ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେବଳ ପୁରୀ ରଥଯାତ୍ରାକୁ ଅନୁମତି
  • ସମନ୍ୱୟରେ ହେଉ ରଥଯାତ୍ରା: ସୁପ୍ରିମକୋର୍ଟ
  • ସ୍ୱାସ୍ଥ୍ୟ ସମସ୍ୟାରେ ସାଲିସ୍‌ କରାଯିବ ନାହିଁ
  • ଭିଡିଓ କନଫରେନ୍ସିଂରେ ହେଲା ଶୁଣାଣି
  • ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି
  • ବିନା ଭକ୍ତରେ ହେବ ରଥଯାତ୍ରା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରଥଯାତ୍ରା ବେଳେ କେମିତି କଟକଣା କାର୍ଯ୍ୟକାରୀ କରାଯିବ ସେନେଇ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେବଳ ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

ରାଜ୍ୟ ସରକାର, କେନ୍ଦ୍ର ସରକାର, ଶ୍ରୀମନ୍ଦିର ପ୍ରଶାସନ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସମନ୍ୱୟ ଭିତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ସ୍ୱାସ୍ଥ୍ୟ ସମସ୍ୟାରେ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ଭିଡିଓ କନଫରେନ୍ସିଂରେ ରଥଯାତ୍ରା ମାମଲାର ଶୁଣାଣି କରିଥିଲେ।

ଏହି ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ରଥଯାତ୍ରା ସପକ୍ଷରେ ମତ ଦେଇଥିଲେ। ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍‌ଭେ, ରଞ୍ଜିତ କୁମାର, ପୂର୍ବତନ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ମନିନ୍ଦର ସିଂହ, କେ ଭି ବିଶ୍ୱନାଥ, ପି ଏସ୍‌ ନରସିଂହା, ବରିଷ୍ଠ ଆଇନଜୀବୀ ସି ଏସ୍‌ ବୈଦ୍ୟନାଥନ୍‌, ମହେଶ ଜେଠମଲାନି, ଅଭିଜି ପ୍ରସାଦ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟ କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ କୋର୍ଟ ଏହି ରାୟ ଦେଇଥିଲେ। ଏହାକୁନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭକ୍ତ ଏବଂ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଥିଲା। ଏହାକୁନେଇ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ରଥଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସାନିଆବେଦନ କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ।

ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା ଥିବା ବେଳେ ଆଜି ସୁପ୍ରିମକୋର୍ଟରେ ପୁନଃବିଚାର ପାଇଁ ଆସିଥିବା ଆବେଦନର ଶୁଣାଣି ଚାଲିଥିଲା। ସମସ୍ତ ପକ୍ଷକୁ ବିଚାର କରି ସୁପ୍ରିମକୋର୍ଟ ରଥଯାତ୍ରାକୁ ସବୁଜସଙ୍କେତ ଦେଇଛନ୍ତି।

Comment