ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ମେ’୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମେ’୩ରୁ ଆରମ୍ଭ ହୋଇ ମେ’୧୨ ତାରିଖରେ ଶେଷ ହେବାକୁ ଥିଲା ବେଳେ ମଧ୍ୟମା(ସଂସ୍କୃତ ଟୋଲ୍‌) ପରୀକ୍ଷା ମଧ୍ୟ ସେହି କ୍ରମରେ ଶେଷ ହେବ।

କରୋନା ଯୋଗୁଁ ଏଥର ପରୀକ୍ଷାରେ କିଛି ପରିବର୍ତ୍ତନ କରାଯାଇଛି। ପ୍ରତି ବିଷୟରେ ମୋଟ ୮୦ ନମ୍ବର ପରୀକ୍ଷା ହେବାକୁ ଥିବାବେଳେ ଏଥିରୁ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପ୍ରଶ୍ନ ଓ ଅବଶି‌ଷ୍ଟ ୩୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନ ପଡ଼ିବ। ଅବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତରକୁ ଓଏମ୍ଆର୍‌ ଫର୍ଦ୍ଦରେ ଓ ସବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତରକୁ ଲିଖିତ ଆକାଅରରେ ଦେବାକୁ ପଡ଼ିବ।

ପରୀକ୍ଷା ସମୟ ୨ଘଣ୍ଟା ରହିଥିବା ବେଳେ ମେ ମାସ ଗ୍ରୀଷ୍ମ ଋତୁ ପାଇଁ ପରୀକ୍ଷା ସକାଳ ୭ଟାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା‌ ଦେବେ ଓ ଅନ୍ୟ ବିଦ୍ୟାଳୟର ଶିକ୍ଷକ ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହି‌ବେ।

ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବ୍ରୁଆରି ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ଆଦି ପ୍ରକାଶ କରାଯିବ।

Comment