ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଥିବା ତିନି ଅଭିନେତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କର ଗତ ୩ ବର୍ଷର ବ୍ୟାଙ୍କ ବିବରଣୀ ବାହାର କରି ଏନସିବି ଡ୍ରଗ୍ସ କାରବାର ଘଟଣାର ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।

ତିନି ଅଭିନେତ୍ରୀଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କଲେ ଡ୍ରଗ୍ସ ଲିଙ୍କ୍ ଘଟଣାର ଅନେକ ରହସ୍ୟ ଖୋଲିପାରିବ। ଯଦି ଏହି ଅଭିନେତ୍ରୀମାନେ ଡ୍ରଗ୍ସ କିଣିବା ପାଇଁ କୌଣସି ଟଙ୍କା କାରବାର କରିଥିବେ ତେବେ ଏନସିବିକୁ ଏନେଇ ପ୍ରମାଣ ମିଳିଯିବ। ଏହାପୂର୍ବରୁ ତିନି ଜଣ ଅଭିନେତ୍ରୀଙ୍କ କ୍ରେଡିଟ୍ କାର୍ଡ ବିବରଣୀ ଏନସିବି ପାଖରେ ରହିଛି। ଏବେ ତିନି ଅଭିନେତ୍ରୀଙ୍କର ବ୍ୟାଙ୍କ ଖାତାର ସମସ୍ତ ବିବରଣୀ ବାହାର କରାଯିବ।

ବଲିଉଡରେ ଡ୍ରଗ୍ସ କାରାବାର ଘଟଣାକୁ ନେଇ ଏନସିବି ଏହି ତିନି ଜଣ ଅଭିନେତ୍ରୀଙ୍କୁ ଜେରା କରିଥିଲା। ଏହି ଜେରାରେ କିନ୍ତୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇନଥିବା ଏନସିବି କହିଥିଲା। ଅନ୍ୟପଟେ ଅଭିନେତ୍ରୀମାନେ ଡ୍ରଗ୍ସକୁ ନେଇ ହ୍ୱାଟ୍ସଆପରେ ଚାଟ କରିଥିଲେ ମଧ୍ୟ ନିଜେ କେବେ ଡ୍ରଗ୍ସ ଖାଇନାହାନ୍ତି ବୋଲି କହିଥିଲେ।

ଏହାପରେ ଏନସିବି ସେମାନଙ୍କର ଫୋନକୁ ଜବତ କରିବା ସହିତ ସେମାନଙ୍କୁ ଛାଡ଼ିଦେଇଥିଲା। ଏବେ ବଲିଉଡର ଡ୍ରଗ୍ସ ଲିଙ୍କ୍ ଗୁମର ଖୋଲିବାକୁ ଏନସିବି ଅଭିନେତ୍ରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବ।

Comment