ତ୍ତମୂଳକ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ କହିଥିଲେ ଯେ, ରଥଯାତ୍ରା କୋଭିଡ୍‌ କଟକଣା ଭିତରେ ହେଉ। ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯାଉ। ସ୍ୱାସ୍ଥ୍ୟ ସମସ୍ୟାରେ କୌଣସି ସାଲିସ୍‌ କରାଯିବ ନାହିଁ। ରଥଯାତ୍ରା ପ୍ରକ୍ରିୟା ଭିତରେ ଯଦି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତାହାଲେ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିପାରିବେ। ରାଜ୍ୟ, କେନ୍ଦ୍ର ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଭିତରେ ସମନ୍ୱୟ ରକ୍ଷା କରାଯାଇ ରଥଯାତ୍ରା ହେଉ।

ଗୋଟିଏ ରଥକୁ ୫୦୦ରୁ ଅଧିକ ଲୋକ ଟାଣିପାରିବେ ନାହିଁ। ଗୋଟିଏ ରଥ ଗଡ଼ିବାର ଘଣ୍ଟାଏ ପରେ ଆଉ ଗୋଟିଏ ରଥ ଗଡ଼ିବ। ରଥଟଣା ବେଳେ କର୍ଫ୍ୟୁ ଜାରି ରହିବ। କୋଭିଡ୍‌ ପରିଚାଳନାରେ ରାଜ୍ୟ ସରକାର ଭଲ ପଦକ୍ଷେପ ନେଇଥିବାରୁ ସୁପ୍ରିମକୋର୍ଟ ପ୍ରଶଂସା କରିଥିଲେ। ଏହି ନିୟମ ରଥଯାତ୍ରାରେ ପାଳନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ତତ୍ପରତା

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଆଇନମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ପୋଲିସ ଡିଜି ଅଭୟ ପୁରୀରେ ପହଞ୍ଚିଥିଲେ। ନୀଳାଦ୍ରି ଭକ୍ତ ନିବାସରେ ସମୀକ୍ଷା କରିଥିଲେ। ଏହି ବୈଠକରେ ସବୁ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ରଥଯାତ୍ରା ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ‘ଜୟ ଜଗନ୍ନାଥ’

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ‘ଜୟ ଜଗନ୍ନାଥ’ ଲେଖି ଖୁସି ଜାହିର କରିଥିଲେ। ଏହାପରେ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଥିଲେ। ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

‘‘ସାରା ବିଶ୍ୱ ଆମ ଉପରେ ନଜର ରଖିଛି। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ହେଉଥିବାରୁ ଏହା ଆମ ପାଇଁ ବଡ଼ ଚାଲେଞ୍ଜ। ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ଦରକାର। ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାସହ ରଥଯାତ୍ରା ତଦାରଖ ପାଇଁ ତିନି ଜଣ ମନ୍ତ୍ରୀ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ତଦାରଖ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ।

ପୁରୀ ଜିଲ୍ଲା ସଟ୍‌ଡାଉନ୍‌, ୬୦ ପ୍ଲାଟୁନ ପୋଲିସ ଫୋର୍ସ

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ରଥଯାତ୍ରା ହେବ। ଏହାକୁ ନେଇ ଭକ୍ତ ଓ ସେବାୟତମାନେ ଖୁସି। ହେଲେ ବଡ଼ଦାଣ୍ଡକୁ କୌଣସି ଭକ୍ତ ଆସିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପୁରୀ ଜିଲ୍ଲାକୁ ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୁରୀ ଜିଲ୍ଲାକୁ ବାହାର ଲୋକ ନଆସିବାକୁ ପୋଲିସ ଡିଜି ଅପିଲ କରିଛନ୍ତି। ରଥଯାତ୍ରା ପାଇଁ ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଡିଜି କହିଛନ୍ତି। ସେହିପରି ପୁରୀକୁ ବସ୍‌, ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ କରାଯାଇଛି। ଏହାସହ ପୁରୀ ସହରକୁ ସମସ୍ତ ପ୍ରବେଶ ପଥ ସିଲ୍‌ କରାଯାଇଛି।

ମହାବାହୁଙ୍କ ଅପେକ୍ଷାରେ ତିନି ରଥ

ପରମ୍ପରା ଅନୁଯାୟୀ ଆଜି ତିନି ରଥରେ ସକାଳେ ଆଜ୍ଞାମାଳ ବିଜେ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ପରେ ଡାହୁକ ରଥଖଳାରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତିନି ରଥ ସିଂହଦ୍ୱାର ସମ୍ମୁଖକୁ ଟଣା ହୋଇ ଯାଇଛି। ଦକ୍ଷିଣ ମୋଡ଼ ହୋଇ ରଥ ମହାବାହୁଙ୍କୁ ଅପେକ୍ଷା କରିଛି। ଆସନ୍ତାକାଲି ଭୋର୍‌ ୩ଟାରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବ। ସକାଳ ୭ଟାରୁ ପହଣ୍ଡି ଏବଂ ଦିନ ୧୨ଟାରୁ ରଥଟଣା ହେବ।

ଘରେ ବସି ରଥଯାତ୍ରା

କୌଣସି ଭକ୍ତ ବଡ଼ଦାଣ୍ଡକୁ ନଆସିବାକୁ ସୁପ୍ରିମକୋର୍ଟ ନିଦ୍ଦେଶ ଦେଇଛନ୍ତି। ଏହାକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। ଏପରିକି ପୁରୀବାସୀ ବଡ଼ଦାଣ୍ଡକୁ ନଆସିବା ପାଇଁ ସରକାର ଅପିଲ୍‌ କରିଛନ୍ତି। ଘରେ ବସି ଡିଜିଟାଲ ଏବଂ ଟେଲିଭିଜନ ଜରିଆରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବାକୁ ସରକାର ଅନୁରୋଧ କରିଛନ୍ତି। ଏହି ନିୟମ ଭାଙ୍ଗିଲେ କାର୍ଯ୍ୟରନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି।

Comment