ଓଡ଼ିଶାଲାଇଭ ବ୍ୟୁରୋ

  • ସପ୍ତାହକୁ ଦୁଇ ଦିନ ମିଳିବ ମାଣ୍ଡିଆ ଲଡୁ
  • ପ୍ରତି ବୁଧବାର ଶନିବାର ମିଳିବ ୨୦ ଗ୍ରାମର ଦୁଇଟି ଲଡୁ
  • କରୋନା ଳକ୍‌ଡାଉନ୍‌ ପାଇଁ ଶିଶୁଙ୍କ ଘରେ ପହଞ୍ଚିବ ଏହି ପୁଷ୍ଟିକର ଖାଦ୍ୟ
  • ପ୍ରଥମ ପର୍ଯ୍ୟାୟରେ ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ର ସାମିଲ
  • ଦ୍ୱିତୀୟ ପର୍ଯ୍ୟାୟରେ ୩୨୫୭ କେନ୍ଦ୍ରକୁ ସାମିଲ କରାଯିବ
  • ଡିଏମ୍‌ଏଫ୍‌ ପକ୍ଷରୁ ଆର୍ଥିକ ସହାୟତା

କେନ୍ଦୁଝର ଜିଲ୍ଲାରେ ଶିଶୁମାନଙ୍କର ପୁଷ୍ଟିର ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଉଥିବା ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ସାମିଲ କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ତରଫରୁ ଏହି ପଦକ୍ଷେପ ନିଆଯାଇଛି। ସପ୍ତାହରେ ଦୁଇ ଦିନ ପ୍ରତି ଶିଶୁଙ୍କୁ ୨୦ ଗ୍ରାମର ଦୁଇଟି ମାଣ୍ଡିଆ ଲଡୁ ଦେବା ଲାଗି ବ୍ୟବସ୍ଥା କରାଯାଇଛି।

ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ମାଣ୍ଡିଆ ଲଡୁରେ ଅଧିକ ଫାଇଭର, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଣୁ ପ୍ରତି ବୁଧବାର ଓ ଶନିବାର ନିର୍ଦ୍ଧାରିତ ଖାଦ୍ୟ ସହ ଦୁଇଟି ଲେଖାଏଁ ମାଣ୍ଡିଆ ଲଡୁ ଦେବାକୁ ସ୍ଥିର କରାଯାଇଛି।

କରୋନା ପାଇଁ ଏବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଶିଶୁମାନେ ଘରେ ଅଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ମାଣ୍ଡିଆ ଲଡୁ ମିକ୍ସ ଶିଶୁମାନଙ୍କ ଘରେ ପହଞ୍ଚାଯିବ। ମା’ମାନେ ଏଥିରୁ ଲଡୁ ପ୍ରସ୍ତୁତ କରି ଶିଶୁମାନଙ୍କୁ ଦେବେ।

ମାଣ୍ଡିଆ ଲଡୁ ମିକ୍ସ ପ୍ରସ୍ତୁତିରେ ଜିଲ୍ଲାର ଅଭିଜ୍ଞ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯିବ। ଉତ୍ତମ ମାନର ଏବଂ ସ୍ୱାସ୍ଥ୍ୟକର ରାଗି ପ୍ରସ୍ତୁତ କରିବା ନିମନ୍ତେ ଗ୍ରେଟର-କମ୍‌-ଆସ୍‌ପିରେଟର ଏବଂ ଡିଷ୍ଟୋନର ଯନ୍ତ୍ରାଂଶ ସହିତ ମାଣ୍ଡିଆ ପ୍ରକ୍ରିୟାକରଣର ଏକ ୟୁନିଟ୍‌ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ତରରେ ପ୍ରତିଷ୍ଠା କରାଯିବ।

୨ ଜୁଲାଇ ୨୦୨୦ରୁ ପ୍ରଥମ ପର୍ଯ୍ୟାୟ ସଦର ବ୍ଲକର ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ପରେ ଜିଲ୍ଲାର ୩୨୫୭ଟି ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କୁ ସେପ୍ଟେମ୍ବର ପହିଲାରୁ ସାମିଲ କରାଯିବ।

କେନ୍ଦୁଝର ଜିଲ୍ଲାର ଜନଜାତି ତଥା ଖଣିଜ ଅଞ୍ଚଳରେ ମାଣ୍ଡିଆ ଚାଷର ପ୍ରୋତ୍ସାହନ ନିମନ୍ତେ ଡିଏମ୍‌ଏଫ୍‌ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏନସିଡିଏସ୍‌, ୱାସନ ଓ ସିଏସଆଇଆର-ସିଏଫ୍‌ଟିଆରଆଇ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଡିଏମ୍‌ଏଫ୍‌ ପକ୍ଷରୁ ବାର୍ଷିକ ୧.୫ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି।

Comment