ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସାଂଘାତିକ ହେବାରେ ଲାଗିଛି। ରାୟଗଡ଼ା ଜିଲ୍ଲା ପଡ଼ୋଶୀ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର ରହିଛି। ପଶ୍ଚିମାଞ୍ଚଳ ଜିଲ୍ଲା ଭଳି ଏଠାରେ ଯେପରି ସ୍ଥିତି ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

ରବିବାର ସ୍ଥାନୀୟ ମା’ ମଝିଘରିଆଣି ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ରହିଥିବାରୁ  ଉପଜିଲ୍ଲାପାଳ, ତହସିଲଦାର ଓ ଥାନା ଅଧିକାରୀ ମନ୍ଦିର ପରିସରରେ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଆନ୍ଧ୍ରରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତି ଆଡ଼କୁ ଗତି କରିଥିବାରୁ ଉପରୋକ୍ତ ଅଞ୍ଚଳରୁ ସହଶ୍ରାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ କରୋନା ସତର୍କତା ନିୟମ କିଭଳି ପାଳନ ହେଉଛି ସେ ନେଇ ପ୍ରଶାସନିକ ଟିମ୍‌ ବୁଲି ଦେଖିଥିଲେ।

ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବ ଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି।

Comment