ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆସନ୍ତା ୧୯ରୁ ଦିନ ବେଳା ବୁଲିବାକୁ ଆସିପାରିବେ ପର୍ଯ୍ୟଟକ
  • ଜାରି ହେଲା କଡ଼ା ଏସ୍‌ଓପି
  • ଦିନକୁ ୫୦୦ ପର୍ଯ୍ୟଟକ ଆସିପାରିବେ
  • ଥଣ୍ଡା, କାଶ, ଜ୍ଵର ଥିଲେ ଆସିବା ମନା
  • ସାମାଜିକ ଦୂରତ୍ଵ ଓ ମାସ୍କ ବାଧ୍ୟତାମୂଳକ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅକ୍ଟୋବର ୧୯ ତାରିଖରୁ ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଦିନ ବେଳା ଆସିପାରିବେ ପର୍ଯ୍ୟଟକ। ଏନେଇ ସରକାର ଅନୁମତି ଦେଇଛନ୍ତି। ତେବେ ଏଥିପାଇଁ ପର୍ଯ୍ୟଟକ, ବନ କର୍ମଚାରୀ ଓ ଡଙ୍ଗାରେ ପରିବହନ କର୍ମଚାରୀଙ୍କ ପାଇଁ କଡ଼ା ଏସ୍‌ଓପି ଜାରି ହୋଇଛି। ଏହି କଟକଣା ଟିକେଟ ବୁକିଂଠାରୁ ଆରମ୍ଭକରି ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ମାନିବାକୁ ପଡ଼ିବ।

ଦୀର୍ଘ ୭ ମାସ ଧରି ବନ୍ଦ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅକ୍ଟୋବର ମାସରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ତେବେ କେବଳ ରାତ୍ର ରହଣି ପାଇଁ ଟିକେଟ୍ କରିଥିବା ପର୍ଯ୍ୟଟକ ଏହି ସୁବିଧା ପାଉଥିଲେ। ରାତ୍ର ରହଣି ପାଇଁ ମାତ୍ର ୩୬ ଜଣ ପର୍ଯ୍ୟଟକ ରହିବ ବ୍ୟବସ୍ଥା ଥିବାରୁ ଭିତରକନିକା ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ନିରାଶ ହେଉଥିଲେ।ଏଥିସହ ଦିନବେଳା ଏଠାକୁ ବୁଲିବାକୁ ଆସିପାରୁନଥିଲେ ପର୍ଯ୍ୟଟକ। ଫଳରେ ଏହି ପର୍ଯ୍ୟଟନ କେନ୍ଦ୍ର ଉପରେ ନିର୍ଭର କରୁଥିବା ବୋଟ୍ କର୍ମଚାରୀ ଓ ଟୁର୍ ଅପରେଟରମାନେ ରୋଜଗାର ହରାଇଥିଲେ। ଏପରିକି ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ରହିଥିବା ହୋଟେଲ, ଛୋଟ ଦୋକାନୀ ଓ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା କଟେଜରୁ ରୋଜଗାର ଠପ୍ ହୋଇଯାଇଥିଲା।

ତେବେ ଆସନ୍ତା ୧୯ ତାରିଖରୁ ଜାତୀୟ ଉଦ୍ୟାନ ଦିନ ବେଳା ଖୋଲିବାକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ଅନେକ କଟକଣା ଜାରି କରିଛନ୍ତି। ଫଳରେ ପର୍ଯ୍ୟଟକ, ବନ କର୍ମଚାରୀ ଓ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ହୋଇପାରିବ ବୋଲି କୁହାଯାଇଛି।

ନୂଆ ଏସ୍‌ଓପି ଅନୁଯାୟୀ, ଟିକେଟ ବୁକିଂ ସମୟରେ କାଉଣ୍ଟର ନିକଟରେ ଧାଡ଼ିରେ ଠିଆ ହୋଇ ସାମାଜିକ ଦୂରତା ବଜାୟ ରଖି ପର୍ଯ୍ୟଟକମାନେ ଟିକେଟ କରିବେ। ଏହି ସମୟରେ ବିଭାଗୀୟ କର୍ମଚାରୀ ଏହାକୁ ତଦାରଖ କରିବେ। ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବାକୁ ଗୁପ୍ତି, ଖୋଳା, ଚାନ୍ଦବାଲିଠାରୁ ପର୍ଯ୍ୟଟକମାନେ ବୋଟ୍‌ରେ ଆସିଥାନ୍ତି ଓ ଅନେକ ସିଧାସଳଖ ରାସ୍ତାରେ ଆସିଥାନ୍ତି। କିନ୍ତୁ ସମସ୍ତ ପ୍ରବେଶ ପଥ ଦେଇ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବଶ କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦୦ରେ ସୀମିତ ରଖାଯାଇଛି।ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରୁଥିବା ପଥରେ ବିଭିନ୍ନ କଟକଣା ରହିଛି। ଥଣ୍ଡା, କାଶ ଓ ଜ୍ଵର ଥିବା ପର୍ଯ୍ୟଟକମାନେ ଟିକେଟ୍ କରିଥିଲେ ମଧ୍ୟ ସେମାନେ ଜାତୀୟ ଉଦ୍ୟାନ ମଧ୍ୟକୁ ପଶିପାରିବେ ନାହିଁ। ବୟସ୍କ ଓ ଛୋଟ ପିଲାମାନଙ୍କୁ ଏ ସମୟରେ ନ ଆସିବାକୁ କୁହାଯାଇଛି।

ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ସମୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି। ଉଦ୍ୟାନ ମଧ୍ୟରେ ଗହଳି ନ କରି ସାମାଜିକ ଦୂରତ୍ଵ ବଜାୟ ରଖିବାକୁ କୁହାଯାଇଛି। ଏଣେ ତେଣେ ନବୁଲି ନିର୍ଦ୍ଦିଷ୍ଟ ଟ୍ରାକ୍ ମଧ୍ୟରେ ବୁଲିବାକୁ ନିର୍ଦ୍ଦେଶ ରହିଛି।

ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟରେ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ସ୍ଵତନ୍ତ୍ର ନିୟମ କରାଯାଇଛି। ଡଙ୍ଗାରେ ଥିବା ସିଟ୍ ମଧ୍ୟରୁ ୫୦ ପ୍ରତିଶତ ସିଟ୍‌ରେ ପର୍ଯ୍ୟଟକମାନେ ଯାଇପାରିବେ। ଡଙ୍ଗା ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବାକୁ କୁହାଯାଇଛି। ଡଙ୍ଗାରେ ବସିବା ବେଳେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ଵ ରଖିବେ।ପାର୍କ ମଧ୍ୟରେ ବୁଲିବା ବେଳେ ପର୍ଯ୍ୟଟକମାନେ କୌଣସି କରିଡରକୁ ଛୁଇଁବେ ନାହିଁ। ଗୁଟ୍‌ଖା ଖାଇ ଏଣେ ତେଣେ ଛେପ ପକାଇବା, ଧୂମାପାନ କରିବା ଉପରେ କଟକଣା ରହିଛି। ଟିକେଟ୍ କାଉଣ୍ଟର, ପ୍ରବେଶ ଓ ପ୍ରସ୍ଥାନ ପଥରେ ଥିବା ବିଭାଗୀୟ କର୍ମଚାରୀମାନେ ଫେସ୍ ସିଲ୍ଡ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିବେ।

କ୍ୟାଣ୍ଟିନରେ ପର୍ଯ୍ୟଟକଙ୍କ ପାଇଁ ବାସନ ବଦଳରେ ଡିସ୍ପୋଜେବଲ୍ ପାତ୍ର ବ୍ୟବହାର କରାଯିବ। ପର୍ଯ୍ୟଟକ ସାଙ୍ଗରେ କେବଳ ପିଇବାପାଣି ଆଣି ପାରିବେ। କୁମ୍ଭୀର ପ୍ରଜନନ ସ୍ଥଳକୁ ପର୍ଯ୍ୟଟକମାନେ ଯାଇପାରିବୋ ନାହିଁ, କେବଳ ବାହାରୁ ଦେଖି ପାରିବେ। ଅଟୋରେ ବୁଲିବା ବେଳେ ୫୦ ପ୍ରତିଶତ ସିଟ୍‌ରେ ବସିବାକୁ ବ୍ୟବସ୍ଥା ରହିଛି।

ଅଟୋରେ କେବଳ ଭିନ୍ନକ୍ଷମ, ବୟସ୍କ, ଛୋଟପିଲା ଓ ମହିଳାମାନେ ଯାଇପାରିବେ। ରାତ୍ର ରହଣି ପାଇଁ ଥିବା ପର୍ଯ୍ୟଟକମାନେ ରୁମ୍‌ରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ଲଗେଜ୍‌ଗୁଡ଼ିକୁ ବାହାରେ ବିଶୋଧନ କରାଯିବ। ପାର୍କ ମଧ୍ୟରେ ବୁଲୁଥିବା ବନ୍ୟପ୍ରାଣୀଙ୍କ ନିକଟକୁ ଯିବାକୁ ବାରଣ କରାଯାଇଛି।ଏହାଛଡ଼ା ପାର୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ସାନିଟାଇଜରର ବ୍ୟବସ୍ଥା କରିଛି ବନବିଭାଗ। ଏସବୁ କଟକଣା ମଧ୍ୟରେ ଆସନ୍ତା ୧୯ ତାରିଖ ଠାରୁ ଭିତରକନିକା ମଧ୍ୟକୁ ପର୍ଯ୍ୟଟକମାନଙ୍କ ବୁଲିବାକୁ ବ୍ୟବସ୍ଥା କରାଯାଇଛି।

Comment