ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଥମିବା ନାଁ ଧରୁନାହିଁ। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ଚୀନର ଲଢ଼ୁଆ ବିମାନର ଗତିବିଧିକୁ ଦେଖି ଭାରତ ତାର ଅତ୍ୟାଧୁନିକ ଏୟାର ଡ଼ିଫେନ୍ସ କ୍ଷେପଣାସ୍ତ୍ରକୁ ମୁତୟନ କରିଛି। ଯଦି ଚୀନର କୌଣସି ବିମାନ ନିୟନ୍ତ୍ରଣ ରେଖା ଉଲ୍ଲଙ୍ଘନ କରେ ଏହି କ୍ଷେପଣାସ୍ତ୍ର ଜରିଆରେ ସେହି ବିମାନକୁ ଉଡ଼ାଇ ଦିଆଯାଇପାରିବ।

ସରକାରୀ ସୂତ୍ର ଅନୁସାରେ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ସେନା ଓ ଏୟାର ଡିଫେନ୍ସ ମିଜାଇଲକୁ ମୁତୟନ କରିବା ପାଇଁ ଭାରତ ବାଧ୍ୟ ହୋଇଛି। ଚୀନ ପିପୁଲସ ଲିବରେସନ ଆର୍ମିର ଲଢ଼ୁଆ ବିମାନ କି ହେଲିକପ୍ଟର ଯଦି ଦୁଃସାହସ କରେ ତେବେ ତାହାକୁ ଏହି କ୍ଷେପଣାସ୍ତ୍ର ଧ୍ୱଂସ କରି ଦେଇପାରିବ।

ଖବର ଅନୁସାରେ ଖୁବଶୀଘ୍ର ଭାରତକୁ ତାର ଏକ ମିତ୍ର ଦେଶ ପକ୍ଷରୁ ଶକ୍ତିଶାଳୀ ଏୟାର ଡ଼ିଫେନ୍ସ ସିଷ୍ଟମ ମିଳିବା ଉପରେ। ଏହାକୁ ବି ଏଲଏସିରେ ନିୟୋଜିତ କରାଯିବ। ଏହାଦ୍ୱାରା କେବଳ ଭାରତୀୟ ଇଲାକାକୁ ସୁରକ୍ଷିତ ରଖିବା ସମ୍ଭବ ହେବ ତାହା ନୁହେଁ ଶତ୍ରୁ ପକ୍ଷର ଯେ କୌଣସି ବିମାନକୁ ଆକାଶ ମାର୍ଗରୁ ରୋକାଯାଇ ପାରିବ।ଆହୁରି ମଧ୍ୟ ଖବର ଆସୁଛି ଯେ ଚୀନର ହେଲିକପ୍ଟରଗୁଡ଼ିକ ନିୟନ୍ତ୍ରଣ ରେଖାର ପାଖେ ପାଖେ ଉଡ଼ିବା ଦେଖାଯାଇଛି। ଯେଉଁ ସ୍ଥାନରେ ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଘଟିଥିଲା (ଗଲବାନ ଘାଟି),ଦୌଲତ ବେଗ ଓଲଡ଼ି,ପାଟ୍ରୋଲିଂ ପଏଣ୍ଟ ୧୪,୧୫,୧୭  ଏବଂ ପେଙ୍ଗୋଗ ସୋ ଫିଙ୍ଗର ୩  ଇଲାକାରେ ଚୀନର ବିମାନଗୁଡ଼ିକ ଘାଇଁ ଘାଇଁ ଉଡ଼ୁଥିବା ଦେଖାଯାଉଛି।

ତେଣେ ପୂର୍ବ ଲଦାଖରେ ଭାରତର ଲଢ଼ୁଆ ବିମାନ ମଧ୍ୟ ଗର୍ଜିବାରେ ଲାଗିଛି। ଆଖପାଖରେ ଥିବା ଏୟାର ବେସରୁ ଏହି ବିମାନ ଇଙ୍ଗିତ ପାଇବା ମାତ୍ରେ ଉଡ଼ି ପାରିବ। ଚୀନର ହେଲିକପ୍ଟରଗୁଡ଼ିକ ବାରମ୍ବାର ଏଲଏସି ନିକଟରେ ଚକ୍କର କାଟୁଥିବା ଦେଖାଯାଉଛି।

Comment