ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରେନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ଦିଗକୁ ଗତି କରୁଛି। ପ୍ରତିଦିନ ପଜିଟିଭ୍ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୪୪୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୭୪ଜଣ ହୋଇଥିବାବେଳେ, ୧୮୭୧ଟି ଲୋକାଲ୍ କେସ୍ ରହିଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୭୨୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୫୮୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ଦିନ ହେବ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ନୂଆପଡ଼ାରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ରହିଛି। ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୩୦୯ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩ଲକ୍ଷ ୪୬ହଜାର ୧୩୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩ରେ ପହଞ୍ଚିଛି। ଏଯାବତ୍ ୨୪୫୬୮ ସକ୍ରିୟ ମାମଲା ରହିଛି।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ, କରୋନାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଝାରସୁଗୁଡ଼ାର ୫୩ବର୍ଷୀୟ ଜଣେ ବ୍ୟକ୍ତି। ସେ ପୂର୍ବରୁ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। କେଉଁଝର ଜିଲ୍ଲାର ୪୦ବର୍ଷୀୟ ଜଣେ ବ୍ୟକ୍ତି, ସୁନ୍ଦରଗଡ଼ର ୪୩ବର୍ଷୀୟ ଏବଂ ୫୦ବର୍ଷୀୟ ଦୁଇ ଜଣ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଚାଲିଛି ଟିକାକରଣ। ଟିକା ଅଭାବରୁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ପଡ଼ିଛି। ଅନ୍ୟପଟେ ରାଜ୍ୟରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯାିଛି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଜାରି ହୋଇଛି।

Comment