ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକା ଆସିବା ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନେକଗୁଡ଼ିଏ କମିଟି ଗଠନ କରାଯିବ। ରାଜ୍ୟରେ କରୋନା ଟିକାକରଣ ପ୍ରାୟ ଏକ ବର୍ଷ ଧରି ଚାଲିବ ବୋଲି ଜଣାପଡ଼ିଛି।

ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏନେଇ ପତ୍ର ଲେଖିଛନ୍ତି। ସେହି ପତ୍ର ଅନୁସାରେ ଓଡ଼ିଶାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ତା’ ସହିତ ଜିଲ୍ଲା ଓ ରାଜ୍ୟ ସ୍ତରରେ ଟାସ୍କଫୋର୍ସ ଗଠନ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଟିକା ପ୍ରଦାନ ଏକ ବର୍ଷ ଧରି ଚାଲିବ ଓ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଏହା ଆରମ୍ଭ ହେବ। ଏଥିପାଇଁ ଏକ ଦକ୍ଷ ପରାମର୍ଶଦାତାମଣ୍ଡଳି ଓ ସମନ୍ୱୟ ରକ୍ଷା ବ୍ୟବସ୍ଥା ରହିବା ନିତାନ୍ତ ଜରୁରୀ ବୋଲି ଶ୍ରୀ ଭୂଷଣ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।corona vaccine-1ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଓ ଟାସ୍କଫୋର୍ସ ଗଠନ ନେଇ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟ ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ରହିବେ। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ପରିଗଣିତ ହେବେ। ଏ ଦୁହିଁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରକାର ପରିଚାଳନା କମିଟି ଗଠିତ ହେବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଟିକାକରଣ ଏଭଳି ଭାବରେ ହେବା ଦରକାର ଯେପରିକି ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କୌଣସି ଆଞ୍ଚ୍ ଆସିବ ନାହିଁ। ଯେହେତୁ ଟିକା ପ୍ରଥମେ ଅଳ୍ପ ପରିମାଣର ଆସିବ, ତେଣୁ ପ୍ରଥମେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଟିକା ଦିଆଯିବ।

Comment