ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନ ସିଟିର ପୋଲିସ କମିସନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର କଟକ-ଭୁବନେଶ୍ୱର କମିସନରେଟ୍ ପୋଲିସର ନୂଆ କମିସନର ଭାବେ ନିଯୁକ୍ତ କରିଛନ୍ତି। ଟୁଇନ ସିଟିରେ ବିଗିଡ଼ି ଯାଇଥିବା ଆଇଶୃଙ୍ଖଳା ପରିସ୍ଥିତି, ନୂଆ କମିସନରଙ୍କ ପାଇଁ ଚାଲେଞ୍ଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

କମିସନରଙ୍କ ପାଇଁ ଚାଲେଞ୍ଜ

କୌଣସି ପୋଲିସ ଅଫିସରଙ୍କ ପାଇଁ ୨ଟି ମୁଖ୍ୟ ଦାୟିତ୍ୱ ରହିଥାଏ। ପ୍ରଥମରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ବା ଅପରାଧ ଚିହ୍ନଟ। ଏବେ ଟୁଇନ ସିଟିର ସ୍ଥିତି ଏହିସବୁ କ୍ଷେତ୍ରରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁଦିନ ଲୁଟପାଟ୍‌, ଛିନତାଇ, ସାଇବର କ୍ରାଇମ ଭଳି ଅପରାଧ ହେଉଥିବା ନଜରକୁ ଆସୁଛି। ଏହାର ସମାଧାନ ନୂଆ କମିସନରଙ୍କ ପାଇଁ ଚାଲେଞ୍ଜ ହୋଇଛି।

  • ଗତ କିଛି ମାସ ହେବ ରାଜଧାନୀରେ ବଢିବାରେ ଲାଗିଛି ଲୁଟପାଟ୍‌, ଛିନତାଇ, ରାହାଜାନୀ। ଏଥିରୁ କିପରି ରାଜଧାନୀବାସୀଙ୍କୁ ରକ୍ଷା କରାଯାଇପାରିବ, ତାହା ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ହୋଇଛି । ଆଗରୁ ଏତେମାତ୍ରାରେ ଅପରାଧ ହେଉନଥିଲା କିନ୍ତୁ ବର୍ତ୍ତମାନ କରୋନା ସଂକଟ ପରେ ଏହିସବୁ ଅପରାଧର ମାତ୍ରା ବଢ଼ିଥିବା କୁହାଯାଉଛି। କେତେବେଳେ ଫୁଲ ତୋଳୁଥିବା ସମୟରେ ବେକରୁ ସୁନା ଚେନ ଟାଣି ନେଉଛନ୍ତି, ପୁଣି କେତେବେଳେ ଗାଡ଼ିରେ ଯିବା ସମୟରେ ଫୋନ, ପର୍ସ ଝାମ୍ପି ନେଉଛନ୍ତି ଦୃର୍ବତ୍ତ। ବାହାରକୁ ବାହାରିବା ସମୟରେ କିଛି ଅଳଙ୍କାର ପିନ୍ଧି ଯିବାକୁ, ଲୋକ ଆଉ ସୁରକ୍ଷିତ ଭାବୁନାହାଁନ୍ତି।
  • ଅନ୍ୟପଟେ କଟକ-ଭୁବନେଶ୍ୱରରେ ସାଇବର ଅପରାଧ ବଢିବାରେ ଲାଗିଛି। ସାଇବର ଠକଙ୍କ ଟାର୍ଗେଟରେ ବୟସ୍କ ବ୍ୟକ୍ତି, ଅନଲାଇନ କାରବାର। ଗତ କିଛି ଦିନ ଭିତରେ ଲକ୍ଷାଧିକ ଟଙ୍କା ହଡ଼ପିଲେଣି ସାଇବର ଠକ। କେତେବେଳେ ଓଟିପି ଜରିଆରେ, ଆଉ କେତେବେଳେ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଓଏଲଏକ୍ସରେ ଗ୍ରାହକ ଜିନିଷ କିଣାବିକା କରି ମଧ୍ୟ ଠକାମିର ଶିକାର ହୋଇଛନ୍ତି। ପୋଲିସ ପାଖରେ ଅଭିଯୋଗ କରି ଗ୍ରାହକ ନିଜର ପଇସା ଫେରି ପାଉନାହାଁନ୍ତି। ଏକ୍ଷେତ୍ରରେ ପୋଲିସ ଅପରାଧୀଙ୍କୁ ଧରିବାରେ ଏତେଟା ସଫଳତା ପାଇନାହିଁ। ଗ୍ରାହକମାନଙ୍କୁ ସାଇବର ଠକଙ୍କଠାରୁ ଦୂରେଇ ରଖିବା ଏବଂ ଆଗାମୀ ଦିନରେ କିଭଳି ଏହି ଅପରାଧକୁ ରୋକାଯାଇ ପାରିବ ତା’ର ଗୁରୁଦ୍ୱାୟିତ୍ୱ ନେବେ ନୂଆ କମିସନର।
  • ଗୋଟିଏ ପଟେ ଲୁଟପାଟ୍‌, ସାଇବର କ୍ରାଇମ ଓ ଅନ୍ୟପଟେ ମର୍ଡର ବା ହତ୍ୟା। ପୂର୍ବରୁ ରାଜଧାନୀରେ ହତ୍ୟା ଭଳି ଜଘଣ୍ୟ ଅପରାଧ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ଟୁଇନ ସିଟିରେ ମଧ୍ୟ ଦେଖିବାକୁ ମିଳିଲାଣି ୟୁପି-ବିହାରର ଚିତ୍ର। ସମସ୍ତେ ଜାଣିଛନ୍ତି ୟୁପି-ବିହାରର ରାଜରାସ୍ତାରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥାନ୍ତି। ଟୁଇନ ସିଟିର ଅପରାଧୀ ଏବେ ଏହି ଶୈଳୀକୁ ଆପଣେଇଛନ୍ତି। କିଛି ମାସ ତଳେ ସାମନ୍ତରାପୁର ଛକରେ ଜଣେ ବ୍ୟକ୍ତିଙ୍କୁ ଦୁଇଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପୁଣିଥରେ ନିକଟରେ ସିଆରପି ଛକରେ ସମସ୍ତଙ୍କ ଉପସ୍ଥିତିରେ ଜଣେ ଡ୍ରାଇଭରଙ୍କୁ ହାଣି ହତ୍ୟା କରିବା ଦୃଶ୍ୟ, ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।

