ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ମଣ୍ଡପଗୁଡ଼ିକରେ ୪ ଫୁଟରୁ କମ୍ ଉଚ୍ଚର ମୂର୍ତ୍ତି ପୂଜା ପାଉଛନ୍ତି। ମେଢ଼ ସାଜସଜ୍ଜାଠାରୁ ଆରମ୍ଭ କରି ତୋରଣ ପର୍ଯ୍ୟନ୍ତ ସବୁକିଛି ଏଥର ଫିକା ପଡ଼ିଛି। ତଥାପି ଭକ୍ତମାନେ ନିଜ ଭାବ-ଭକ୍ତିରେ ମା’ଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି।

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ମୁତୟନ ହୋଇଛନ୍ତି। ସରକାରୀ ନିୟମ ଅନୁଯାୟୀ ମଣ୍ଡପଗୁଡ଼ିକୁ ତିନିପଟୁ ଆବଦ୍ଧ କରି ମା’ଙ୍କୁ ପୂଜା କରାଯାଉଛି। ତେଣୁ ଭକ୍ତମାନେ ମା’ଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିପାରୁନାହାନ୍ତି।କେନ୍ଦ୍ରାପଡ଼ାର ଲୋକମାନେ ମୁଖ୍ୟତଃ କୃଷି ଓ ବ୍ୟବସାୟ ଉପରେ ନିର୍ଭର କରି ଚଳନ୍ତି। କୁହାଯାଏ ଯେ କୃଷିପ୍ରଧାନ ଜିଲ୍ଲା କେନ୍ଦ୍ରାପଡ଼ାକୁ କେବଳ ମା’ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଭରଷା। ସେଥିପାଇଁ ପ୍ରତିବର୍ଷ ମା’ ଲକ୍ଷ୍ମୀଙ୍କ ପୂଜାକୁ  ଧୁମଧାମରେ ପାଳନ କରିବାକୁ ଜିଲ୍ଲାବାସୀ ଅପେକ୍ଷା କରିଥାନ୍ତି।

ଦୀର୍ଘ ୧୯୨୮ ମସିହାରୁ କେନ୍ଦ୍ରାପଡ଼ା ସହରରେ ଗଜଲକ୍ଷ୍ମୀ ପୂଜା ହୋଇଆସୁଛି। କୁହାଯାଏ ଯେ, କେନ୍ଦ୍ରାପଡ଼ା ସହରର କିଛି ବ୍ୟବସାୟୀ ଆଳି ବ୍ଲକ ଅନ୍ତର୍ଗତ ସାନମଙ୍ଗ ଗାଁକୁ ବେପାର କରିବାକୁ ଯାଇଥିଲେ। ସେତେବେଳେ ସାନମଙ୍ଗ ଗାଁର ଲୋକମାନେ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପାଇଁ ଗଜଲକ୍ଷ୍ମୀଙ୍କୁ ପୂଜା କରୁଥିଲେ। ସେହିଠାରୁ ପ୍ରେରଣ। ପାଇ କେନ୍ଦ୍ରାପଡ଼ାର ଉକ୍ତ ବ୍ୟବସାୟୀମାନେ କେନ୍ଦ୍ରାପଡ଼ା ସହରରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ।ଏହା ଛଡ଼ା କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାଟଦେଉଳରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ରହିଥିବାରୁ ପ୍ରାୟ ୩୦୦ ବର୍ଷରୁ ଅଧିକ କାଳରୁ ଏଠାରେ ଗଜଲକ୍ଷ୍ମୀଙ୍କୁ ପୂଜା କରାଯିବାର ପ୍ରମାଣ ମିଳେ। କେନ୍ଦ୍ରାପଡ଼ା ସହରରର ପୁରୁଣା ବ୍ୟବସାୟୀ ମାରଓ୍ଵାଡି ବଂଶର ଜହରୀ ଲାଲ ଓ ତଙ୍କ ସହଯୋଗୀଙ୍କ ଉଦ୍ୟମରେ ଏହି ପୂଜା ବ୍ୟାପକ ହୋଇଥିବା କୁହାଯାଏ।

କେନ୍ଦ୍ରାପଡ଼ା ସହରରେ ବିଭିନ୍ନ ସାହି ବସ୍ତିରେ ଗଜଲକ୍ଷ୍ମୀଙ୍କ ସହିତ ଅନ୍ୟ ଦେବାଦେବୀଙ୍କର ପ୍ରାୟ ୭୦ରୁ ଅଧିକ ମୃଣ୍ମୟ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। ଗଜଲକ୍ଷ୍ମୀଙ୍କ ପୂଜା କେବଳ କେନ୍ଦ୍ରାପଡା ସହରରେ ସୀମିତ ହୋଇ ରହିନାହିଁ। ଜିଲ୍ଲାର ମାର୍ଶାଘାଇ, ମହାକାଳପଡ଼ା, ଚାନ୍ଦୋଳ, ଡେରାବିଶ, ଛତା, ଓଲଡ଼ିହି, ଆଳି, ରାଜନଗର, ପାଟକୁରା ଆଦି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଉଛି।

Comment