ଓଡ଼ିଶାଲାଇଭ୍ ବ୍ୟୁରୋ

ନବମ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ଯୁବ ଉଦ୍ୟୋଗୀମାନଙ୍କୁ ସଫଳ ଉଦ୍ୟୋଗର ମନ୍ତ୍ର ଦେଇଛନ୍ତି ସୁବ୍ରତ ବାଗ୍‌ଚୀ।

ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ନବମ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାର ତୃତୀୟ ଦିନରେ ରବିବାର  ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ (Start up Talk) ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ମେଳାର ସେମିନାର ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ୟୋଗୀମାନଙ୍କୁ ସଫଳ ଉଦ୍ୟୋଗ ଗଢ଼ିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ସଫଳତାର ମନ୍ତ୍ର ଦେଇ ସୁବ୍ରତ ବାଗ୍‌ଚୀ କହିଥିଲେ, ନୂତନ ଉଦ୍ୟୋଗୀମାନଙ୍କୁ ସେମାନଙ୍କ କାର୍ଯ୍ୟଧାରାର ମାନ ବୃଦ୍ଧି କରିବାକୁ ପଡ଼ିବ। ଏଥି ନିମନ୍ତେ ସେମାନଙ୍କୁ ୬ଟି କୌଶଳ ଯେପରିକି ନିଜ ଉଦ୍ୟୋଗକୁ ନେଇ ଆତ୍ମବିଶ୍ଵାସ ବୃଦ୍ଧି କରିବା, ନୂଆ ନୂଆ କୌଶଳ ସହ ଯୋଡ଼ି ହେବା, ବୁଦ୍ଧି ଖଟାଇବା, ପ୍ରତିଷ୍ଠା ବା ନିଜ ଉଦ୍ୟୋଗର ବ୍ରାଣ୍ଡକୁ ପ୍ରଚାର ପ୍ରସାର କରିବା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ପଡ଼ି କାର୍ଯ୍ୟ କରିବା।”

