ଓଡ଼ିଶାଲାଇଭ୍ ବ୍ୟୁରୋ

ଆରୋଗ୍ୟ ସେତୁ ଆପ୍‌କୁ କିଏ ତିଆରି କରିଛି ସେନେଇ ବିବାଦ ଲାଗିରହିଛି। ଏ ବାବଦରେ ସୂଚନା ଦେଉନଥିବାରୁ ଜାତୀୟ ସୂଚନା କେନ୍ଦ୍ର(ଏନ୍‌ଆଇସି)କୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ନୋଟିସ୍ ପାଇବା ପରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। କରୋନାକୁ ପ୍ରତିହତ କରିବା ପାଇଁ ସରକାର ଘରୋଇ ସହଯୋଗ ଦ୍ଵାରା ଏହି ଆପ୍ ତିଆରି କରିଥିବା ସୂଚନା ଦେଇଛନ୍ତି।

ଆରୋଗ୍ୟ ସେତୁ ଆପ୍‌କୁ କିଏ ପ୍ରସ୍ତୁତ କରିଛି ସେ ବିଷୟରେ ଜାଣିବାକୁ ଏକ ଆର୍‌ଟିଆଇ ଦାଖଲ ହୋଇଥିଲା। କିନ୍ତୁ ଏହି ଆପ୍‌ର ଡେଭେଲପର ଥିବା ଜାତୀୟ ସୂଚନା କେନ୍ଦ୍ର କୌଣସି ସୂଚନା ଦେବାକୁ ମନା କରିଦେଇଥିଲା। ଉକ୍ତ ଆର୍‌ଟିଆଇର ଉତ୍ତରରେ ଜାତୀୟ ସୂଚନା କେନ୍ଦ୍ର କହିଥିଲା ଯେ, ଆରୋଗ୍ୟ ସେତୁକୁ କିଏ ପ୍ରସ୍ତୁତ କରିଛି ସେ ବିଷୟରେ ଏନ୍‌ଆଇସି ପାଖରେ କୌଣସି ତଥ୍ୟ କିମ୍ବା ସୂଚନା ନାହିଁ।ଏନ୍‌ଆଇସି ହେଉଛି ଏକ ସରକାରୀ ସଂସ୍ଥା, ଯାହାକି ସରକାରୀ ଓ୍ଵେବ୍‌ସାଇଟ୍ ଓ ଆପ୍‌ ପ୍ରସ୍ତୁତ କରିଥାଏ। କିନ୍ତୁ ଆରୋଗ୍ୟ ସେତୁ ବିଷୟରେ ସୂଚନା ଦେବାକୁ ଅସମର୍ଥ ହେବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ତରଫରୁ ଜାତୀୟ ସୂଚନା କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ନୋଟିସ୍ ଜାରି ହେବା ପରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ଆରୋଗ୍ୟ ସେତୁ ଆପ୍‌କୁ ୨୧ ଦିନର ରେକର୍ଡ ସମୟ ମଧ୍ୟରେ ତିଆରି କରାଯାଇଛି। ଲକ୍‌ଡାଉନ୍ କଟକଣା ଭିତରେ ଏହି ଆପ୍ ସାହାଯ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ଲକ୍ଷ୍ୟ ନେଇ ଏହି ଆପ୍‌କୁ ପ୍ରସ୍ତୁତ କରାଯାଇଥିଲା।

ଏହାକୁ ବିଶେଷଜ୍ଞ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏଥିରେ ଜନସାଧାରଣଙ୍କ ବିଶେଷ ସହଯୋଗ ଥିବା କୁହାଯାଇଛି। ଏହି ଆପ୍‌କୁ ୨୬ ମଇ ୨୦୨୦ରେ ଆରୋଗ୍ୟ ସେତୁ ଆପ୍‌କୁ ସାର୍ବଜନୀନ କରାଯାଇଥିଲା। ଆରୋଗ୍ୟ ସେତୁ ଟ୍ଵିଟର ହ୍ୟାଣ୍ଡେଲରୁ ମଧ୍ୟ ଟୁଇଟ୍ କରାଯାଇଥିଲା।

ଭାରତରେ କୋଭିଡ୍-୧୯ ସମୟରେ ଆରୋଗ୍ୟ ସେତୁର ଭୂମିକାକୁ ନେଇ କାହାରି ମନରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Comment