କମଳାକାନ୍ତ ପତି

ନଭେମ୍ବର ମାସରେ ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନା ସଂକ୍ରମିତ। ଏହା ତ୍ତ୍ୱେ ସେ ନିଜକୁ ସଙ୍ଗରୋଧରେ ରଖିବା ପରିବର୍ତ୍ତେ ଭୋଟ୍ ମୈଦାନରର। ପ୍ରତିପକ୍ଷ ଜୋ ବାଇଡନଙ୍କୁ ଟକ୍କର ଦେବା ସହ ଚୀନ୍କୁ କରୁଛନ୍ତି ଟାର୍ଗେଟ

କରୋନାକୁ ହରାଇଥିବା ନେଇ ଟ୍ରମ୍ପଙ୍କ ଦମ୍ଭ

କରୋନା ଅତିମାରୀକୁ ଠିକ୍ ଭାବେ ମୁକାବିଲା କରିପାରି ନଥିବାର ଅଭିଯୋଗ ଟ୍ରମ୍ପ ପ୍ରଶାସନ ବିରୋଧରେ ଆଣୁଛନ୍ତି ଡେମୋକ୍ରାଟ୍ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡନ୍। ‘ଆମେରିକା ଫାଷ୍ଟ’ ସ୍ଲୋଗାନ୍ ଦେଇ ୨୦୧୬ ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କୁ ଅପ୍ରତ୍ୟାଶିତ ଭାବେ ହରାଇ ଦେଇଥିଲେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। ଏଥର ନିର୍ବାଚନରେ କିନ୍ତୁ ତାଙ୍କର ସେହି ଭେଳିକି କାର୍ଯ୍ୟ କରି ନ ପାରେ ବୋଲି ଆମେରିକୀୟ ରାଜନୈତିକ ମହଲର ଧାରଣା। ଚାରି ବର୍ଷ ଶାସନ କାଳରେ ଟ୍ରମ୍ପଙ୍କ ବିଭିନ୍ନ ପଦକ୍ଷେପକୁ ନେଇ ଆମେରିକା ନାଗରିକମାନେ ଯେତେ ଅସନ୍ତୁଷ୍ଟ ହୋଇ ନଥିଲେ, ନିର୍ବାଚନ ବର୍ଷରେ କରୋନାର ଭୟାବହତା ଲୋକଙ୍କୁ ଅଧିକ ଅତିଷ୍ଠ କରିଛି। ଅତିମାରୀ ମୁକାବିଲାରେ ଟ୍ରମ୍ପ ପ୍ରଶାସନର ଉଦାସୀନତା ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ବୋଲି ଅଭିଯୋଗ କରୁଛନ୍ତି ବାଇଡନ୍।

ଅନ୍ୟପକ୍ଷରେ ଟ୍ରମ୍ପ ଏଥିପାଇଁ ସମସ୍ତ ଦୋଷ ଲଦୁଛନ୍ତି ଚୀନ୍ ଉପରେ। ଉହାନ୍ ପ୍ରଦେଶରୁ ଯେଉଁ କରୋନା ଭୂତାଣୁ ସାରା ପୃଥିବୀକୁ ସଂକ୍ରମିତ ହେଲା, ସେଥିପାଇଁ ଚୀନ୍ ହିଁ ଦାୟୀ। ଏଥିସହିତ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର କାର୍ଯ୍ୟକଳାପରେ ସନ୍ଦେହ ବ୍ୟକ୍ତ କରି ଏହି ବିଶ୍ୱସଂସ୍ଥାକୁ ଆମେରିକୀୟ ଅନୁଦାନ ମଧ୍ୟ ବନ୍ଦ କରିଦେଇଛନ୍ତି। ଏବେ ନିଜେ ସଂକ୍ରମିତ ହେବା ସତ୍ତ୍ୱେ ଆମେରିକାବାସୀଙ୍କ ନିକଟରେ ନିଜର ଅପାରଗତା ଢାଙ୍କିବାକୁ ଡାକ୍ତରଙ୍କ ବାରଣ ନ ମାନି ହସ୍ପିଟାଲ୍ ଛାଡ଼ି ଚାଲି ଆସିଛନ୍ତି। ଏଭଳି କରି ସେ କରୋନାକୁ ହରାଇବାର ଦମ୍ଭ ଦେଶବାସୀଙ୍କୁ ଦେଖାଇବାର ଚେଷ୍ଟା କରିଛନ୍ତି।

ତେବେ ଚୀନ୍ ମିଶନ ସଫଳ!

ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ କୋଭିଡ୍ ଆକ୍ରାନ୍ତ ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ମିଳିଲା। କେହି କେହି ଲେଖିଲେ ଚୀନ୍‌ର ମିଶନ ସଫଳ ହୋଇଛି। ଏଭଳି ପୋଷ୍ଟରେ କେତେ ସତ୍ୟତା ରହିଛି ତାହା ଭିନ୍ନ କଥା, କିନ୍ତୁ କରୋନା ଅତିମାରୀ ଆସିବା ପରେ ଚୀନ୍‌କୁ ଟ୍ରମ୍ପଙ୍କର ବାରମ୍ବାର ଟାର୍ଗେଟ ଏହି ପୋଷ୍ଟଗୁଡ଼ିକର ଯଥାର୍ଥତା ଦର୍ଶାଉଛି।

କରୋନା ଆସିବା ପରେ ଟ୍ରମ୍ପଙ୍କର ଅଭିଯୋଗ ଥିଲା, କେବଳ ଆମେରିକାକୁ ଟାର୍ଗେଟ କରି ଚୀନ୍ ତା’ର ଉହାନ ଲାବୋରାଟୋରୀରେ ଏହି ଜୈବ ଅସ୍ତ୍ର ପ୍ରସ୍ତୁତ କରୁଥିଲା। ଯାହା ସାରା ପୃଥିବୀକୁ କବଳିତ କରିଛି। ଟ୍ରମ୍ପଙ୍କର ଏହି ଅଭିଯୋଗକୁ ଯଦି ସତ୍ୟ ବୋଲି ଧରି ନିଆଯାଏ, ତେବେ ସେ ସଂକ୍ରମିତ ହେବା ପରେ ଚୀନ୍ ତା’ର ମିଶନରେ ସଫଳ ହୋଇଛି ବୋଲି ଉଲ୍ଲେଖ କରିବାରେ ଭୁଲ କ’ଣ? ସଂକ୍ରମିତ ହୋଇଥିବା କଥା ଟ୍ରମ୍ପ ନିଜେ ଟୁଇଟ୍ କରି ଜଣାଇବା ପରେ କେହି ଜଣେ ମନ୍ତବ୍ୟ ଦେଲେ ଯାହା ହେଉ, ପ୍ରଥମ କରି ମିଷ୍ଟର ପ୍ରେସିଡେଣ୍ଟ କିଛି ‘ପଜିଟିଭ୍’ ଟୁଇଟ୍ କଲେ।

ଟ୍ରମ୍ପ କହିଥିଲେ କରୋନା ଏକ ସାମାନ୍ୟ ବେମାର

ଚଳିତ ବର୍ଷ ଜାନୁୟାରୀ ୩୦ରେ ମିଶିଗାନର ୱାରେନ୍‌ରେ ପ୍ରଥମ କରି ଯେତେବେଳେ କରୋନା ସଂକ୍ରମଣ ଦେଖାଦେଲା ସେତେବେଳେ ଟ୍ରମ୍ପ କହିଥିଲେ, ଚାରି ପାଞ୍ଚଜଣ ଅସୁସ୍ଥ ହୋଇଛନ୍ତି, ଏହା ଏକ ସାମାନ୍ୟ ବେମାର। ସଂକ୍ରମଣ କ୍ରମେ ବଢୁଥିବାର ଦେଖି ଏକ ସରକାରୀ ସଭାରେ ଟ୍ରମ୍ପ କହିଥିଲେ, (ଫେବୃୟାରୀ ୧୪) ଗରମ ପଡ଼ିଲେ ସବୁ ଚାଲିଯିବ, ଭାଇରସ୍ ମରିଯିବେ। ସେହି ମାସ ୨୭ ତାରିଖରେ ହ୍ୱାଇଟ୍ ହାଉସଠାରେ ରାଷ୍ଟ୍ରପତି ବିବୃତ୍ତି ମଧ୍ୟ ଆହୁରି ଶାଣିତ ଥିଲା। ‘ଦେଖିବେ ଦିନେ ହଠାତ୍ ସବୁ ଚାଲିଯାଇଛି, ମିରାକଲ୍ ହୋଇଯିବ’।

