ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷ ଆସିଲେ ଉତ୍ସାହିତ ହୁଅନ୍ତି ଲୋକେ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ବିଦାୟ ବର୍ଷର ଶେଷ ଦିନରେ ଲୋକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ଜିରୋ ନାଇଟ ସେଲିବ୍ରେସନ କରି ପୁରୁଣା ବର୍ଷକୁ ବିଦାୟ ଦେଇଥାନ୍ତି। ଏ ବର୍ଷ କିନ୍ତୁ ଏମିତି କିଛି ବି ହେଉନି। ନୂଆବର୍ଷ ଖୁସିରେ ଗ୍ରହଣ ଲଗାଇ ଦେଇଛି କରୋନା। ଲୋକେ ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ବାର ଯାଇପାରିବେ ନାହିଁ। ଘରେ ରହି ନୂଆବର୍ଷ ପାଳିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଜିରୋ ନାଇଟ ସେଲିବ୍ରେସନକୁ ମନା

ପ୍ରତିବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥାଏ। ବିଭିନ୍ନ ହୋଟେଲ ଓ କ୍ଲବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କିନ୍ତୁ ଏଥର ଏସବୁଥିରେ କଟକଣା ଲାଗିଛି। ହୋଟେଲ, କ୍ଲବ, ପବ୍‌, କଲ୍ୟାଣ ମଣ୍ଡପଗୁଡ଼ିକୁ ବନ୍ଦ ରଖିବାକୁ କୁହାଯାଇଛି। ଏହାସହିତ ବାହାରେ କୌଣସି ସ୍ଥାନରେ ଏକତ୍ରିତ ନହେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

ନାଇଟ କର୍ଫ୍ୟୁ

ନୂଆବର୍ଷ ପାଇଁ ମୁମ୍ବାଇ, ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା ହେବା ପରେ ଓଡ଼ିଶାରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି। ଗୁରୁବାର ରାତି ୧୦ଟାରୁ  ଶୁକ୍ରବାର ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାର କରିଛନ୍ତି। କରୋନାର ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଲୋକମାନେ ସରକାରଙ୍କୁ ଏହି କର୍ଫ୍ୟୁକୁ ସଫଳ କରିବାକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଏସଆରସି। ତେବେ ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶକୀୟ ସୁବିଧା ଉବଲବ୍ଧ ରହିବ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।

ଟୁଇନ ସିଟିରେ ୧୪୪

ନୂଆବର୍ଷରେ ସବଠୁ ଅଧିକ ଟୁଇନ ସିଟି ଲୋକେ ହିଁ ସେଲିବ୍ରେସନ ମୁଡରେ ଥାଆନ୍ତି। କଟକ, ଭୁବନେଶ୍ୱରରେ ଗୁରୁବାର ରାତି ୯ଟାରୁ ନୂଆବର୍ଷ ପାଇଁ ୧୪୪ ଧାରା ଜାରି କରାଯିବ। ଏନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେହିପରି ରାତି ୯ଟା ସୁଦ୍ଧା ସମସ୍ତ କାମ ସାରି ଲୋକେ ଘରକୁ ଫେରିଯାଆନ୍ତୁ ବୋଲି କହିଛନ୍ତି କମିସନର।

ଶ୍ରୀମନ୍ଦିର ବନ୍ଦ

ଅଧିକାଂଶ ଲୋକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷର ଆରମ୍ଭ କରନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥାଆନ୍ତି। ନିକଟରେ ଶ୍ରୀମନ୍ଦିର ଖୋଲିଥିଲା ବେଳେ ଏ ବର୍ଷ କିନ୍ତୁ କରୋନା ପାଇଁ ନୂଆବର୍ଷ ଦିନ ହିଁ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆବର୍ଷରେ ଭିଡ଼ ହଟେଇବା ପାଇଁ ଜାନୁଆରି୧, ୨ ତାରିଖରେ ମନ୍ଦିର ବନ୍ଦ ରହିବ।

ଅଫିସରେ ଏକାଠି ହେବେନି କର୍ମଚାରୀ

ଅଫିସରେ କର୍ମଚାରୀ ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବେ। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁମାନେ ବି ଅଫିସରେ ଥିବେ ସେମାନେ ପୂର୍ବଭଳି ଅଫିସରେ ସାମାଜିକ ଦୂରତା ରକ୍ଷା କରିବେ।

Comment