ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରଧାନମନ୍ତ୍ରୀଙ୍କ ଦୁଇଟି ବଡ଼ ଘୋଷଣା
  • ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ ଟିକା
  • ଜୁନ୍ ୨୧ଠାରୁ ଏହି ପ୍ରକ୍ରିୟା ଆରମ୍ଭ
  • ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର
  • ଘରୋଇ ହସ୍ପିଟାଲରେ ପଇସା ଦେଇ ନେଇପାରିବେ ଟିକା
  • ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ୧୫୦ଟଙ୍କା
  • ୮୦କୋଟି ଲୋକଙ୍କୁ ମିଳିବ ମାଗଣା ରାସନ
  • ନଭେମ୍ବର ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଦେଶରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା। ଏଥିରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇପାରିବେ। ଜୁନ୍ ୨୧ତାରିଖଠାରୁ ଏହି ସୁବିଧା ଉପଲବ୍ଧ ହେବ। ଏନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଦେଶର ୮୦କୋଟି ଲୋକଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରାଯାଇଛି।ଟିକାକରଣକୁ ନେଇ ରାଜ୍ୟମାନଙ୍କରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାବେଳେ, ଏହି ସମସ୍ୟାର ସମାଧାନ କରିଛନ୍ତି ପ୍ରଧାନମନ୍ତ୍ରୀ। ସୋମବାର ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଦୁଇଟି ବଡ଼ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ହେଉଛି କେନ୍ଦ୍ରର ଦାୟିତ୍ୱ। ଟିକା ପାଇଁ ରାଜ୍ୟ ସରକାରଙ୍କମାନଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଉତ୍ପାଦିତ ଟିକାର ପ୍ରାୟ ୭୫ପ୍ରତିଶତ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ। ଯଦି କୌଣସି ବ୍ୟକ୍ତି ଟଙ୍କା ଦେଇ ଟିକା ନେବାକୁ ଚାହାଁନ୍ତି, ତେବେ ସେମାନେ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ମୂଲ୍ୟ ୧୫୦ଟଙ୍କା ସର୍ଭିସ୍ ଚାର୍ଜ ଦେଇ ଟିକା ନେଇପାରିବେ। କିନ୍ତୁ ଘରୋଇ ହସ୍ପିଟାଲଗୁଡ଼ିକରେ ଚାଲିଥିବା ଟିକାକରଣ ଉପରେ ନଜର ରଖିବ ରାଜ୍ୟ।”ସେ ଆଉ ମଧ୍ୟ କହିଛନ୍ତି, “କରୋନା ପାଇଁ ଲୋକମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିଥିବାରୁ ମାଗଣା ଟିକା ସହ ମାଗଣା ରାସନ ମଧ୍ୟ ଯୋଗାଇ ଦିଆଯିବ। ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶବାସୀ ଏହି ସୁବିଧା ପାଇପାରିବେ। ଦେଶର ପ୍ରାୟ ୮୦କୋଟି ଲୋକ ଏହି ସୁବିଧା ପାଇପାରିବେ।”

ଦେଶରୁ ଏପର୍ଯ୍ୟନ୍ତ କରୋନା ସଙ୍କଟ ଟଳି ନାହିଁ । ସମଗ୍ର ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ଟିକାକରଣ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଏଯାବତ୍ ୨୩କୋଟି ୨୭ଲକ୍ଷ ୮୬ହଜାର ୪୮୨ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି।

Comment