ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଏହି ଅର୍ଥ ବିନିଯୋଗ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ମଙ୍ଗଳବାର ଦିନ ଏ କେ ସାବତ ‘ମୋ କଲେଜ’ ଅଫିସରେ ପହଞ୍ଚି ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ହାତରେ ୫ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ‘ମୋ କଲେଜ’ ପକ୍ଷରୁ ଏହାର ୨ ଗୁଣା ରାଶି ପ୍ରଦାନ କରାଯିବ। ଅର୍ଥାତ୍‌ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଏହି କ୍ରମରେ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ କହିଛନ୍ତି।

ଅରୁଣ କୁମାର ସାବତ, ଏ କେ ସାବତ ନାଁରେ ଓଡ଼ିଶାରେ ପରିଚିତ। ୧୯୭୦-୧୯୭୨ ମସିହାରେ ତତ୍‌କାଳୀନ ଖଲ୍ଲିକୋଟ କଲେଜରେ ବାଣିଜ୍ୟ ବିଭାଗରେ ସେ ପଢ଼ୁଥିଲେ।

‘‘ଆମ ସମୟରେ କମ୍ପ୍ୟୁଟରର ଏଭଳି ବିକାଶ ହୋଇନଥିଲା କି ସ୍ମାର୍ଟ ଲାଇବ୍ରେରି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ନଥିଲା। କିନ୍ତୁ ଆଜି ଉନ୍ନତ ଜ୍ଞାନକୌଶଳ ଫଳରେ ଶିକ୍ଷା କ୍ଷେତ୍ରରେ ବିଶେଷ ବିକାଶ ଆସିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସୁବିଧା ହୋଇପାରିଛି। ତେଣୁ ମୁଁ ଚାହୁଁଛି ଏହି ଛୋଟ ସହଯୋଗ ମୁଁ ପଢ଼ିଥିବା କଲେଜର ବିକାଶ କ୍ଷେତ୍ରରେ କିଛିଟା ଯୋଗଦାନ ହୋଇପାରିବ’’, ଏହି ଅବସରରେ କହିଛନ୍ତି ଏ କେ ସାବତ।

ସେ ଆହୁରି କହିଥିଲେ ଯେ, ଆଜି ସମାଜରେ ଆମକୁ ଯେଉଁ ସଫଳତା ମିଳିଛି ଏହାପଛରେ ଆମେ ପଢ଼ିଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଭୂମିକା ରହିଛି। ତେଣୁ ଏହାର ପ୍ରତିଦାନ ସ୍ୱରୂପ ଆମ ସମସ୍ତଙ୍କୁ କିଛି କରିବାକୁ ହେବ।

‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ସହଯୋଗ ପାଇଁ ପୁରାତନ ଛାତ୍ର ଅରୁଣ କୁମାର ସାବତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଭିନ୍ନ ଅନୁଷ୍ଠାନ ସହଯୋଗର ହାତ ବଢ଼ାଉଛନ୍ତି। ଏଭଳି ସହଯୋଗକୁ ନେଇ ରାଜ୍ୟ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଆଗାମୀ ପିଢ଼ିର ସ୍ୱପ୍ନ ଓ ଭବିଷ୍ୟତକୁ ସାକାର କରିବା କ୍ଷେତ୍ରରେ ବିଶେଷ ସହାୟକ ହେବାକୁ ଯାଉଛି। ତେଣୁ ଏ କେ ସାବତଙ୍କ ଭଳି ଅନ୍ୟମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଭାବେ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ, ବୈଷୟିକ ଓ ଅନ୍ୟ ମହାବିଦ୍ୟାଳୟକୁ ମିଶାଇ ରାଜ୍ୟର ୭୫୧ଟି ଶିକ୍ଷା ଅନୁଷ୍ଠାନକୁ ଏହା ସହ ଯୋଡ଼ା ଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷା ପରିବେଶରେ ଆଖିଦୃଶିଆ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଲାଗି ‘ମୋ କଲେଜ’ ଅଭିଯାନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Comment