ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ଘରୋଇ ହସ୍ପିଟାଲରେ ପଇସା ଦେଇ ନେଇଥିଲେ, ସେମାନେ ବିନା ଦେୟରେ ଦ୍ୱିତୀୟ ଡୋଜ୍ ଟିକା ସରକାରୀ ହସ୍ପିଟାଲରେ ନେଇପାରିବେ”, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏହି ମହାମାରୀ ସମୟରେ ଲୋକଙ୍କ ମନରେ ସାହସ ଜୁଟେଇବା ପାଇଁ ପ୍ରତିଦିନ ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ। ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଟିକା ଅଭାବର ଯେଉଁ ଚିତ୍ର ଦେଖିବାକୁ ମିଳୁଛି, ଏହାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି କହିଛନ୍ତି।ସ୍ୱାସ୍ଥ୍ୟ ସଚିବ କହିଛନ୍ତି, “ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସରକାର ବାଧ୍ୟ ହୋଇ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେଣୁ ସମସ୍ତେ ଲକ୍‌ଡାଉନ୍ ସମୟରେ ଉପଯୁକ୍ତ କୋଭିଡ୍ ନିୟମକୁ ମାନନ୍ତୁ। ଏବେକା ପରିସ୍ଥିତିରେ ଯଦି ଆମେ ସଚେତନ ନରହିବା, ତେବେ ଆଗକୁ ସ୍ଥିତି ବିଗିଡି ପାରେ।”

ରାଜ୍ୟରେ ଟିକାକରଣକୁ ନେଇ ସେ କହିଛନ୍ତି, “ଏଯାବତ୍ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୭ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିଭଳି ୯୭ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ଆକଳନ ଅନୁସାରେ ରାଜ୍ୟରେ ୪୫ ବର୍ଷରୁ ଅଧିକ ୧ କୋଟି ୧୬ ଲକ୍ଷ ଲୋକ ରହିଛନ୍ତି। ସେଥିରୁ ୪୩ ଲକ୍ଷ ୫୫ ହଜାର ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି। ସେଥିରୁ ୨୩ ଲକ୍ଷ ୪୩ ହଜାର ୯୦୭ ଜଣ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ସମୟ ହୋଇ ସାରିଲାଣି। କିନ୍ତୁ ଏବେ ସୁଦ୍ଧା ପ୍ରାୟ ୬ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ବିଏମ୍‌ସି ଅଞ୍ଚଳରେ କୋଭାକ୍ସିନ୍ ଟିକା ଦିଆଯାଉଛି। ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏବଂ ବାକି ଜିଲ୍ଲାଗୁଡ଼ିକରେ କୋଭିସିଲ୍ଡ ଟିକା ଦିଆଯାଉଛି।”ସେ ଆଉ ମଧ୍ୟ କହିଛନ୍ତି, “ରାଜ୍ୟରେ କୋଭାକ୍ସିନର ଅଭାବ ନାହିଁ। କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ଟିକା ଆସିଲେ ପ୍ରଥମେ ଦ୍ୱିତୀୟ ଡୋଜ୍ ଲୋକଙ୍କୁ ଦିଆଯିବ । କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ରୁ ୪୧ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯିବ। ସେହିଭଳି କୋଭିସିଲ୍ଡ ପ୍ରଥମ ଡୋଜର ୬ରୁ ୮ ସପ୍ତାହ ଅର୍ଥାତ୍ ୪୨ ରୁ ୫୬ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ।”

LEAVE A REPLY

Please enter your comment!
Please enter your name here