ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୫ରେ ଦେଶରେ ସିନେମା ହଲ୍ ଖୋଲିବା ପରେ ବଲିଉଡ ଅଭିନେତା ବିବେକ ଓବରଏଙ୍କ ଅଭିନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍ ମୋଦୀ’ ଚଳଚ୍ଚିତ୍ରର ହଲ୍ ରିଲିଜ ହେବ। ୨୦୧୯ରେ ପ୍ରଥମେ ନିର୍ମିତ ଏହି ଚଳଚ୍ଚିତ୍ର ସାଧାରଣ ନିର୍ବାଚନ ପାଇଁ ମୁକ୍ତିଲାଭ ପୂର୍ବରୁ ହିଁ ବିବାଦୀୟ ହୋଇ ପଡ଼ିଥିଲା।

ତେବେ ଅକ୍ଟୋବର ୧୫ରେ ସିନେମା ହଲ୍‌ରେ ଏହି ଫିଲ୍ମ ରିଲିଜ ହେବା ନେଇ ଚଳଚ୍ଚିତ୍ର ସମାଲୋଚକ ତଥା ଆନାଲିଟିକ୍ସ ତରନ ଆଦର୍ଶ ଶନିବାର ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ସମାନ ଲୁକ୍‌ରେ ଥିବା ଅଭିନେତା ଓବରଏଙ୍କ ଏହି ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର ସେ କରିଛନ୍ତି।

୨୦୧୯ ମେ ୨୪ରେ ପ୍ରଥମେ ମୁକ୍ତିଲାଭ କରିଥିବା ଏହି ସିନେମାରେ ବିବେକ ଓବରଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରିତ୍ର ଭୂମିକାରେ ଅଭିନୟ କରି ନଅଟି ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଏହି ସିନେମାରେ ବମନ ଇରାନୀ, ମନୋଜ ଯୋଶୀ, ପ୍ରଶାନ୍ତ ନାରାୟଣନ, ବରଖା ବିଷ୍ଟ୍, ରାଜେନ୍ଦ୍ର ଗୁପ୍ତା ଏବଂ ଜରିନା ୱାହାବ ମଧ୍ୟ ଅଭିନୟ କରିଛନ୍ତି।ସନ୍ଦୀପ ସିଂ, ଆନନ୍ଦ ପଣ୍ଡିତ ଏବଂ ସୁରେଶ ଓବରୋଇଙ୍କ ଦ୍ୱାରା ନିର୍ମିତ ଏହି ବାୟୋପିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୀତିକ ଜୀବନ ଯାତ୍ରା ପ୍ରଦର୍ଶିତ ହୋଇଛି।

Comment