ଏଥିସହ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ଦାୟିତ୍ୱ, ଟ୍ରାଫିକ ସମସ୍ୟାର ସମାଧାନ କରିବେ ନୂଆ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। କିନ୍ତୁ ଏହି ତିନୋଟି ମୁଖ୍ୟ ପ୍ରସଙ୍ଗ ଏବେ କମିସନରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ

ନୂଆ କମିସନର ଭାବେ ଦାୟିତ୍ୱ ନେବା ସମୟରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, “କଟକ ଭୁବନେଶ୍ୱର ଦ୍ୱୈତ ନଗରୀର କମିସନରଙ୍କ ଗୁରୁ ଦାୟିତ୍ୱ ମୁଁ ଗ୍ରହଣ କରିଛି। ଏହି ଦ୍ୱୈତ ନଗରୀର ଜନସାଧାରଣଙ୍କ ସହଯୋଗ ମୁଁ କାମନା କରିବି। କମିସନର ପୋଲିସ ଭାବେ ମୋ ଦାୟିତ୍ୱକୁ ତୁଲାଇ ପାରିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି। ଯେକୌଣସି ପୋଲିସ ଅଧିକାରୀଙ୍କ ପାଇଁ ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ପରିସ୍ଥିତି ନିୟନ୍ତ୍ରଣ, ଅପରାଧୀ ଚିହ୍ନଟ। ଏହି ଦୁଇଟି ଦିଗକୁ ମୁଁ ପ୍ରାଥମିକତା ଦେଇ କାମ କରିବି। ଯେତେବେଳେ ଦକ୍ଷ ପୋଲିସ୍ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ପଡେ , ସେତେ ଅଧିକ ଚାଲେଞ୍ଜକୁ ସାମନା କରିବାକୁ ପଡେ। ପୂର୍ବତନ କମିସନରଙ୍କ ଯେଉଁ ଆଜେଣ୍ଡା ଶେଷ ହୋଇନାହିଁ, ତାହା ମୁଁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି। ଜନସାଧାରଣଙ୍କ ଧନଜୀବନ କମିସନରେଟ୍ ପୋଲିସ ପାଇଁ ବଡ଼ ଦାୟିତ୍ୱ ହେବ। ପ୍ରଭୂଙ୍କ ଆଶୀର୍ବାଦ, କଠୋର ପରିଶ୍ରମ ଓ ଆପଣଙ୍କ ସହଯୋଗରେ ମୋ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବଦ୍ଧ ପରିକର”।

୧୯୯୫ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ବବିଦ୍ୟାଳୟରୁ ବି.ଟେକ୍ ପାସ୍ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ୍ ପାଇବା ପରେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବରେ ଚାକିରି ଆରମ୍ଭ କରିଥିଲେ। ୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ।

ଡିଆଇଜି ଭାବରେ ପଦୋନ୍ନତି ପାଇବା ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ଦାୟିତ୍ବ‌ ନେଇ ସଫଳତା ପାଇଥିଲେ। ନକ୍ସଲ ଦମନରେ ମଧ୍ୟ ତାଙ୍କର ବେଶ୍ ସୁନାମ ରହିଥିଲା। ପୁରୀରେ ଅତିରିକ୍ତ ଏସ୍‌ପି ଓ ଏସ୍‌ପି ଭାବରେ ତାଙ୍କର ଦକ୍ଷତାକୁ ଆଧାର କରି ୨୦୧୫ରେ ରାଜ୍ୟ ସରକାର ତାଙ୍କୁ ମହାପ୍ରଭୁଙ୍କ ନବକଳେବର ସମୟରେ ଅଫିସର ଇନ୍ ସ୍ପେସାଲ ଡ୍ୟୁଟି ଭାବେ ଦାୟିତ୍ବ ଦେଇଥିଲେ। ନବକଳେବର ସମୟରେ ଆଇନଶୃଙ୍ଖଳା ରକ୍ଷା ଆଦି ଯାବତୀୟ କାର୍ଯ୍ୟରେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ‘ଫନି’ ମୁକକାବିଲାରେ ମଧ୍ୟ ତାଙ୍କୁ ବେଶ୍ ସଫଳତା ମିଳିଥିଲା। ପୁଲିସ ସେବାରେ ସଫଳତା ପାଇଁ ସେ ୨୦୦୨ରେ ଡିଜିଙ୍କ ପଦକ, ୨୦୦୫ରେ ରାଜ୍ୟପାଳ ପଦକ, ୨୦୧୧ରେ ରାଷ୍ଟ୍ରପତି ପଦକ, ୨୦୧୬ରେ ଡିଜିଙ୍କ ପ୍ରସଂଶାପତ୍ର ପାଇଛନ୍ତି।

Comment