ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍  ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ବଞ୍ଚିବା ପାଇଁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ସଠିକ୍ ଟିକାର ସନ୍ଧାନରେ ଲାଗିପଡ଼ିଛନ୍ତି। ହେଲେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନଙ୍କ ଏକ ମନ୍ତବ୍ୟ ଯୁବବର୍ଗ ପାଇଁ ଚିନ୍ତା ଆଣିଦେଇଛି।

ସ୍ୱାମୀନାଥନ କହିଛନ୍ତି ଯେ, ଆସନ୍ତା ୨୦୨୨ ପର୍ଯ୍ୟନ୍ତ କରୋନା ଟିକା ଯୁବକ ଓ ଯୁବତୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ। କରୋନା ଟିକା ଆସିବା ପରେ ଏହା ପ୍ରଥମେ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଲୋକ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଦିଆଯିବ।

ଏଥିସହ ସ୍ୱାମୀନାଥନ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ ସୁଦ୍ଧା କୌଣସି ନା କୌଣସି କରୋନା ଟିକା ଆସିଯିବ। ଟିକା ଆସିବା ପରେ ଏହା ପ୍ରଥମେ ବୟସ୍କ, ଫ୍ରଣ୍ଟ୍ ଲାଇନ୍ ହିରୋମାନଙ୍କୁ ଦିଆଯିବ। ଯୁବବର୍ଗଙ୍କ ପାଖରେ ଏହି ଟିକା ପହଞ୍ଚିବାକୁ ୨୦୨୨ ମସିହା ହୋଇଯିବ ବୋଲି ସେ କହିଛନ୍ତି।

ଯୁବବର୍ଗଙ୍କ କ୍ଷେତ୍ରରେ କରୋନା ମୃତ୍ୟୁର ପରିମାଣ ସେତେଟା ଗୁରୁତର ନଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଉଛି। କିଛି ଦିନ ତଳେ ଭାରତର କୋଭିଡ୍ ରିପୋର୍ଟ ଦେବା ସମୟରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ, ଦେଶରେ ୧୮ରୁ ୨୫ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କରୋନା ମୃତ୍ୟୁ ପ୍ରତିଶତ ମାତ୍ର ୧ ପ୍ରତିଶତ। ସେହିପରି ୨୬ରୁ ୪୪ ବର୍ଷ ଭିତରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୦ ପ୍ରତିଶତ। କରୋନାରେ ଅଧକତଃ ବୟସ୍କ ଲୋକମାନେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ତେଣୁ କରୋନା ଟିକା ଆସିବା ପରେ ଏହା ପ୍ରଥମେ ବୟସ୍କ ଲୋକଙ୍କୁ ଦିଆଯିବ। ଏହାପରେ ସମ୍ଭବତଃ ୨୦୨୨ ବେଳକୁ ଯୁବବର୍ଗଙ୍କୁ କରୋନା ଟିକା ମିଳିପାରିବ ବୋଲି ଆକଳନ କରାଯାଉଛି।

 

Comment