ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଓଡ଼ିଶାର ଷ୍ଟାର୍ଟଅପ୍ ହିରୋମାନଙ୍କୁ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାଣିବେ, ଶୁଣିବେ, କଥାହେବେ। ସେମାନଙ୍କ ଭଳି ଉଦ୍ୟୋଗୀ ହେବାର ସ୍ଵପ୍ନ ଦେଖିବେ ଆଉ ତାକୁ ସାକାର ମଧ୍ୟ କରିବେ। ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ କାର୍ଯ୍ୟକ୍ରମ ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’।

ସେପ୍ଟେମ୍ଵର ୧ ତାରିଖରେ ଅନ୍‌ଲାଇନ୍ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’ର ପ୍ରଥମ ଓ୍ଵେବିନାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ପ୍ରତି ମାସରେ ଜଣେ ଜଣେ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସହ ଯୋଡ଼ିହୋଇ ସେମାନଙ୍କ ସ୍ଵପ୍ନ, ସଂଘର୍ଷ ଓ ସଫଳତାର କାହାଣୀ ବିଷୟରେ ଜାଣିବେ। ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ପରିଚାଳନା କରିବେ।“ଆମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଖିରେ ଅନେକ ସ୍ଵପ୍ନ ଅଛି, ସେମାନେ ଦକ୍ଷ, ସମର୍ଥ ମଧ୍ୟ। ହେଲେ ସେମାନଙ୍କୁ ଏକ ମାର୍ଗଦର୍ଶନର ଅଭାବ ରହିଛି। ସେମାନଙ୍କ ସ୍ଵପ୍ନ, ପ୍ରତିଭାକୁ ସଫଳତାରେ ପରିଣତ କରିବାକୁ ଏକ ମାଧ୍ୟମ ଦରକାର। ଏଥିପାଇଁ ମୋ କଲେଜ ଅଭିଯାନ ପକ୍ଷରୁ ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’ର ପରିକଳ୍ପନା ହୋଇଛି”, କହିଛନ୍ତି ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଷ୍ଟାର୍ଟଅପ୍ ହିରୋମାନଙ୍କ ସହ ସିଧାସଳଖ କଥା ହେବେ। ଷ୍ଟାର୍ଟଅପ୍‌କୁ ନେଇ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପାଇବେ। ଏଥିରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ।

କାର୍ଯ୍ୟକ୍ରମର ପ୍ରଥମ ଓ୍ଵେବିନାରରେ ଅତିଥି ଅଛନ୍ତି ଓଡ଼ିଶାର ଯୁବ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ। ଭଦ୍ରକ ଜିଲ୍ଲାର ଏକ ଛୋଟିଆ ଗାଁ ଚରମ୍ପାରୁ ଆସି ଅମରେନ୍ଦ୍ର ଆଜି ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍ କମ୍ପାନି ‘ନେଷ୍ଟଏଓ୍ଵେ’ର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇ ପାରିଛନ୍ତି। ଗୋଟିଏ ସାଧାରଣ ପରିବାରରୁ ସ୍ଵପ୍ନ ଦେଖି ଅମରେନ୍ଦ୍ର ଆଜି ସଫଳତାର ଶିଖର ଛୁଇଁଛନ୍ତି।

Comment