ଓଡିଶାଲାଇଭ୍ ବ୍ୟୁରୋ

କଟକ: ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକେଶ୍ୱର ପୂଜା ଯାଏଁ ଚାଲେ। ଏହି ସମୟ ଭିତରେ କଟକ ସହର ଉତ୍ସବ ମୁଖରିତ ହୋଇଉଠେ। କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ସ୍ଥିତି ସଙ୍ଗୀନ। ସହରର ବିଭିନ୍ନ ସାହିବସ୍ତିରୁ କରୋନା ପଜିଟିଭ୍ ବାହାରିବା ଯୋଗୁଁ ପରିସ୍ଥିତି ଉଦ୍‌ବେଗଜନକ ରହିଛି। ତେଣୁ ଏହା ଭିତରେ ପାର୍ବଣ ଫିକା ପଡ଼ିଯାଇଛି। ଅନ୍ୟପଟେ ମୂର୍ତ୍ତି ବରାଦ ନ ଥିବାରୁ କାରିଗରମାନେ ଚିନ୍ତାରେ ପଡ଼ିଛନ୍ତି।

କଟକର ଶିଳ୍ପୀ କୁମ୍ଭାର ସାହି, ଗୋଡ଼ିସାହି ଓ ବିଡ଼ାନାସୀ ହେଉଛି ତିନି ପ୍ରମୁଖ ଅଞ୍ଚଳ ଯେଉଁଠି ମୂର୍ତ୍ତି ତିଆରି କରାଯାଏ। । କଟକ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ସାଲେପୁର, କେନ୍ଦ୍ରାପଡ଼ା ଭଳି ଅଞ୍ଚଳରୁ ଲୋକେ ଏଠାକୁ ଆସି ମୂର୍ତ୍ତି ଅର୍ଡର ଦେଇଯାନ୍ତି। ରଜ ପରେ ପରେ ଗଣେଶ ମୂର୍ତ୍ତି ପାଇଁ ବରାଦ ଦେଇଯାନ୍ତି ହଜାର ହଜାର କ୍ଲବ୍ ଓ ସଂଗଠନ। ଏଥିସହ ବ୍ୟକ୍ତିଗତ ବରାଦ ବି ଥାଏ।

ଏହାଛଡ଼ା ଖୁଦୁରୁକୁଣୀ, ବିଶ୍ୱକର୍ମା ପୂଜା, ଦଶହରା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଭଳି ବିଭିନ୍ନ ପାର୍ବଣରେ ମୂର୍ତ୍ତି କାରିଗରମାନେ ଲକ୍ଷ ଲକ୍ଷ ଟଙ୍କାର ଅର୍ଡର ପାଆନ୍ତି। କିନ୍ତୁ ଏଥର କରୋନାକୁ ନେଇ ସ୍ଥିତି ଏଭଳି ସଙ୍କଟପୂର୍ଣ୍ଣ ରହିଛି ଯେ, ପାର୍ବଣ ଫିକା ପଡ଼ିବ ବୋଲି ଜଳଜଳ ହୋଇ ଦିଶୁଛି।ଗଣେଶ ପୂଜା ସାର୍ବଜନୀନ ଉତ୍ସବ ହୋଇଥିବାରୁ ଏହାକୁ ନେଇ ଦ୍ଵନ୍ଦ୍ଵ ଲାଗିରହିଛି। ପୂଜା ପାଇଁ ଅନୁମତି ଦିଆଯିବ କି ନାହିଁ ସେ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଯାହାଫଳରେ ମୂର୍ତ୍ତି ବରାଦ ପାଇନାହାନ୍ତି କାରିଗର। ଯଦି କେବଳ ଶିଳ୍ପୀ କୁମ୍ଭାରସାହି କଥା ବିଚାରକୁ ନିଆଯାଏ, ତେବେ ଗତବର୍ଷ ପ୍ରାୟ ସାଢ଼େ ତିନି ହଜାରରୁ ଅଧିକ ବଡ଼ ମୂର୍ତ୍ତି ଏବଂ ପ୍ରାୟ ୧୦ ହଜାର ଛୋଟ ମୂର୍ତ୍ତି ପାଇଁ ଅର୍ଡର ଆସିଥିଲା। କରୋନା କଟକଣା ଯୋଗୁଁ ଚଳିତବର୍ଷ ମୂର୍ତ୍ତି ପାଇଁ ଅର୍ଡର ମିଳିନି।

