ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଶୀର୍ଷକକୁ ନେଇ ୱେବିନାର୍‌।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏହି ଅବସରରେ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସନ୍ଦୀପ ସାହୁ କହିଛନ୍ତି, ‘‘ବର୍ତ୍ତମାନ ଖବରକାଗଜଗୁଡ଼ିକର ପ୍ରସାରଣ ସଂଖ୍ୟା ବଢ଼ିଯାଇଛି। ନୂଆ ଖବରକାଗଜ ଆତ୍ମପ୍ରକାଶ କରୁଛି। ନୂଆ ଚ୍ୟାନେଲ୍‍ ଖୋଲୁଛି। କିଛି ୱେବ୍‍ ଚ୍ୟାନେଲ୍‍, ସାଟେଲାଇଟ୍‍ ଚ୍ୟାନେଲ୍‍ ହେବାକୁ ଯାଉଛି। ପାଠକ ଓ ଦର୍ଶକ ସଂଖ୍ୟା ବି ବଢ଼ୁଛନ୍ତି। ବିଜ୍ଞାପନର ଆକାର ବି ବଢ଼ୁଛି। ଲୋକଙ୍କ ସାକ୍ଷରତା ହାର ବଢ଼ିଛି। ଏସବୁ ଭଲ ଦିଗ ଭିତରେ ନିରାଶଜନକ ଦିଗଟି ହେଉଛି, ପ୍ରକୃତ ଖବର ବା ଯେଉଁଥିରେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ତାହାର ସଂଖ୍ୟା କମିବା।’’

ସେ ଆହୁରି କହିଥିଲେ ଯେ, ଲୋକଙ୍କ ରୁଚି ମଧ୍ୟ ବଦଳୁଛି। କିଛି ଲୋକ କ୍ରୀଡ଼ା ଖବର ଚାହୁଁଥିଲାବେଳେ କିଛି ଚାହୁଁଛନ୍ତି ମନୋରଞ୍ଜନଭିତ୍ତିକ ଖବର। ପୁଣି କିଛି ରାଜନୈତିକ ଖବର ତ ଆଉ କିଛି ବାଣିଜ୍ୟ ସମ୍ପର୍କିତ। ୟା’ରି ଭିତରେ ଗଣମାଧ୍ୟମ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଯେ ସେ କାହାକୁ ଗୁରୁତ୍ୱ ଦେବ । ଯଦି ପାଠକୀୟ ରୁଚି ଅନୁସାରେ ଖୋରାକ ଯୋଗାଇବେ, ତେବେ ଅନେକ ସମୟରେ ଖବର ଭିତରର କଥା ଲୁଚି ରହିଯିବ। କେବଳ ଏତିକି ନୁହେଁ, ଖବରକାଗଜ ହେଉ କି ଟେଲିଭିଜନ୍‍ ନିଉଜ୍‍ ଚ୍ୟାନେଲ୍‍ ଏସବୁ ମୁଖ୍ୟତଃ ବିଜ୍ଞାପନ ଉପରେ ନିର୍ଭର କରନ୍ତି। ତା’ ମାନେ ନୁହେଁ ଯେ ବିଜ୍ଞାପନ ସର୍ବସ୍ୱ ହୋଇଯିବା। କେହି କେହି ଅଭିଯୋଗ କରନ୍ତି, ଆଜିକାଲି ଖବରକାଗଜରେ ଖବର କମ୍‍, ବିଜ୍ଞାପନ ଅଧିକ। ଏହା ନିଶ୍ଚିତ ଅଧିକାଂଶ କ୍ଷେତ୍ରରେ ଠିକ୍‍। ଏଣୁ ଗଣମାଧ୍ୟମ ଲୋଭ ଓ ଲାଭଖୋର ମନୋଭାବ ବଦଳରେ ଖବର ଓ ବିଜ୍ଞାପନ ଭିତରେ ଏକ ସନ୍ତୁଳନ ରକ୍ଷା କରିବା ଉଚିତ।

ଅନ୍ୟତମ ବକ୍ତା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୁଜିତ ମହାନ୍ତି କହିଛନ୍ତି ଯେ, ନ’ଅଙ୍କ ଦୁର୍ଭିକ୍ଷ ଭଳି ଏକ ବିପତ୍ତି ସମୟରେ ‘ଉତ୍କଳ ଦୀପିକା’  ଆରମ୍ଭ ହୋଇଥିଲା। ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ଉପରେ ଏହା ବିଶେଷଭାବେ ଆଲୋଚନା କରୁଥିଲା। ସେସମୟରେ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଏହା ଗୁରୁତ୍ୱ ଦେଉଥିଲା। ତେବେ ସେତେବେଳେ ସୂଚନାର ପ୍ରସାର ଯେମିତି ବିଫଳ ହୋଇଥିଲା ସମାନ କଥା ଆଉ ଥରେ ନହେଉ। ପରବର୍ତ୍ତୀ ସମୟରେ ଆଉ କିଛି ଖବରକାଗଜ ଓଡ଼ିଶାରେ ଆସିଥିଲା। ଏସବୁ ସାମାଜିକ-ରାଜନୈତିକ ଦିଗକୁ ଗୁରୁତ୍ୱ ଦେଇଥିଲେ। ଏବେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆମକୁ ପୁନର୍ଜୀବିତ କରିବାକୁ ପଡୁଛି। କିନ୍ତୁ ଏହାର ଯାତ୍ରା ବହୁତ ପୂର୍ବରୁ ଆରମ୍ଭ ହୋଇଥିଲା। ଏଥିପାଇଁ ଅନେକ ସଂଘର୍ଷ ହୋଇଥିଲା। ମୁଖ୍ୟତଃ ସାମାଜିକ ସଂସ୍କାର, ସ୍ୱାଧୀନତା ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୋଧରେ ଏକ ବିପ୍ଳବର ଆହ୍ୱାନ ଦେଇଥିଲା ଏମିତି କିଛି ଖବରକାଗଜ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଏସବୁ ବିଷୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି।

‘‘ବର୍ତ୍ତମାନ ଗଣମାଧ୍ୟମ ବହୁତ ଉନ୍ନତି କରିଛି। ଡିଜିଟାଲ୍‍ ମିଡିଆ ଅନେକ ପରିବର୍ତ୍ତନ ଆଣିଛି। ଦୁଃଖର କଥା, ଆଜିକାଲି ଅନେକ ଗଣମାଧ୍ୟମରେ ଖାମଖିଆଲି ରିପୋର୍ଟିଂ ଦେଖିବାକୁ ମିଳୁଛି। ଫଳରେ ଲୋକେ ଗଣମାଧ୍ୟମ ଉପରେ ଏତେଟା ବିଶ୍ୱାସ ରଖିପାରୁନାହାନ୍ତି। ଏଥରୁ ଲୋକଙ୍କୁ ଶିକ୍ଷିତ ହେବାକୁ ପଡ଼ିବ। ଗଣମାଧ୍ୟମ ଯାହା କହୁଛି, ତାହା ଯେ ବେଦର ଗାର; ସେକଥା ଆଦୌ ଭାବିବା ଉଚିତ ନୁହେଁ। କାରଣ ଡିଜିଟାଲ୍‍ ମିଡିଆ ଯୁଗରେ ଖବରର ବିଶ୍ଳେଷଣ କରିବାରେ ଅନେକ ସୁଯୋଗ ରହିଛି’’, କହିଛନ୍ତି ସୁଜିତ ମହାନ୍ତି।

‘ଓଟିଭି’ର ଡେପୁଟି ଏଡିଟର ବବିତା ସ୍ୱାଇଁ ଏହି ଆଲୋଚନାଚକ୍ରରେ ଭାଗନେଇ କହିଛନ୍ତି, ବର୍ତ୍ତମାନ ଖବରର ପରିଭାଷା ସମ୍ପୂର୍ଣ୍ଣ ବଦଳିଯାଇଛି। ଆଗରୁ ଖବର ପାଇବା ପାଇଁ ଲୋକେ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରୁଥିଲେ। ଏବେ ଖବରର ପ୍ରସ୍ତୁତି ଓ ପରିବେଷଣର ଶୈଳୀ ବଦଳିଛି। ପ୍ରତି ମୁହୂର୍ତ୍ତରେ କ’ଣ ଘଟଣା ଘଟୁଛି, ତାହା ଲୋକେ ଜାଣିବାକୁ ଚାହୁଁଛନ୍ତି। ଏମିତି ଏକ ସମୟରେ ଉଭୟ ଗଣମାଧ୍ୟମ ଓ ରିପୋର୍ଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ରେକିଂ ନିଉଜ୍‍ ଯୁଗରେ ଖବରର ସତ୍ୟତା ସବୁଠୁଁ ଅଧକ ଗୁରୁତ୍ୱ ବହନ କରେ। ଘଟଣା ସ୍ଥଳକୁ ଯାଇ ପ୍ରତି ଘଟଣା ଏବଂ ଖବରର ବିଭିନ୍ନ ଦିଗ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବା ଆବଶ୍ୟକ। ଏଥିପାଇଁ ଚ୍ୟାନେଲ୍‍ ଦାୟିତ୍ୱରେ ଥିବା ସମସ୍ତେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।

ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସା’ କହିଛନ୍ତି, ଓଡ଼ିଆ ଗଣମାଧ୍ୟମର ଧାରାରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ନ’ଅଙ୍କ ଦୁର୍ଭିକ୍ଷରୁ କରୋନା ମହାମାରୀ ସମୟସୀମା ଭିତରେ ଗଣମାଧ୍ୟମ ଅନେକ ସଫଳତା, ବିଫଳତା, ସଂଘର୍ଷ, ଘାତ ପ୍ରତିଘାତ ଭିତରେ ଗତି କରିଛି। ତେବେ ଗଣମାଧ୍ୟମର ଧାରା ସବୁବେଳେ ପରିବର୍ତ୍ତନଶୀଳ। ଗତକାଲି ଯାହା ଥିଲା, ତାହା ଆଜି ନାହିଁ କି ଆଗକୁ ବି ରହିବ ନାହିଁ। ତଥାପି, ଗଣମାଧ୍ୟମରେ ମୁଖ୍ୟତଃ ବୈଷୟିକ ଜ୍ଞାନକୌଶଳ, ଦକ୍ଷତା ତଥା ଦର୍ଶକ ବା ପାଠକଙ୍କ ରୁଚିର ଧାରା ବଦଳି ଚାଲିଛି ବୋଲି ସେ କହିଛନ୍ତି।

ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟରମୃଣାଳ ଚାଟାର୍ଜୀ। ସେ କହିଥିଲେ ଯେ, ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ଏଥିପାଇଁ ଏହି ଦିନକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ତେବେ କେହିକେହି ‘କୁଜୀବର ପତ୍ର’ ଓ ‘ମାଦଳା ପାଞ୍ଜି’କୁ ପ୍ରଥମ ଓଡ଼ିଆ ଖବରକାଗଜ ବୋଲି ବିବେଚିତ କରନ୍ତି। ତେବେ ପ୍ରକୃତରେ ଉପସ୍ଥାପନା ଶୈଳୀରେ, ଖବର ପରିବେଷଣରେ, ବିଶ୍ଳେଷଣରେ ‘ଉତ୍କଳ ଦୀପିକା’ ଏକ ମଡେଲ୍‍ ଖବରକାଗଜ ଭାବେ ପ୍ରକାଶ ପାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବର୍ଷ ‘ଉତ୍କଳ ଦୀପିକା’ ଆରମ୍ଭ ହୋଇଥିଲା, ସେଇ ବର୍ଷ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। ଏଥିରେ ଓଡ଼ିଶା ଓ ଆଖପାଖ ଅଞ୍ଚଳର ୧୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା। ପ୍ରଶାସନିକ ପରିଚାଳନାରେ ତ୍ରୁଟି ଯୋଗୁଁ ଖାଦ୍ୟ ମହଜୁଦ ଥାଇ ମଧ୍ୟ ଖାଦ୍ୟ ସଙ୍କଟ ଦେଖାଦେଲା। ଏମିତି ଏକ ସ୍ଥିତିରେ ସରକାର ଯେଉଁ କାର୍ଯ୍ୟ କରିବା କଥା, ତାହା ‘ଉତ୍କଳ ଦୀପିକା’ ହିଁ କରିଥିଲା। ଲୋକଙ୍କ ସମସ୍ୟାକୁ ସିଧାସଳଖ ଉପସ୍ଥାପନ କରୁଥିଲା। ଉପଯୁକ୍ତ ବିଶ୍ଳେଷଣ କରୁଥିଲା। ସେସମୟର ସମାଜ ବ୍ୟବସ୍ଥା ଉପରେ ଯେଉଁଭଳି ଭାବେ ଏକ ଭଲ ଖବରକାଗଜ କାର୍ଯ୍ୟ କରିବା କଥା, ତାହା ଉତ୍କଳ ଦୀପିକା କରିଥିଲା। ଦୀର୍ଘ ୭୦ ବର୍ଷ କାଳ ଏ ଖବରକାଗଜ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଥିଲା। ଆଜି ଆମେ କୋଭିଡ-୧୯ ମହାମାରୀର ସାମ୍ନା କରୁଛେ। ଏଣୁ ସେସମୟରେ ଖବରକାଗଜ କିଭଳି ଖବର ପରିବେଷଣ କରୁଥିଲା, କିଭଳି ବିଶ୍ଳେଷଣ କରୁଥିଲା, ତା’ ଉପରେ ନଜର ଦେବାର ଆବଶ୍ୟକତା ରହିଛି।

ଅନ୍ୟତମ ବକ୍ତାଭାବେ ଦୈନିକ ‘ସର୍ବସାଧାରଣ’ର କାର୍ଯ୍ୟକାରୀ ସମ୍ପାଦକ ପ୍ରସନ୍ନ ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର।

Comment