ଏଥିସହ ସୁବ୍ରତ ବାଗ୍‌ଚୀ ଉଦ୍ୟୋଗୀମାନଙ୍କୁ ସୁନ୍ଦର ରାଜନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା କିପରି ୬୦୦କୋଟି ଟଙ୍କାର ଉଦ୍ୟୋଗ ହୋଇପାରିଛି ତାହାର ସଫଳ କାହାଣୀ ବିଷୟରେ କହିଥିଲେ।ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, “ରାଜ୍ୟରେ ଏଯାଏଁ ୯୫୦ଟି ନୂତନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ସମସ୍ତ ନୂତନ ଉଦ୍ୟୋଗକୁ ସହାୟତା ଯୋଗାଇ ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି। ଇନ୍‌ଫୋସିସ୍ ନିକଟରେ ଏବେ ୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଷ୍ଟାର୍ଟ ଅପ୍ କେନ୍ଦ୍ର ନିର୍ମାଣାଧୀନ ରହିଛି, ତାହା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମଜବୁତ କରିବ। ଏଥି ସହିତ ଖୁବ ଶୀଘ୍ର ନୂତନ ଷ୍ଟାର୍ଟ ଅପ୍ ନୀତି ପ୍ରଣୟନ କରାଯିବ।”ଏହି ଷ୍ଟାର୍ଟ ଅଫ୍ ଟକ୍‌ରେ ଅରେଞ୍ଜ କ୍ରସ ହୋମ୍ ହେଲଥ୍ ପ୍ରାଇଭେଟ ଲିମିଟେଡର ମୁଖ୍ୟ ଅଜୟ ବେହେରା କିପରି ତାଙ୍କ କାରବାରକୁ ୨୦ କୋଟି ଟଙ୍କାରେ ପହଞ୍ଚାଇ ପାରିଛନ୍ତି ସେ ବାବଦରେ ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ। ସେହିପରି ପ୍ରିଣ୍ଟଭିୟୁ ମ୍ୟାଜିକ୍ ଓ୍ୱାଲର ସିଇଓ ସିଦ୍ଧେଶ୍ୱର ପଣ୍ଡା, ନେଚର ଏସେନ୍ସିଆଲ୍ ଅଏଲର ପ୍ରତିଷ୍ଠାତା ଡକ୍ଟର ଗୀତାଞ୍ଜଳି, କେସିଙ୍ଗାର ସାତ୍ତ୍ୱିକ ଅଗ୍ରଓ୍ୱାଲ, ଶିବା ଗ୍ରୀନର ପ୍ରତିଷ୍ଠାତା ନୀଳିମା ମିଶ୍ର, ରୋବୋଟିକ୍ କ୍ଲାସେସର ପ୍ରତିଷ୍ଠାତା ସ୍ୱାତ୍ତିକ, ଅମର ଲ୍ୟାବର ପ୍ରତିଷ୍ଠାତା ସଲୋନୀ ପାତ୍ର, ପୋଷ୍ଟ ହାର୍ଭେଷ୍ଟ ଟେକ୍ନୋଲୋଜିସର ଭିଲା ମାର୍ଟର ପ୍ରତିଷ୍ଠାତା ଡକ୍ଟର ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ନୂତନ ଉଦ୍ୟୋଗୀ ସେମାନଙ୍କର ସଫଳ ଯାତ୍ରାର କାହାଣୀ କହିଥିଲେ।କିଟ୍ ଟିବିଆଇର ଡକ୍ଟର ମୃତ୍ୟୁଞ୍ଜୟ ନିଜର କୌଶଳ ନିଜେ ସୃଷ୍ଟି କରିବାକୁ ସମସ୍ତ ଯୁବ ଉଦ୍ୟୋଦୀମାନଙ୍କୁ ପରାମର୍ଶ ଦେଇଥିଲ। ସେହିପରି ଡାଲମା ହୋଟେଲର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ କହିଥିଲେ, ” ଯେଉଁ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଡ ଅପ୍ କରୁଛନ୍ତି, ସେମାନଙ୍କୁ ନିଜ ଉଦ୍ୟୋଗକୁ ଲାଇମଲାଇଟକୁ ଆଣିବାକୁ ପଡ଼ିବ।” ଅନ୍ୟପଟେ ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ତାଙ୍କର ଆଲୁମିନିୟମ୍ ଶିଳ୍ପର ଅଭିନବୀକରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଆଗାମୀ ଦିନରେ ସମସ୍ତ ଜିଲ୍ଲା ଏବଂ କ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ସେମାନଙ୍କ ଅଞ୍ଚଳରେ ନୂତନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଥିଲ। ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏ ସଂପର୍କୀୟ ବିଷୟରେ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲ। ଏହି ଅବସରରେ କେତେକ ପୁରୁଷ ଓ ମହିଳା ଉଦ୍ୟୋଗୀମାନେ ଆଲୋଚନା ଚକ୍ରରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ, ଯାହାର ତୁରନ୍ତ ସମାଧାନ ନିମନ୍ତେ ପ୍ରମୁଖ ସଚିବ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲ। ଶେଷରେ ବିଭାଗ ପକ୍ଷରୁ ପ୍ରଶାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନା ଚକ୍ରରେ ଏମ୍ଏସ୍ଏମ୍ଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି., ଓଏସ୍ଆଇସିର ପରିଚାଳନା ନିର୍ଦ୍ଦେଶକ ପି.କେ. ସାହାଣୀ, ଇପିଏମ୍‌ର ନିର୍ଦ୍ଦେଶକ ଶରଣ କୁମାର ଜେନା, ସମସ୍ତ ଜିଏମ୍, ଡିଆଇସି, ବିଭାଗୀୟ ଅଧିକାରୀ ଏବଂ ରାଜ୍ୟର ନୂତନ ଉଦ୍ୟୋଗୀମାନେ ଯୋଗଦେଇଥିଲ।

Comment