ଓଡ଼ିଶାଲାଇଭ୍ ବ୍ୟୁରୋ

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ବିଶାଳ ଜନସମାବେଶ ଆୟୋଜିତ ହୋଇଛି।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ଖରସ୍ରୋତା ନଦୀରୁ ଭଦ୍ରକକୁ ପାନୀୟ ଜଳ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ନେଇ ବିରୋଧ ତୀବ୍ରତର ହେଉଛି। ଏହି ପ୍ରକଳ୍ପ ଯୋଗୁ ଆଳି ଓ ରାଜକନିକା ବ୍ଲକର କୃଷି, ପାନୀୟ ଜଳ ଓ ଜୈବ ବିବିଧତା ପ୍ରଭାବିତ ହେବା ଆଶଙ୍କା କରି ରବିବାର ବିଶାଳ ଜନସମାବେଶ କରିଛି ଖରସ୍ରୋତା ସଂଗ୍ରାମ ସମିତି। ଖରସ୍ରୋତା ଉପକଣ୍ଠ ରାଜକନିକା ବ୍ଲକର ଭରିଗଦାଠାରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ଲୋକ ସାମିଲ୍ ହୋଇ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।

ଏହି ସମାବେଶରେ ପୋସ୍କୋ ବିରୋଧୀ ଆନ୍ଦୋଳନର ନେତା ଅଭୟ ସାହୁ, ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ, ଓଡ଼ିଶା ଲୋକଜନଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ, ଅଳିକିଶୋର ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ତଥା କଂଗ୍ରେସ ନେତା ସତ୍ୟ ନାୟକ, ସ୍ଥାନୀୟ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ନାଥଶର୍ମା, ଅଂଶୁମାନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ ପ୍ରମୁଖ ଯୋଗ ଦେଇ ଖରସ୍ରୋତାରୁ ବୁନ୍ଦାଏ ପାଣି ଶୁଖାଇବାର ଅଧିକାର କାହାରି ନାହିଁ ବୋଲି ଦୃଢୋକ୍ତି କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳ ମଧ୍ୟରେ କେନାଲ ନାହିଁ। ଘରୋଇ ବ୍ୟବହାର ଓ କୃଷି ପାଇଁ ୨ଟି ବ୍ଲକ ମଧ୍ୟରେ ପ୍ରବାହିତ ନଦୀର ମଧୁର ଜଳକୁ ଉଠା ଜଳସେଚନରେ ବ୍ୟବହାର କରାଯାଉଛି। ସମୁଦ୍ର ନିକଟବର୍ତ୍ତୀ ସ୍ଥାନ ହେତୁ ଜିଲ୍ଲାର ଏହି ୨ଟି ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣିଆ। ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୬ରେ ହୋଇଥିବା ସର୍ଭେ ଅନୁଯାୟୀ କୃଷି, ପଶୁପକ୍ଷୀ ଓ ଘରୋଇ ବ୍ୟବହାର ପାଇଁ ଆଳି, ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ ଦୈନିକ ୦.୩୬୬୧୩୧ ବିଲିୟନ କ୍ୟୁବିକ ମିଟର ମଧୁର ଜଳ ଆବଶ୍ୟକତା ରହିଛି।

ତେବେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଆକଳନ ଅନୁଯାୟୀ, ଏହି ୩ ବ୍ଲକରେ ଭୂତଳ ଜଳ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ପାଇଁ ଖରସ୍ରୋତା ନଦୀର ଆଳି ବ୍ଲକ ଡିମିରିପାଳ ଓ ରାଜକନିକା ବ୍ଲକ ଦେଉଳତରାଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଅଛି। ଏଥିସହ ଏହି ନଦୀରୁ ମେଗା ଲିଫ୍ଟ ଯୋଜନାରେ ସ୍ଥାନୀୟ ଅଞ୍ଚଳର କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି।ଖରସ୍ରୋତା ପାଣିରେ ଏହି କୃଷି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଳି ଓ ରାଜକନିକା ବ୍ଲକର ବିଭିନ୍ନ ସ୍ଥାନରେ କ୍ରିକ୍‌ର ଆବଶ୍ୟକତା ରହିଛି। କ୍ରିକ୍‌ ନଥିବାରୁ ଖରସ୍ରୋତାର ନଦୀ ଜଳ ସମୁଦ୍ରକୁ ବୋହି ଯାଉଛି। କ୍ରିକ୍‌ ଓ ବ୍ୟାରେଜ ନିର୍ମାଣ ଫଳରେ ଖରସ୍ରୋତା ନଦୀରେ ଉପଯୁକ୍ତ ପରିମାଣରେ ଜଳ ଗଚ୍ଛିତ ହୋଇ ସ୍ଥାନୀୟ କୃଷିକୁ ଉନ୍ନତ କରିପାରନ୍ତା। ଅପରପକ୍ଷରେ ଅଣମୌସୁମୀ ସମୟରେ ଏହି ନଦୀର ଜଳ ଅଭାବ ଦୂର ହୋଇପାରନ୍ତା। ଆଞ୍ଚଳିକ ହିତ ପାଇଁ ଏସବୁ ପ୍ରକଳ୍ପ ନକରି, ଭଦ୍ରକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଲାଗି ନଦୀରୁ ପାଣି ଉଠାଗଲେ ସ୍ଥାନୀୟ କୃଷି ପ୍ରଭାବିତ ହେବ ବୋଲି ବିଶିଷ୍ଟ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।

ଗତ ଏକମାସ ହେଲା ଖରସ୍ରୋତା ଜଳକୁ ନେଇ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଗତ ଅକ୍ଟୋବର ୮ ତାରିଖରୁ ଖରସ୍ରୋତା ନଦୀପଠାରେ ଖରସ୍ରୋତା ସଂଗ୍ରାମ ସମିତିର ଧାରଣା, ମାନବ ଶୃଙ୍ଖଳ, ଗାଁ ମେଳି ଚାଲିଥିବା ବେଳେ ଶାସକ ବିଜେଡି ମଧ୍ୟ ପଛରେ ପଡ଼ିନି। ଗତ କିଛିଦିନ ତଳେ ବିଜେଡି ମହିଳା ସମାବେଶ ଓ ସାମ୍ବାଦିକ ସମ୍ମିଳନୀ କରି ଭଦ୍ରକ ଜିଲ୍ଲାକୁ ଏହି ପାନୀୟଜଳ ପ୍ରକଳ୍ପକୁ କେହି ରୋକି ପାରିବେନାହିଁ ବୋଲି ନିଜର ପକ୍ଷ ରଖିଆସିଛି।

ନଦୀପଠାରେ ବିଜେଡିର ଏହି ପ୍ରକଳ୍ପ ସପକ୍ଷ ସଭାକୁ ନେଇ ଜଳବିବାଦ ତୀବ୍ରତର ହୋଇପଡ଼ିଛି। କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ମଧ୍ୟ ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦିଆଯିବ ନାହିଁ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଓ ଜନସମାବେଶରେ ଯୋଗ ଦେଇଥିବା ଲୋକମାନେ ଚେତାବନୀ ଦେଇଛନ୍ତି।

Comment