ଅଗଷ୍ଟ ୧୩ରେ ସେହି ଟ୍ରମ୍ପଙ୍କ ମୁହଁରୁ ଶୁଣିବାକୁ ମିଳିଲା, ‘ମୁଁ ଦେଶର ନାଗରିକମାନଙ୍କୁ ନିବେଦନ କରୁଛି ସେମାନେ ମାସ୍କ ପିନ୍ଧନ୍ତୁ, କାରଣ ଏହା ଏକ ଦେଶାତ୍ମବୋଧକ କାମ। ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ମୁହଁରେ ଥରେ ଅଧେ ମାସ୍କ ଦେଖିବାକୁ ମିଳିଥିଲା। ସେପ୍ଟେମ୍ବର ୨୯ରେ ଦେଶର ପ୍ରଥମ ପ୍ରେସିଡେନସିଆଲ୍ ଡିବେଟ୍ ବେଳେ କିନ୍ତୁ ଟ୍ରମ୍ପ ମାସ୍କ ପିନ୍ଧି ନଥିଲେ। ଯେଉଁଥିପାଇଁ କି ପ୍ରତିଦ୍ୱନ୍ଦ୍ୱୀ ବାଇଡନ୍ ତାଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ। କରୋନାକୁ ତୁଚ୍ଛ ମନେ କରୁଥିବା ଟ୍ରମ୍ପ ଅବଶେଷରେ ସଂକ୍ରମିତ ହେଲେ।

ଲୋକପ୍ରିୟତାକୁ ନେଇ ଟ୍ରମ୍ପଙ୍କ ଆଶଙ୍କା

ଆମେରିକା ଏଭଳି ଏକ ଦେଶ ଯେଉଁଠି ରାଷ୍ଟ୍ରପତି ଯଦି କୌଣସି କାରଣରୁ ଝୁଣ୍ଟି ପଡ଼ନ୍ତି ତେବେ ତାଙ୍କର ଲୋକପ୍ରିୟତାର ପାରଦ ତଳକୁ ଖସିଯାଏ। ଏବେ ରାଷ୍ଟ୍ରପତି କରୋନା ସଂକ୍ରମିତ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏଭଳି ଅବସ୍ଥା ତାଙ୍କର ଲୋକପ୍ରିୟତାକୁ ପ୍ରଭାବିତ କରିବାର ଆଶଙ୍କା ଘାରିଛି ରାଷ୍ଟ୍ରପତି ଟ୍ରମ୍ପଙ୍କୁ। ତେଣୁ ସେ ହସ୍ପିଟାଲରେ ମାତ୍ର ଚାରିଦିନ କଟାଇବା ପରେ ତରବର ହୋଇ ଫେରି ଆସିଛନ୍ତି। ଡାକ୍ତରଙ୍କ ବାରଣ ତାଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ।

ମେରାଇନ୍ ୱାନ୍ ହେଲିକପ୍ଟର ଯୋଗେ ହ୍ୱାଇଟ୍ ହାଉସ୍ ପହଞ୍ଚିବା ପରେ କ୍ୟାମେରା ସାମ୍ନାକୁ ଆସି ଯୋଡ଼ା ‘ଥମ୍ବସ୍ ଅପ୍’ ଦେଖାଇଥିଲେ ଟ୍ରମ୍ପ। ଯାହାର ଅର୍ଥ ଥିଲା -କରୋନା ମୋ ନିକଟରେ ହାର ମାନିଛି। କିନ୍ତୁ ଡାକ୍ତରମାନେ କହିଛନ୍ତି ଯେ, ଟ୍ରମ୍ପଙ୍କ ଶରୀରରେ ଏବେ ମଧ୍ୟ ରହିଛି ସଂକ୍ରମଣ। ତାଙ୍କୁ ଅତିକମ୍‌ରେ ୧୦ ଦିନ ସଙ୍ଗରୋଧରେ ରହିବା ଉଚିତ୍। କିନ୍ତୁ ଟ୍ରମ୍ପଙ୍କ ପାଇଁ କ୍ଷମତା ବଡ଼, କରୋନା ତୁଚ୍ଛ।

