ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ସରକାର ଲକଡାଉନ୍, ସଟଡାଉନ୍ ଭଳି କଟକଣା ଲଗାଇଛନ୍ତି। ଦୀର୍ଘ ମାସେରୁ ଅଧିକ ସମୟ ଏହି କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି। ଯେଉଁଠି ରାଜ୍ୟରେ ଦିନକୁ ୧୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିଲେ ଏବେ ତାହା ତଳମୁଁହା ହୋଇ ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୭ ହଜାରରୁ ୮ ହଜାର ମଧ୍ୟରେ ରହୁଛି। ଗୋଟେ ପଟେ ସଂକ୍ରମଣରେ ହ୍ରାସ ଆଶ୍ଵସ୍ତି ଦେଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଦିନକୁ ଦିନ ଉପରମୁହାଁ ହୋଇ ଚିନ୍ତା ବଢ଼ାଇଲାଣି।ଯଦି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଗତ ସାତ ଦିନର ରେକର୍ଡ ଦେଖାଯାଏ ତେବେ ରାଜ୍ୟରେ ମୋଟ୍ ୨୮୩ ଜଣଙ୍କ ଜୀବନ ନେଇଛି ମହାମାରୀ। ଜୁନ୍ ପହିଲାରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ଯଥାକ୍ରମେ ୩୯, ୪୦, ୪୨, ୩୯, ୪୦, ୪୨ ଓବଂ ୪୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଏଥିସହ ରାଜ୍ୟରେ ଏବେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୩,୦୩୫ରେ ପହଞ୍ଚିଛି।

କାହିଁକି ବଢୁଛି ମୃତ୍ୟୁସଂଖ୍ୟା?

ରାଜ୍ୟରେ କରୋନା ସଂକ୍ରମଣର ଚେନ୍‌ରେ ବ୍ରେକ୍ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିବାର ନାଁ ଧରୁନାହିଁ। ଫଳରେ ଏହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଲାଣି। ଲଗାତାର ଭାବେ କିଛିଦିନ ହେବ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦ କିମ୍ଵା ତା’ଠାରୁ ଅଧିକ ରହୁଛି। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, “ରାଜ୍ୟରେ ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି।”ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ସାତରୁ ଦଶ ଦିନ ଭିତରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ଆହୁରି ହ୍ରାସ ହୋଇପାରେ।

ରାଜ୍ୟରେ ଏବେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୯,୨୧୪ ରହିଥିବା ବେଳେ ଏଯାଏଁ ୭,୩୯,୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିପରି ରାଜ୍ୟରେ ଏବେ ସକ୍ରିୟ କରୋନା କେସ୍ ୭ ୬,୭୫୦ ରହିଛି।

Comment