ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ କୋର୍ଟ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ୩ ଏକର ଲେଖାଏଁ ଜମି ପ୍ରଦାନ କରି ସାରିଛନ୍ତି। ତେଣୁ କୋଣାର୍କରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟକ୍ଲାସ୍ (ଜେଏମ୍‌ଏଫ୍‌ସି) କୋର୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ପଟ୍ଟା ପ୍ରଦାନ ଲାଗି ରାଜସ୍ୱ ବିଭାଗ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ଏହି ଆଦେଶକୁ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଓ ବିଚାରପତି ଜଷ୍ଟିସ୍ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

୨୦୧୫ ମସିହାରୁ କୋଣାର୍କରେ ଜେଏମ୍‌ଏଫ୍‌ସି ଅଦାଲତ ତଥା ସିଭିଲ୍ ଜଜ୍‌ (ଜୁନିଅର ଡିଭିଜନ୍‌) ଅଦାଲତ ଆରମ୍ଭ ହୋଇଥିଲା। ସ୍ଥାୟୀ ଗୃହ ନଥିବାରୁ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କ ପୁରୁଣା କାର୍ଯ୍ୟାଳୟରେ ଏହି କୋର୍ଟ ଚାଲିଥିଲା। ଏହି କୋର୍ଟ ଲାଗି ପ୍ରଥମେ ମାଧପୁର ମୌଜାରେ ୫ ଏକର ଜମି ଚିହ୍ନଟ ହୋଇଥିଲା। ଜମି ହସ୍ତାନ୍ତର ଲାଗି ସମସ୍ତ ଔପଚାରିକତା ଶେଷ ହୋଇଥିଲେ ମଧ୍ୟ ଏହି ଜମି ପ୍ରଦାନ କରାଯାଇନଥିଲା।

ଏହା ପରେ ୨୦୧୮ ମସିହାରେ ଅନ୍ୟ ଏକ ସ୍ଥାନରେ ୪ ଏକର ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ସେବେଠାରୁ ଜମି ହସ୍ତାନ୍ତର ପ୍ରକ୍ରିୟା ନଆଗେଇବାରୁ କୋଣାର୍କ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟିର ଅଧ୍ୟକ୍ଷ ଶ୍ରୀଜୟ କୁମାର ବରାଳ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ସରକାର ହାଇକୋର୍ଟଙ୍କ ସହ ବିଚାର ବିମର୍ଶ କରି ବିଭିନ୍ନ ସ୍ଥାନରେ ଅଦାଲତ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଛନ୍ତି। ହାଇକୋର୍ଟ ପ୍ରଶାସନିକ ସ୍ତରରେ ଏହିଭଳି ଅଦାଲତ ପ୍ରତିଷ୍ଠା ଲାଗି ୩ ଏକର ଲେଖାଏଁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ଆଉ ଅଧିକ କିଛି ନିଷ୍ପତ୍ତି ନେବାର ନାହିଁ।

ମାଧପୁରରେ କୋର୍ଟ ପ୍ରତିଷ୍ଠା ଲାଗି ଏକ ଜମି ଚିହ୍ନଟ କରାଯାଇଛି, ଯାହାର କିସମ ବାଲିକୁଦ ବା ଗୋଚର। ତେଣୁ କୋର୍ଟ ପ୍ରତିଷ୍ଠା ଲାଗି ଏହି ଜମିର ଏକ ପ୍ଲଟ୍‌ର ପଟ୍ଟା ପ୍ରଦାନ କରିବାକୁ ହାଇକୋର୍ଟ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜମିଟି ଗୋଚର ହୋଇଥାଏ ତାହେଲେ ପ୍ରଥମେ ସମାନ ପରିମାଣର ଜମି ଗୋଚର ପାଇଁ ସଂରକ୍ଷିତ ରାଖାଯିବା ଆବଶ୍ୟକ। ଏପରିକି କୌଣସି ପରିସ୍ଥିତିରେ କୋର୍ଟ ପାଇଁ ଖାଲୁଆ ଅଞ୍ଚଳ କିମ୍ବା ବାଲି ଭର୍ତ୍ତି ଅଞ୍ଚଳ ନେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Comment