ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ସର୍ବାଧିକ ୧୧ହଜାର ୧୦୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୨୧୯ଜଣ ହୋଇଥିବାବେଳେ, ୪୮୮୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ଆଉ ୨୬ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯୪୪ଜଣ ଓ ସୁନ୍ଦରଗଡ଼ରୁ ୭୦୮ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୮୬୪, ବରଗଡ଼ରୁ ୩୩୯, ବାଲେଶ୍ୱରରୁ ୫୦୯, ଯାଜପୁରରୁ ୩୯୬, ମୟୁରଭଞ୍ଜରୁ ୬୩୫, ସମ୍ବଲପୁରରୁ ୩୮୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୬ଲକ୍ଷ ୭୯ହଜାର ୫୩୦ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୦ହଜାର ୮୮୧ ଜଣଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ୬୭ହଜାର ୩୮୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ୍ ୧ଲକ୍ଷ ୦୯ହଜାର ୬୩୯ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୨୬ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱରରୁ ଦୁଇ ଜଣ ଲେଖାଏଁ, ଭୁବନେଶ୍ୱର, ଗଞ୍ଜାମରୁ ତିନି ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡ଼ାରୁ ଜଣେ ଲେଖାଏଁ, ସୁନ୍ଦରଗଡ଼ରୁ ଦୁଇ ଜଣ, ପୁରୀ, ଖୋର୍ଦ୍ଧାରୁ ତିନି ଜଣ ଲେଖାଏଁ, କଳାହାଣ୍ଡିରୁ ସର୍ବାଧିକ ଚାରି ଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୮ ରେ ପହଞ୍ଚିଛି।

Comment