ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ବଢୁଛି କରୋନା ଭୟ। ବିଏମ୍‌ସି ଆଣିଲା ନୂଆ ନିୟମ।

ପ୍ରଥମେ ସାଲିଆସାହି, ଡୁମୁଡୁମାର ସୁବାସନଗର, ଚକେଇସିଆଣିର ହାଡ଼ବାଇ ବସ୍ତି, ସୁନ୍ଦରପଦା ଅଭିରାମ ବସ୍ତିରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସିର ଚିନ୍ତା ବଢ଼ିଛି। ଏଣିକି ୫ଟି ହଟ୍‌ସ୍ପଟ ଜିଲ୍ଲାରୁ ଯେଉଁମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଆସିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୫ ହଟ୍‌ସ୍ପଟ୍‌ ଜିଲ୍ଲା ଭିତରେ ରହିଛି ଗଞ୍ଜାମ, ଗଜପତି, କଟକ, ବାଲେଶ୍ୱର ଏବଂ ଯାଜପୁର। ଏହି ଜିଲ୍ଲାରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ବିଏମ୍‌ସିର ସର୍ଭେଲାନ୍ସ କମିଟି ଜଗିବ। ସେମାନଙ୍କୁ ନେଇ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ।

ଆଗରୁ ରାଜ୍ୟ କିମ୍ବା ଦେଶ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଥିଲା। ହେଲେ ଏବେ ଭୁବନେଶ୍ୱରରେ ସଂକ୍ରମଣ ବଢ଼ିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି। ଏହି ନୂଆ ନିୟମ ଆଜିଠୁ ଲାଗୁ କରାଯାଇଛି।

ଭୁବନେଶ୍ୱରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ୧୬ଟି ନୂଆ କେସ୍‌ ଚିହ୍ନଟ ହୋଇଛି। ୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ଲୋକାଲ୍‌ କେସ୍‌। ଏହି ୧୪ ଜଣଙ୍କ ଭିତରୁ ୯ ଜଣ ସିଲ୍‌ ହୋଇଥିବା ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ ସାଲିଆସାହି ବସ୍ତିରେ ୫୦୦ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

Comment