ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତିବାଦ କରି ବୁଧବାର ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର କର୍ମୀମାନେ କରୋନା ନିୟମ ପାଳନ ପୂର୍ବକ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି।

“ଓଡ଼ିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି”, ପର୍ଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ ହାତକୁ ନେବାକୁ ମଧ୍ୟ ପଛଘୁଞ୍ଚା ଦେବନାହିଁ।କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢେଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି। ଟାଟା କମ୍ପାନି ସ୍ୱାର୍ଥରେ ସ୍ପଷ୍ଟ ଦିବାଲୋକରେ କୋଭିଡ ନାମରେ ରାଜ୍ୟ ସରକାର ଟିପିସିଓଡିଏଲ୍ ସହ ମିଶି ସାଧାରଣ ଲୋକଙ୍କୁ ଲୁଟ୍ କରୁଛନ୍ତି। ପ୍ରଥମେ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରି ୧୫୦ ୟୁନିଟ୍ ପର୍ଯ୍ୟନ୍ତ ୨ ଟଙ୍କା ୭୦ ପଇସା ବୃଦ୍ଧି କଲେ। ଏହାପରେ ସେହି ସ୍ଲାବ୍‌କୁ କମାଇ ୧୫୦ ୟୁନିଟ୍ ପରିବର୍ତ୍ତେ ପ୍ରଥମ ୫୦ ୟୁନିଟ୍‌କୁ ୨ଟଙ୍କା ୭୦ ପଇସା ହିସାବରେ ଉପଭୋକ୍ତାଙ୍କ ଠାରୁ ଲୁଟିଲେ। ଯାହା ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି। ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଣ୍ଟା ସଳଖି ପାରିନଥିବା କଂଗ୍ରେସ କର୍ମୀମାନେ କହିଛନ୍ତି।ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି। ରାଜ୍ୟରେ ବିଦ୍ୟୁତ ବ୍ୟବହାରର ୨୨ଭାଗ ଜଳ ବିଦ୍ୟୁତ ଏବଂ ୧୦ ଭାଗ ସୌରଶକ୍ତିରୁ ଆସୁଛି ଏବଂ ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ୨ ଟଙ୍କା ୮୦ ପଇସାରୁ ଉର୍ଦ୍ଧ୍ଵ ହେବନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ମଧ୍ୟ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ସେହିପରି ରାଜ୍ୟର ବିଭିନ୍ନ ବିତରକ କମ୍ପାନି ଓ ବଡ଼ ବଡ଼ କମ୍ପାନିମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଙ୍କୁନା କହଁର, ମାନସ ରଞ୍ଜନ କର, ନଳିନୀକାନ୍ତ ନାୟକ, ସ୍ୱାଗତ କର, ଆର୍ଯ୍ୟବୀର ଲେଙ୍କା, ରଞ୍ଜିତ୍ ପାତ୍ର, ମହମ୍ମଦ ଅଲିମ୍, ଜ୍ଞାନରଞ୍ଜନ ରାଉତ, ବିଶ୍ୱରଞ୍ଜନ ଦାସ, ଆଶୁତୋଷ ଲେଙ୍କା, ଆଦିତ୍ୟ ପରିଡା, ରିତୁଲ୍ ମହାରଣା, ଗୌତମ ଦାସ, ସ୍ମୃତିରଞ୍ଜନ ପତି, କାର୍ତ୍ତିକେଶ୍ୱର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Comment