ଓଡ଼ିଶାଲାଇଭ୍ ବ୍ୟୁରୋ

Deputy Chairman of the Rajya Sabha

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଏନଡିଏର ପ୍ରାର୍ଥୀ ହୋଇଛନ୍ତି। ସେପଟେ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଡିଏମକେ ସାଂସଦ ତିରୁଚି ଶିବା। ସଂସଦ ଅଧିବେଶନ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେଉଥିବା ବେଳେ, ସେହିଦିନ ଅପରାହ୍ନ ୩ଟାରେ ହିଁ ଉପାଧ୍ୟକ୍ଷ ନିର୍ବାଚିତ ହେବେ। ତେବେ ଦଳୀୟ ସାଂସଦଙ୍କ ଅପେକ୍ଷା ନିରପେକ୍ଷ ସାଂସଦଙ୍କ ଭୂମିକା ଏଥିରେ ଯଥେଷ୍ଟ ରହିଛି। ବିଶେଷ କରି ବିଜେଡିର ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ରହିବ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କର କାର୍ଯ୍ୟକାଳ ଗତ ଏପ୍ରିଲରେ ଶେଷ  ହୋଇଥିଲା। ତେବେ ଜେଡିୟୁ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ, ଏନଡିଏ ଏହା ଉପରେ ମୋହର ଲଗାଇଛି। ସେହିପରି ଡିଏମକେ ପ୍ରାର୍ଥୀଙ୍କୁ କଂଗ୍ରେସ ଓ ସମଭାବାପନ୍ନ ଦଳ ସମର୍ଥନ କରିବେ। ସୋନିଆ ଗାନ୍ଧୀ ଗୁଲାମ ନବୀ ଆଜାଦ ଓ ଅହମ୍ମଦ ପଟେଲଙ୍କୁ ସମଭାବାପନ୍ନ ଦଳଗୁଡ଼ିକୁ ତିରୁଚି ଶିବାଙ୍କୁ ସମର୍ଥନ ପାଇଁ ଏକାଠି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିରୁଚି ଶିବା ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏଥରକୁ ମିଶାଇ ସେ ଚତୁର୍ଥ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ସେ ପ୍ରଥମ ଡିଏମକେ ରାଜ୍ୟସଭା ସଦସ୍ୟ ଯିଏ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ମନୋନୀତ ହୋଇଛନ୍ତି।

BGU

ସୂତ୍ର ଅନୁସାରେ ଗୁଲାମନବୀ ଆଜାଦ ୧୦ ସମଭାବାପନ୍ନ ଦଳଗୁଡ଼ିକ ସହ କଥା ହୋଇଛନ୍ତି। ଡିଏମକେର ଏମକେ ଷ୍ଟାଲିନ ଶିବାଙ୍କ ପ୍ରାର୍ଥୀତ୍ୱକୁ ମଞ୍ଜୁରୀ ଦେଇସାରିଥିବା ବେଳେ, ତାଙ୍କ ସହ ମଧ୍ୟ ଆଜାଦ କଥା ହୋଇଛନ୍ତି। ଏନସିପି, ଶିବସେନା, ସମାଜବାଦି ପାର୍ଟି, ବହୁଡନ ସମାଜବାଦି ପାର୍ଟି ଓ ତୃଣମୂଳ କଂଗ୍ରେସ ସହ ଏ ନେଇ ଆଲୋଚନା କରିଛନ୍ତି ଆଜାଦ। ସେପେଟେ ବିଜେପି ମଧ୍ୟ ଏନଡିଏର ସମସ୍ତ ସହଯୋଗୀଙ୍କ ସହ ଏ ସମ୍ପର୍କରେ କଥା ହୋଇ ସହମତି ତିଆରି କରିସାରିଛନ୍ତି। ତେବେ ନିରପେକ୍ଷଦଳଗୁଡ଼ିକର ଭୂମିକା ମଧ୍ୟ ରହିଛି ଏହି ନିର୍ବାଚନରେ। ସୂତ୍ର ଅନୁସାରେ ଉଭୟ ପକ୍ଷରୁ  ୱାଇଏସଆର କଂଗ୍ରେସ, ବିଜୁ ଜନତା ଦଳ ଓ ଟିଆରଏସକୁ ମନାଇବାକୁ ଚେଷ୍ଟା କରାଯିବ। ଏନଡିଏ ସହଜ ସ୍ଥିତିରେ ଥିଲେ ମଧ୍ୟ ବିଜୟ ବ୍ୟବଧାନକୁ ବଢ଼ାଇବା ପାଇଁ ଚେଷ୍ଟା କରିବ। ଏନଡିଏ ମେଣ୍ଟରେ ୧୧୭ ରାଜ୍ୟସଭା ସାଂସଦ ଥିବା ବେଳେ, ଅତିକମରେ ୧୩୮ ଭୋଟ ସହ  ଉପାଧ୍ୟକ୍ଷ ପଦ ହାସଲ କରିବାକୁ ଚେଷ୍ଟା କରିବ ବିଜେପି।

ସେପଟେ ସମସ୍ତ ବିରୋଧୀ ଦଳକୁ ଏକାଠି କରିପାରିଲେ ଯାଇ କଂଗ୍ରେସ ସପକ୍ଷରେ ମତ ଯିବାର ସମ୍ଭାବନା ରହିଛି। କିନ୍ତୁ ବିଭିନ୍ନ ପ୍ରସଂଗରେ ପୂର୍ବରୁ ନିରପେକ୍ଷଦଳଗୁଡ଼ିକ ଏନଡିଏକୁ ସହଯୋଗ କରିଛନ୍ତି। ତେବେ ଉପାଧ୍ୟକ୍ଷ ନିର୍ବାଚନରେ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୧। ହରିବଂଶ ନାରାୟଣ ସିଂହ ଗତ ନିର୍ବାଚନ ୧୨୫ଟି ଭୋଟ୍ ପାଇ ଜିତିଥିଲେ। କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦ ହାରିଯାଇଥିଲେ।

Comment