ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିକୂଳ ବ୍ୟବସାୟିକ ପରିବେଶ ସତ୍ତ୍ୱେ ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ୨୦୨୦-୨୧ ଆର୍ଥିକ ବର୍ଷରେ ୧୦୭.୪୫ କୋଟି ଟଙ୍କା ନିଟ୍‌ ଲାଭ କରିଛି। ଏହି ତ୍ରୈମାସରେ କମ୍ପାନି ୨୩୭୫ କୋଟି ଟଙ୍କା କାରବାର କରି ପ୍ରଥମ ତ୍ରୈମାସ ତୁଳନାରେ ୭୨ ପ୍ରତିଶତ ଅଭିବୃଦ୍ଧି କରିଅଛି।

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନି ୧୩୮୧ କୋଟି ଟଙ୍କାର କାରବାର କରିଥିଲା। ବର୍ଷର ପ୍ରଥମ ୬ ମାସରେ କମ୍ପାନୀ ୧୨୪ କୋଟି ଟଙ୍କା ନିଟ୍ ଲାଭ କରିଛି। ଗତ ବର୍ଷ ଏହି ସମୟସୀମା ମଧ୍ୟରେ ଏହି ପରିମାଣ ୭୦ କୋଟି ଟଙ୍କା ଥିଲା।

ଉତ୍ପାଦନ କ୍ଷେତ୍ରରେ ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୭.୦୪ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବା ବେଳେ ଆଲୁମିନା ହାଇଡ୍ରେଟ ଉତ୍ପାଦନ ୪.୮୭ ଲକ୍ଷ ଟନ୍ ଥିଲା। ଏହି ସମୟ ସୀମାରେ କମ୍ପାନି ୧.୦୬ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଥିଲା।

ଦେଶର ଅନ୍ୟତମ ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ଭାବେ ନାଲକୋ ରପ୍ତାନି କ୍ଷେତ୍ରରେ ମଧ୍ୟ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ଅଛି। ନାଲକୋ ଏହି ଦ୍ୱିତୀୟ ତ୍ରୈମାସରେ ମୋଟ ୫୮,୫୭୪ ମେଟ୍ରିକ ଟନ୍ ଆଲୁମିନିୟମ ବିକ୍ରୟ କରିଅଛି ଯାହା ଗତ ବର୍ଷ ଏହି ସମୟରେ ୧୬,୩୦୫ ମେଟ୍ରିକ ଟନ୍ ଥିଲା। ଏହି ତ୍ରୈମାସରେ ମୋଟ ଆଲୁମିନା ବିକ୍ରୟ ୨୮୫,୭୧୮ ମେଟ୍ରିକ ଟନ୍ ହୋଇଅଛି।

ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନି ତିନି ଗୁଣା ଆଭିବୃଦ୍ଧି ସହିତ ୯୩,୭୩୦ ମେଟ୍ରିକ୍ ଟନ୍ ଆଲୁମିନିୟମ୍ ରପ୍ତାନି କରିଅଛି ଯାହା ଗତ ବର୍ଷ ଏହି ସମୟରେ ୩୦,୫୬୧ ମେଟ୍ରିକ୍ ଟନ୍ ଥିଲା।

“ଚଳିତ ବର୍ଷ ଅପ୍ରତ୍ୟାଶିତ ପରିସ୍ଥିତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଅଛି। ପ୍ରତିକୂଳ ପରିସ୍ଥିତି ତଥା ବଜାର ମାନ୍ଦାବସ୍ଥା ଏବଂ କୋଭିଡ୍ ମହାମାରୀର ପ୍ରଭାବ ସତ୍ତ୍ୱେ ନାଲକୋର ଦଳଗତ ପ୍ରଚେଷ୍ଟା ନିଜର ଉତ୍ପାଦନ ଏବଂ ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରି ପାରିଅଛି। କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହିତ ନିଜର ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦନ ଉପଲଭ୍ଧ କରାଇବା ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ”, ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷ  ଶ୍ରୀଧର ପାତ୍ର ଏହା କହିଛନ୍ତି।

Comment