ଓଡ଼ିଶାଲାଇଭ୍ ବ୍ୟୁରୋ

ବାସ୍ତବ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ଭାରତ ଓ ଚୀନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ଅଧିକ ଘନୀଭୂତ ହୋଇଛି। ଗୋଟିଏ ପଟେ ସୀମାରେ ନିଜକୁ ଶୃଙ୍ଖଳିତ ଦର୍ଶାଇ କୂଟନୈତିକ ସ୍ତରରେ ଆଲୋଚନା ପାଇଁ କହି ବୁଲୁଥବା ଚୀନ୍ ଅନ୍ୟପଟେ ପେନ୍‌ଗଙ୍ଗ ସୋ ହ୍ରଦର ବ୍ଲାକଟପ୍ ପାହାଡ଼ରେ ଶତାଧିକ ସୈନିକ ଠୁଳ କରି ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଚୀନ୍‌ର ଆଚରଣ ଓ ଉଚ୍ଚାରଣରେ ଯେଉଁ ଫରକ ଥାଏ, ବ୍ଲାକ୍‌ଟପ୍‌ ପାହାଡ଼ରେ ତାହାର ପୁନରାବୃତ୍ତି ଘଟିଛି। ଭାରତ ତାହାର କଡ଼ା ଜବାବ ଦେଇ ଚୀନ୍ ସେନାକୁ ଚେକ୍‌ ଦେବା ପରେ ଚୀନ୍‌ ଚେତାବନୀ ଦେଇ କହିଛି ଯେ ଭାରତ ଏଲ୍ଏସିରେ ସୀମା ଉଲ୍ଲଂଘନ କରୁଛି।

ଚୁଶୁଲରେ ଭାରତ ଓ ଚୀନ୍‌ର ସେନା ମୁହାଁମୁହିଁ ହୋଇଛନ୍ତି ଓ ଏଲ୍‌ଏସିରେ ସ୍ଥିତି ଏବେ ଉତ୍ତେଜନାମୂଳକ ରହିଛି। ୧୯୬୨ରେ ହୋଇଥିବା ଭାରତ-ଚୀନ୍‌ ଯୁଦ୍ଧର କେନ୍ଦ୍ର ଥିଲା ଅରୁଣାଚଳପ୍ରଦେଶ। ଏବେ ପୁଣି ଚୀନ୍‌ ସହ ପୂର୍ବ ଲଦାଖରେ ଗତ ସୋମବାର ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ପୂର୍ବୋତ୍ତର ରାଜ୍ୟର ବାସ୍ତବ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ଭାରତ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି। ଅରୁଣାଚଳପ୍ରଦେଶରେ ଭାରତୀୟ ସେନା ଚୀନ୍‌ର ଯେକୌଣସି ପ୍ରକାର ଅନୁପ୍ରବେଶ କିମ୍ବା ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି। ବ୍ଲାକ୍‌ଟପ୍‌ ପାହାଡ଼ ଉପରେ ଭାରତୀୟ ସେନା ନିଜର ଦବ୍‌ଦବା ରଖିଛି।

୬୦ ବର୍ଷର ଉଦ୍ୟମରେ ଚୀନ୍

ଏସୀୟ ରାଷ୍ଟ୍ର ସମୂହର ଦୁଇ ପ୍ରମୁଖ ଦେଶ ଭାରତ ଓ ଚୀନ୍‌ ମଧ୍ୟରେ ପୂର୍ବରୁ ଡୋକଲାମ୍, ଗଲଓ୍ୱାନ ନେଇ ଉତ୍ତେଜନା ଲାଗିରହିଛି। ଗତ ୪ ମାସ ଭିତରେ ଚୀନ୍‌ର ପିପୁଲ୍‌ସ  ଲିବେରେଶନ ଆର୍ମି ଭାରତର ସୁଦୀର୍ଘ ବାସ୍ତବ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଯେଉଁ ଅନୁପ୍ରବେଶ ଉଦ୍ୟମ ଚଳାଇଛି, ତାହାକୁ ବାରମ୍ବାର ପଣ୍ଡ କରିଆସିଛି ଭାରତୀୟ ସେନା। ଚୀନ୍‌ର ଏଭଳି ଉଦ୍ୟମ ଆଜିର ନୁହେଁ। ୧୯୬୦ରେ ଚୀନ୍‌ ଶାସକ ଚାଉ ଏନ୍ ଲିଙ୍କ ଦ୍ବାରା ସଂପ୍ରସାରିତ ଭୌଗୋଳିକ ମାନଚିତ୍ରକୁ ଫଳବତୀ କରିବା ପାଇଁ ଦୀର୍ଘ ୬୦ ବର୍ଷ ହେଲା ଉଦ୍ୟମ ଚଳାଇଆସିଛି ଚୀନ୍।

