ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ସ୍କୁଲ। କୋଭିଡ୍ ଗାଇଡଲାଇନ୍ ସହିତ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦୀର୍ଘ ଦିନରୁ ବନ୍ଦ ରହିଥିବାରୁ ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେଣୁ ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି।

କରୋନା ମହାମାରୀ ଯୋଗୁଁ ସ୍କୁଲଗୁଡ଼ିକ ଦୀର୍ଘ ୬ ମାସ ଧରି ବନ୍ଦ ରହିଥିବାରୁ ସ୍କୁଲ ପରିସରକୁ ସଫା କରିବା ପାଇଁ ଆଜି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ହତା ସମେତ ଘର ଓ ଆସବାବପତ୍ର ସଫା କରିବାକୁ ସରକାରଙ୍କର ନିର୍ଦ୍ଦେଶ ରହିଛି।

ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ ମୁଖ୍ୟାଳୟରେ ରହିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ମୁଖ୍ୟାଳୟରେ ନ ରହିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ତେବେ ଅକ୍ଟୋବର ୩୧ ତାରିଖ ଅର୍ଥାତ୍ ପୂଜା ଛୁଟି ପର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେଣୁ ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କିନ୍ତୁ ସ୍କୁଲ କେବେ ଖୋଲିବ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

Comment