ଈଶ୍ୱରଙ୍କ ଆଶୀର୍ବାଦ: ଟ୍ରମ୍ପ

ହସ୍ପିଟାଲରୁ ଫେରିବା ପରେ ଟ୍ରମ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା  ଜାରି କରିଛନ୍ତି। ପାଞ୍ଚ ମିନିଟ୍‌ର ଏହି ଭିଡିଓରେ ଟ୍ରମ୍ପ କହିଛନ୍ତି, ମୋତେ କରୋନା ସଂକ୍ରମଣ ହେବା ଈଶ୍ୱରଙ୍କ ଆଶୀର୍ବାଦ ଥିଲା। ଏହା ଏକ ଅଦୃଶ୍ୟ ଆଶୀର୍ବାଦ। ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ। ମୁଁ ଚାହୁଁଛି ସବୁ ଆମେରିକୀୟଙ୍କୁ ଏଭଳି ଚିକିତ୍ସା ମିଳୁ, ଯେମିତି ରାଷ୍ଟ୍ରପତି ଭାବେ ମତେ ମିଳିଲା। ଭିଡିଓରେ ଟ୍ରମ୍ପ ଚୀନ୍‌କୁ ଆକ୍ରମଣ କରିବାକୁ ଛାଡ଼ି ନାହାନ୍ତି। ସେ କହିଛନ୍ତି ଯେ, ମୋତେ ଚୀନ୍ ଭାଇରସ୍ ସଂକ୍ରମଣ ହୋଇଛି। ଚୀନ୍ ପାଇଁ ଏଭଳି ଘଟିଲା। ଏଥିପାଇଁ ଚୀନ୍‌କୁ ମୂଲ୍ୟ ଦେବାକୁ ପଡ଼ିବ। ସେ ହସ୍ପିଟାଲରୁ ଫେରିବା ପରେ ଦେଶବାସୀଙ୍କୁ ଏକଥା ମଧ୍ୟ କହିଛନ୍ତି ଯେ, କୋଭିଡ୍‌କୁ ଆଦୌ ଡରନ୍ତୁ ନାହିଁ, ଏହାକୁ ନିଜ ଆଡ଼କୁ ଆସିବାକୁ ଦିଅନ୍ତୁ ନାହିଁ।

କରୋନାକୁ ଡର ନାହିଁ, ଗାଦିକୁ ଡର

କରୋନା ସଂକ୍ରମଣକୁ ହେୟଜ୍ଞାନ କରି ଏହି ଅତିମାରୀରେ ଆକ୍ରାନ୍ତ ଓ ମୃତ ସଂଖ୍ୟାରେ ଆମେରିକାକୁ ଏକ ନମ୍ବର ସ୍ଥାନରେ ରଖିଥିବା ଟ୍ରମ୍ପ ପ୍ରଶାସନ ଏବେ ସାରା ଦେଶରେ ସମାଲୋଚିତ। ବିଶେଷକରି ପ୍ରତିଦ୍ୱନ୍ଦ୍ୱୀ ବାଇଡନ୍ ଓ ଡେମୋକ୍ରାଟ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ ତାଙ୍କର ଭୋଟ୍ ପ୍ରଚାର ଅସ୍ତ୍ର ଭାବେ ଟ୍ରମ୍ପ ପ୍ରଶାସନର କରୋନା ବିଫଳତାକୁ ଗ୍ରହଣ କରିଛନ୍ତି।

କରୋନା କାରଣରୁ ଜୀବିକା ହରାଉଥିବା ଆମେରିକାର ଯୁବ ସମାଜ ଏବେ ଟ୍ରମ୍ପ ଶାସନ ବିରୋଧୀ ହୋଇଯାଇଛନ୍ତି। ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିଚଳିତ କରୁଛି। ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ତେଣୁ କୋଭିଡ୍ ସଂକ୍ରମିତ ଟ୍ରମ୍ପ ଅଧିକ ଦିନ ହସ୍ପିଟାଲ୍ ବେଡ୍‌ରେ ଶୋଇ ରହିବାକୁ ଉଚିତ୍ ମନେ କଲେ ନାହିଁ। ଦେଶବାସୀଙ୍କ ସାମ୍ନାକୁ ନ ଆସିଲେ ହାତରୁ କ୍ଷମତା ଖସିଯିବାର ଭୟ ତାଙ୍କୁ ଘାରିବାରୁ ସେ ହସ୍ପିଟାଲରୁ ଚାଲି ଆସିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment