ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା ମହିଳା ଫୁଟବଲ୍‌ର ଦୁଇ ଚର୍ଚ୍ଚିତ ଚେହେରା ଜବାମଣୀ ଟୁଡୁ ଓ ପ୍ୟାରୀ ଖାଖା ସିନିୟର ଭାରତୀୟ ଦଳ ପାଇଁ ସମ୍ଭାବ୍ୟ ତାଲିକାରେ ସାମିଲ୍ ହୋଇଛନ୍ତି।

ଆଗକୁ ମହିଳା ଫୁଟବଲ୍‌ରେ ଏସିଆନ୍ କପ୍ ପାଇଁ ଭାରତୀୟ ଦଳ ଚୟନ କରାଯିବ। ଏଥିଲାଗି ଓଡ଼ିଶାରୁ ଏହି ଦୁଇ ଖେଳାଳି ଭାରତୀୟ ଦଳର ଚୟନ ଶିବିରରେ ଯୋଗଦେବେ। ଗୋଆ ଏଆଇଏଫ୍‌ଏଫ୍ ଟ୍ରେନିଂ ସେଣ୍ଟରରେ ଆସନ୍ତା ଡିସେମ୍ବର ୧ରୁ ଏହି ଶିବିର ଆରମ୍ଭ ହେବ। ଏଆଇଏଫ୍‌ଏଫ୍ ଆନୁକୂଲ୍ୟରେ ଆାୟୋଜିତ ହେବାକୁ ଥିବା ଏହି ଚୟନ ଶିବିରରେ ପ୍ରଦର୍ଶନ ଭଲ ରଖିଲେ ଉଭୟଙ୍କୁ ଭାରତୀୟ ସିନିୟର ମହିଳା ଫୁଟବଲ୍ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଓଡ଼ିଶା ଦଳର ନିୟମିତ ସଦସ୍ୟ ରହିଆସିଥିବା ପ୍ୟାରୀ ୨୦୧୫ରେ ୧୯ବର୍ଷରୁ କମ୍ ଭାରତୀୟ ଦଳରେ ମନୋନୀତ ହୋଇ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପଦାର୍ପଣ କରିଥିଲେ। ସେହିବର୍ଷ ତାଙ୍କୁ ଏଆଇଏଫ୍‌ଏଫ୍ ‘ଏମର୍ଜିଂ ଓମେନ୍ ଫୁଟବଲର୍ ଅଫ୍ ଦି ଇୟର’ ପୁରସ୍କାର ମିଳିଥିଲା। ୨୦୧୬ରେ ସିଲଂରେ ଆୟୋଜିତ ଏସିଆନ୍ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ।  ଇଣ୍ଡିଆନ୍ ମହିଳା ଲିଗ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ସେ ଓଡ଼ିଶାର ରାଇଜିଂଷ୍ଟୁଡେଣ୍ଟ୍ ତରଫରୁ ଖେଳୁଛନ୍ତି।

ସେହିପରି ଜବାମଣୀ ୨୦୧୫ରେ ଆୟୋଜିତ ୧୬ବର୍ଷରୁ କମ୍ ଏଏଫ୍‌ସି ଫୁଟବଲ୍ ଚାମ୍ପିଅନ୍‌ସିପରେ  ଭାରତକୁ ପ୍ରଥମଥର ପ୍ରତିନିଧିତ୍ୱ କରିଥିଲେ। ୨୦୧୬ରେ ସେ ସାଫ୍ ମହିଳା ଫୁଟବଲ୍ ଚାମ୍ପିୟନ୍‌ସିପରେ ଜାତୀୟ ଦଳ ତରଫରୁ ଖେଳିବାର ସଫଳତା ଅର୍ଜନ କରିଥିଲେ।

Comment