ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ବ୍ୟାଙ୍କ ଚେକ୍ ସାହାଯ୍ୟରେ ଟଙ୍କା ଦେଣନେଣ କରୁଛନ୍ତି କି? ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ବିଷୟରେ ଜାଣିରଖନ୍ତୁ। ନଚେତ୍ ଆପଣଙ୍କୁ ଟଙ୍କା ଦେଣନେଣ କରିବାରେ ଅସୁବିଧା ଭୋଗିବାକୁ ପଡ଼ିପାରେ।

ଜାନୁଆରି ପହିଲାରୁ ବ୍ୟାଙ୍କ ଠକେଇ ରୋକିବାକୁ ଯାଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘ପଜିଟିଭ୍ ପେ ସିଷ୍ଟମ’ ନାମରେ ଏକ ନୂଆ ବ୍ୟବସ୍ଥା ଲାଗୁ କରିଛି। ଏହାଦ୍ୱାରା ଚେକ୍ ସାହାଯ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଦେଣନେଣ କରିବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ। ନଚେତ୍ ଆକାଉଣ୍ଟଧାରୀ ଚେକ୍ ସାହାଯ୍ୟରେ ଟଙ୍କା ପ୍ରଦାନ କରିପାରିବେ ନାହିଁ ବୋଲି ଆରବିଆଇ ନିର୍ଦ୍ଦେଶ ଜାରି କରିଛି।

ପଜିଟିଭ୍ ପେ ସିଷ୍ଟମ କ?

ଗତ କିଛି ଦିନ ହେଲା ବ୍ୟାଙ୍କ ଚେକ୍ ସାହାଯ୍ୟରେ ଠକେଇ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ଯାଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହି ‘ପଜିଟିଭ୍ ପେ ସିଷ୍ଟମ’ ଲାଗୁ କରିଛି।

ଏହି ବ୍ୟବସ୍ଥାରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଚେକ୍ ଦେବା ପରେ ଏହି ଚେକ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଚେକର ନମ୍ବର, ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବର, ଟଙ୍କାର ପରିମାଣ, ତାରିଖ, ହିତାଧିକାରୀଙ୍କ ନାଁ ବ୍ୟାଙ୍କକୁ ଦେବାକୁ ପଡ଼ିବ। ଏହାକୁ ଆକାଉଣ୍ଟଧାରୀ ଏସ୍ଏମଏସ୍, ମୋବାଇଲ୍ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ବ୍ୟାଙ୍କକୁ ଅବଗତ କରିବେ।ଏହାପରେ ହିତାଧିକାରୀ ଜଣକ ଯେତେବେଳେ ବ୍ୟାଙ୍କରେ ସେହି ଚେକ୍ ଡିପୋଜିଟ୍ କରିବେ, ସେ ସମୟରେ ବ୍ୟାଙ୍କ୍ ଆକାଉଣ୍ଟଧାରୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଓ ଚେକରେ ଥିବା ତଥ୍ୟକୁ ମିଳାଇ ଦେଖିବ। ଯଦି ଦୁଇଟି ଯାକ ତଥ୍ୟ ସମାନ ଥିବ ତେବେ ଯାଇ ହିତାଧିକାରୀଙ୍କୁ ଏହି ଚେକର ଟଙ୍କା ମିଳିବ; ତଥ୍ୟ ଭୁଲ ଥିଲେ ଏହି ଚେକ୍ ବ୍ୟାଙ୍କ ଦ୍ୱାରା ଅଚଳ କରିଦିଆଯିବ ବୋଲି ଆରବିଆଇ ନିୟମ ପ୍ରସ୍ତୁତ କରିଛି।

ଏହି ପଜିଟିଭ୍ ପେ ସିଷ୍ଟମ କେବଳ ୫୦ ହଜାରରୁ ଅଧିକ ଟଙ୍କାର ଚେକ୍ ଉପରେ ଲାଗୁ କରାଯାଇଛି। ଅର୍ଥାତ, ଯଦି ଜଣେ ଆକାଉଣ୍ଟଧାରୀ ୫୦ ହଜାରରୁ ଅଧିକ ଟଙ୍କାର ଚେକ୍ କାହାକୁ ଦେଉଛନ୍ତି ତେବେ ସେ ଏହାର ତଥ୍ୟ ବ୍ୟାଙ୍କକୁ ଦେବେ। ଏହାଠାରୁ କମ ଟଙ୍କାର ଚେକ୍ ଉପରେ ଏହି ନିୟମ ଲାଗୁ କରାଯାଇନାହିଁ।

Comment