ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୭ରୁ ଆରମ୍ଭ ହେବ ଖେଳଣା ମେଳା। ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୧ଟାରେ ଉଦଘାଟନ କରିବେ।

ଏହି ମେଳା ଫେବ୍ରୁଆରି ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ। ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ। ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ।

୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ ଜରିଆରେ ଭର୍ଚୁଆଲ ପ୍ରଦର୍ଶନ କରିବେ। ଏଥିରେ ଭାରତୀୟ ପାରମ୍ପରିକ ଖେଳଣା ବ୍ୟତୀତ ଆଧୁନିକ ଖେଳଣା ଯଥା ଇଲେକ୍‌ଟ୍ରୋନିକ ଖେଳଣା, ତୁଳା ଓ ପଶମ ଖେଳଣା, ପଜଲ ଓ ଗେମ୍‌ସ ଜାତୀୟ ଖେଳଣା ପ୍ରଦର୍ଶିତ ହେବ।

ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍‌କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ।

ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ତାହାର ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ। ଗତବର୍ଷ ଅଗଷ୍ଟ ମାସରେ ‘ମନ କୀ ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ଏ କଥା କହିଥିଲେ।  ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାଆରୋପ କରିଛନ୍ତି। ଯେଉଁଥିପାଇଁ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି।

Comment