ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରାୟ ୧୪ ହଜାରରୁ ଅଧିକ ପ୍ରାଥମିକ, ନିମ୍ନ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି।

ଏହାକୁ ନେଇ ଓଡ଼ିଶା ଶିକ୍ଷାଧିକାର ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମୀକରଣ ନାମରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ କରିଦିଆଯିବା ଦୁର୍ଭାଗ୍ୟଜନକ ବୋଲି ମଞ୍ଚ କହିଛି। ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକ ପତ୍ରରେ କୁହାଯାଇଛି ଯେ, ବିନା ବିଚାରରେ ସ୍କୁଲ ବନ୍ଦ ହେବା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାଧିକାର କ୍ଷୁର୍ଣ୍ଣ ହେବ ଓ ଏକ ଅବହେଳିତ ସମାଜ ଆଡ଼କୁ ଏହା ବାଟ ଫିଟାଇବ।୨୦୨୦ ମାର୍ଚ୍ଚ ୭ ତାରିଖର ବିଜ୍ଞପ୍ତିକୁ ଉଦ୍ଧାର କରି ମଞ୍ଚ କହିଛି ଯେ, ଗଣଶିକ୍ଷା ବିଭାଗ ୧୪୩୩୯ ପ୍ରାଇମେରୀ ଓ ଅପର୍ ପ୍ରାଇମେରୀ ସ୍କୁଲ ବନ୍ଦ କରିବା ପାଇଁ ସ୍ଥିର କରିଛି- ବିଶେଷ କରି ଯେଉଁ ସବୁ ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି।

ଏଥିରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି। ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆଦିବାସୀ ଗୋଷ୍ଠୀ ଭିତରେ ଆଲୋଚନା କରାଯାଇ ନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି।

ମଞ୍ଚ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ଯେ ୫୬ଟି ଟ୍ରାଇବାଲ ସବ୍ ପ୍ଲାନ୍ ଅଞ୍ଚଳର ୨୫ ପ୍ରତିଶତ ସ୍କୁଲ ବନ୍ଦ ହେବ। ଯେଉଁ ଜିଲ୍ଲାରେ ବିପୁଳ ସଂଖ୍ୟକ ସ୍କୁଲ ବନ୍ଦ ହେବ ସେଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ମୟୂରଭଞ୍ଜ।ପତ୍ରରେ ଏକଥା ମଧ୍ୟ କୁହାଯାଇଛି ଯେ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଛୋଟ ଛୋଟ ଘର ଓ ପଡ଼ା ରହିଛି। ଏଠି ଥିବା ସ୍କୁଲ ବନ୍ଦ ହେଲେ ଆଦିବାସୀ ପିଲା ଆଉ ସ୍କୁଲକୁ ଯିବେ ନାହିଁ କାରଣ ଦୂରତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଅନୁଭୂତିରୁ ଦେଖାଯାଇଛି ଯେ ଘର ଠାରୁ ସ୍କୁଲ ଯେତେ ଦୂର ହେବ ଶ୍ରେଣୀରେ  ପିଲାଙ୍କ ଉପସ୍ଥାନ ସେତିକି କମ୍ ହେବ। ପିଲାମାନେ ଦୂର ସ୍କୁଲକୁ ପଢ଼ିବାକୁ ଗଲେ ବାପା ମା’ ସେମାନଙ୍କ ଖବର ରଖିପାରିବେ ନାହିଁ।

ନିଜ ଘର ପାଖରେ ସ୍କୁଲ ରହିଲେ ଛାତ୍ର ଓ ବିଶେଷ କରି ଛାତ୍ରୀମାନେ ପାଠ ପଢିବା ପାଇଁ  ଉତ୍ସାହିତ ହେବେ। ଯଦି ଆଦିବାସୀ ଛାତ୍ରୀମାନଙ୍କୁ ଦୂର ସ୍କୁଲକୁ ଯିବାକୁ ହେବ ସେମାନେ ଆଦୌ ଘରୁ ବାହାରିବେ ନାହିଁ। ଏହାର ଅର୍ଥ କନ୍ୟାଙ୍କ ବସ୍ତାନିରେ ସବୁଦିନ ପାଇଁ ଡୋର ବନ୍ଧା ହେବ ବୋଲି ମଞ୍ଚ ଯୁକ୍ତି ବାଢ଼ିଛି।

Comment