ଭାରତର ୩ଟି ପଡ଼ୋଶୀ ରାଷ୍ଟ୍ର ସମେତ ୧୨ରୁ ଅଧିକ ଦେଶରେ ନିଜ ସ୍ଥିତି ମଜଭୁତ୍ କରିବା ହେଉଛି ଚୀନ୍‌ର ଏଜେଣ୍ଡା। ପାକିସ୍ତାନ, ମ୍ୟାନ୍‌ମାର ଓ ଶ୍ରୀଲଙ୍କା ସମେତ ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନିଆ, ଶିଶିଲ୍‌ସ, ତାଞ୍ଜାନିଆ, ଅଙ୍ଗୋଲା ଓ ତାଜାକିସ୍ତାନରେ ନିଜର ସେନା ଦବ୍‌ଦବା ସ୍ଥାପନ କରିବାକୁ ଚାହୁଁଛି ଚୀନ୍‌।

ପରମାଣୁ ଶକ୍ତି ବଢ଼ାଉଛି ଚୀନ୍‌, ଆମେରିକାକୁ ଘାରିଲା ଡର

ଗତ ସୋମବାର ସୀମାରେ ଉତ୍ତେଜନାକୁ ନେଇ ଭାରତ ବିରୋଧରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜିନ୍‌ ପିଙ୍ଗ୍। ଭାରତର କୌଣସି ରଣନୀତିକୁ ମାତ୍‌ ଦେବା ପାଇଁ ପଦକ୍ଷେପ ନେବାକୁ ଜିନ୍‌ ପିଙ୍ଗ୍ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନ୍‌ର ଏଭଳି ଆଭିମୁଖ୍ୟ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। କାରଣ ଭାରତକୁ ସମର୍ଥନ କରୁଥିବା ଆମେରିକା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ସମ୍ମୁଖ ଭାଗରେ ରହି ଚୀନ୍‌କୁ କଥା କହିବାର ସାହସ ରଖନ୍ତି ନାହିଁ। ଅନ୍ୟପକ୍ଷରେ ପରମାଣୁ ଅସ୍ତ୍ରରେ ଅଧିକ ଶକ୍ତିଶାଳୀ ହେବା ଲକ୍ଷ୍ୟରେ ରହିଛି ଚୀନ୍‌। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନର ରିପୋର୍ଟ ଅନୁସାରେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଚୀନ୍‌ ନିଜ ଦେଶର ପରମାଣୁ ଶକ୍ତିକୁ ଦୁଇଗଣା ବଢ଼ାଇ ସାରିଥିବ। ଏଥିରେ ବାଲିଷ୍ଟିକ୍ ମିସାଇଲ୍ ମଧ୍ୟ ସାମିଲ ରହିବ। ଏସୀୟ-ପ୍ରଶାନ୍ତ ମହାସାଗର ଭୂଖଣ୍ଡରେ ସବୁଠାରୁ ଶକ୍ତିଶାଳୀ ହେବା ଲକ୍ଷ୍ୟରେ କାମ କରୁଥବା ଚୀନ୍‌ ୨୦୪୯ ସୁଦ୍ଧା ପରମାଣୁ ଶକ୍ତିରେ ଆମେରିକା ସହ ସମକକ୍ଷ ହୋଇଯିବ ବୋଲି ଏହି ରିପୋର୍ଟ କହିଛି। କିନ୍ତୁ ଟ୍ରମ୍ପ ପ୍ରଶାସନ ଚୀନ୍‌ର ଏହି ପରମାଣୁ ଷ୍ଟ୍ରାଟେଜିକୁ ନିଷ୍ଫଳ କରିବା ପାଇଁ ଚାହୁଁଛି।BGUଭାରତର ପାଲଟା ଆଭିମୁଖ୍ୟ

ପେନ୍‌ଗଙ୍ଗ ହ୍ରଦର ଦକ୍ଷିଣରେ ଉପୁଜିଥିବା ଉତ୍ତେଜନା ଓ ପୂର୍ବ ଲଦାଖରେ ଚୀନ୍‌ର ସୈନ୍ୟ ଠୁଳ କରିବାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସମୀକ୍ଷା ବୈଠକ କରିଛନ୍ତି। ଏଲ୍‌ଏସିର ସବୁ ସମ୍ବେଦନଶୀଳ ସ୍ଥାନରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ ବୋଲି ବୈଠକରେ କୁହାଯାଇଛି। ପେନ୍‌ଗଙ୍ଗ ହ୍ରଦର ଦକ୍ଷିଣ ଦିଗରେ ଥିବା ପାହାଡ଼ଗୁଡ଼ିକରେ ଭାରତୀୟ ସେନାର ଦବ୍‌ଦବା ବଳବତ୍ତର ରହିବ। ଚୀନ୍‌ର ଯୁଦ୍ଧ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପୂର୍ବ ଲଦାଖର ବିମାନ ଠିକଣାରେ ସୁଖୋଇ ୩୦ ଏମ୍‌କେଆଇ, ଜାଗୁଆର, ମିରାଜ ୨୦୦୦ ଭଳି ନିଜର ଶକ୍ତିଶାଳୀ ଯୁଦ୍ଧ ବିମାନକୁ ମଧ୍ୟ ପ୍ରସ୍ତୁତ ରଖିଛି। ଏଲ୍‌ଏସିରେ ଏବେ ଗୋଟିଏ ମାତ୍ର ବୁଲେଟ୍‌ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ଆମନ୍ତ୍ରଣ ଦେଇପାରେ ବୋଲି ସାମରିକ ବିଶେଷଜ୍ଞମାନେ କହୁଛନ୍ତି।

Comment