ସେହିପରି ଅଦରକାରୀ ଜିନିଷରେ ମୂର୍ତ୍ତି ତିଆରି କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନରାଜ ଗୋଡ଼ିସାହିରୁ ମଧ୍ୟ ମୂର୍ତ୍ତି କିଣିବା ପାଇଁ ଲୋକଙ୍କ ବରାଦ ଥାଏ। କିନ୍ତୁ ଏଥର ମୂର୍ତ୍ତି ବରାଦ ନାହିଁ। କ୍ଲବ୍‌ଗୁଡ଼ିକ ମଧ୍ୟ ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଛୋଟ ମୂର୍ତ୍ତ ଆଣି ପୂଜା କରିବା ସହିତ ନିରାଡ଼ମ୍ବର ବିସର୍ଜନ କରିବାକୁ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କାରିଗରମାନେ ଛୋଟ ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି।ଏନେଇ ମୂର୍ତ୍ତି କାରିଗର ସତ୍ୟବ୍ରତ ବେହେରା କହିଛନ୍ତି, “ଆମେ ପ୍ରତିବର୍ଷ ଜୁନ ମାସରୁ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି ଆରମ୍ଭ କରିଥାଉ। ଏତେ ବେଳକୁ ମୂର୍ତ୍ତି ନିର୍ମାଣ ମୋଟାମୋଟି ସରିଯିବା କଥା। ତେବେ କରୋନା କଟକଣା କାରଣରୁ ସବୁ ମାନ୍ଦା ପଡ଼ିଛି। କରୋନା ସମୟରେ ସରକାର ସମସ୍ତଙ୍କ ପାଇଁ ସୁବିଧା କରୁଥିବା ବେଳେ ଆମ ଭଳି ମୂର୍ତ୍ତି କାରିଗରଙ୍କୁ ଅଣଦେଖା କରୁଛନ୍ତି। ଏପରିସ୍ଥଳେ ଯଦି ସରକାର ପୂଜା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ ଆମ ସ୍ଥିତି ସଙ୍ଗୀନ ହୋଇଯିବ।”

ସେହିପରି ଆଉ ଜଣେ କାରିଗର ପ୍ରଶାନ୍ତ ବେହେରା କହିଛନ୍ତି, “ରଜ ସମୟରୁ ମୂର୍ତ୍ତି କାମ ଆରମ୍ଭ ହେବା କଥା। ଏପର୍ଯ୍ୟନ୍ତ ଆମେ ଗୋଟିଏ ବି ମୂର୍ତ୍ତି ତିଆରି କରିନାହୁଁ। ଆମେ ଯଦି ମୂର୍ତ୍ତି କରିବୁ ଏବଂ ପରେ ସରକାର ପୂଜା ପାଇଁ ଅନୁମତି ନ ଦେବେ ତେବେ ଆମେ ବହୁତ କ୍ଷତି ସହିବୁ। ସରକାର ଆମମାନଙ୍କ ପ୍ରତି ଦୃଷ୍ଟି ଦେବା ଦରକାର।”

ପାର୍ବଣ ପାଇଁ ୬ ମାସ କାମ କଲେ ସେଥିରୁ ହେଉଥିବା ରୋଜଗାରରେ ବର୍ଷ ତମାମ୍ କାରିଗରମାନେ ଚଳିଯାନ୍ତି। କିନ୍ତୁ ଚଳିତ ବର୍ଷ ବେପାର ନ ଥିବାରୁ ଆଗକୁ ବର୍ଷେ କେମିତି ଚଳିବେ ସେନେଇ କାରିଗରମାନେ ଚିନ୍ତାରେ ପଡ଼ିଛନ୍ତି।

Comment