ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ସିଲାବସ୍‌କୁ ୩୦ ପ୍ରତିଶତ କମାଇ ଦିଆଯାଇଛି। ବିଷୟବସ୍ତୁର ଗୁରୁତ୍ୱ ଏବଂ ଚଳିତ ଶିକ୍ଷାବର୍ଷର ବଳକା ଥିବା ସମୟକୁ ଆଖି ଆଗରେ ରଖି ଉଭୟ ନବମ ଓ ଦଶମ ଶ୍ରେଣୀ ବହି ପାଠକୁ କମ କରାଯାଇଛି ବୋର୍ଡ ପକ୍ଷରୁ କୁହାଯାଇଛି।

ଚଳିତ ଶିକ୍ଷାବର୍ଷ କେବେ ସରିବ ଓ ବାକି ରହିଥିବା ଶିକ୍ଷାବର୍ଷ ଭିତରେ କେତେ ବିଷୟ ପଢ଼ାଯାଇପାରିବ, ତାହାକୁ ଗୁରୁତ୍ୱ ଦିଆଯାଇ ପାଠ୍ୟକ୍ରମ ହ୍ରାସ କରାଯାଇଛି। ଅନ୍ୟପକ୍ଷରେ ବୋର୍ଡର କହିବା କଥା, ଛାତ୍ରଛାତ୍ରୀମାନେ ଚାହିଁଲେ ସମସ୍ତ ବିଷୟ ପଢ଼ିପାରିବେ। ସେଥିପାଇଁ କାହାକୁ ବାରଣ କରାଯାଇନାହିଁ। କିନ୍ତୁ ପଢ଼ା ହୋଇଥିବା ପାଠ୍ୟକ୍ରମ ଆଧାରରେ ହିଁ ପରୀକ୍ଷା ହେବ ଓ ସେଥିରୁ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସଂକ୍ରମଣ ଯୋଗୁଁ ସ୍କୁଲ୍ ବନ୍ଦ ହେବାରୁ ଶ୍ରେଣୀଗୃହ ପଢ଼ା ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସିଲାବସ୍ ହ୍ରାସ କରିବାକୁ ଦାବି ହୋଇଥିଲା। ଯାହାଫଳରେ ସରକାର ବୋର୍ଡ କର୍ତ୍ତୃପକ୍ଷଙ୍କୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକର ସିଲାବସ୍ କମାଇବାକୁ କହିଥିଲେ।BGUବୋର୍ଡ ପକ୍ଷରୁ କିଛିଦିନ ତଳେ ଏନେଇ ସିଲାବସ୍ କମିଟି ବୈଠକ ବସିଥିଲା। ବୈଠକରେ କେଉଁ ବିଷୟଗୁଡ଼ିକ ସିଲାବସ୍‌ରେ ରହିବ ଓ କାହାକୁ ଚଳିତ ଶିକ୍ଷାବର୍ଷରୁ ବାଦ୍ ଦିଆଯିବ ସେନେଇ ଆଲୋଚନା ହୋଇଥିଲା। କମିଟିର ସହମତି କ୍ରମେ ବାକି ଥିବା ଶିକ୍ଷାବର୍ଷକୁ ଦୃଷ୍ଟିରେ ରଖି ସିଲାବସ୍ କମାଇବାକୁ ସ୍ଥିର ହୋଇଥିଲା। ଯେଉଁ ବିଷୟବସ୍ତୁ ଅତି ଗୁରୁତ୍ଵପୂର୍ଣ୍ଣ ତାହାକୁ ରଖାଯାଇ ଅନ୍ୟ ସବୁ ବିଷୟ ବାଦ୍ ଦେବାକୁ ସ୍ଥିର କରାଯାଇଥିଲା। ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗତକାଲି ସମସ୍ତ ବିଷୟବସ୍ତୁରୁ ୩୦ ପ୍ରତିଶତ ପାଠ୍ୟକ୍ରମ ବାଦ୍ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment