ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

କରୋନା ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ।

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୁଇଜଣ ଅଭିନେତା। ଦେଶ ପାଇଁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଆଉ ଓଡ଼ିଶା ପାଇଁ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର। ପ୍ରବାସୀ ଶ୍ରମିକଙ୍କୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଘରକୁ ଫେରାଇ ଆଣିବାରେ ଏହି ଦୁଇଜଣ ଯେଉଁ ସ୍ୱେଚ୍ଛାକୃତ ଉଦ୍ୟମ କରିଛନ୍ତି, ତାହାର ଭୁରି ଭୁରି ପ୍ରଶଂସା କରୁଛି ଦେଶ। ଏହି ବଦାନ୍ୟତା ଓ ମହତପଣିଆ ପାଇଁ ସୋନୁ ସୁଦ୍‌ଙ୍କୁ ଜାତିସଂଘ ସମ୍ମାନିତ କରିସାରିଛି।

ଏବେ ଅଭିନେତା ସବ୍ୟସାଚୀଙ୍କୁ ନିଜର ଅବଦାନ ପାଇଁ ମିଳିବ ‘ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦’। ଲୋକେ ଏବେ ତାଙ୍କୁ କରୋନା ମହାମାରୀ ବେଳର ରିୟଲ ହିରୋ ବୋଲି ଆଖ୍ୟା ଦେଇଛନ୍ତି।

ଭାରତୀୟ ସ୍କାଉଟ୍‌ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ସବ୍ୟସାଚୀଙ୍କୁ ଏହି ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୨୪ରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସବ୍ୟସାଚୀଙ୍କୁ ଏହି ସମ୍ମାନ ଦିଆଯିବ।

ସବ୍ୟସାଚୀ ଏନେଇ ନିଜ ଟୁଇଟରରେ ଗଭୀର ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ, ଚଳିତ ଗାନ୍ଧୀ ଜୟନ୍ତୀ ତାଙ୍କ ପାଇଁ ବହୁ ସ୍ୱତନ୍ତ୍ର ପାଲଟିଯାଇଛି। ଜାତୀୟ ଗାନ୍ଧୀ ସେବା ସମ୍ମାନ ତାଙ୍କ ଜୀବନର ଏକ ବଡ଼ ସଫଳତା। ଭାରତୀୟ ସ୍କାଉଟ୍‌ ଓ ଗାଇଡ୍‌ ଫେଲୋସିପ୍ ଓଡ଼ିଶା ଶାଖା ତାଙ୍କୁ ଏଥିପାଇଁ ମନୋନୀତ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଆଗକୁ ମଧ୍ୟ ସେ ଏହିପରି ସମାଜସେବା ଜାରି ରଖିବେ ବୋଲି କହିଛନ୍ତି। ଏହାସହ ଜାତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପର ସଭାପତି ଏମ୍.କେ. ମିକିଙ୍କୁ ଲାଲ ବାହାଦୁର ଶାନ୍ତି ସମ୍ମାନ ପ୍ରଦାନ କରାଯିବ। ସବ୍ୟସାଚୀ ନିଜ ପୋଷ୍ଟରେ ମିକିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Comment