ଓଡ଼ିଶାଲାଇଭ ବ୍ୟୁରୋ

 

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଶା ଝିଅ ତଲତ ଜାହାନ। ଭୋକ ଉପାସରେ ଜୀବନ ବିତୁଥିବାବେଳେ ଖୁବ୍ ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସେ। ୟୁକ୍ରେନରେ ଫସି ରହିଥିବା ଭୁବନେଶ୍ଵର ନିବାସୀ ତଲତ ଓଡ଼ିଶାର ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌କୁ ୟୁକ୍ରେନର ଭୟାବହତା ସମ୍ପର୍କରେ କହିଛନ୍ତି।

ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ ଜାରି ରଖିଛି ରୁଷ। ଚାରିଆଡ଼େ ବୋମାମାଡ଼ ଏବଂ ଗୋଳା ବାରୁଦର ଶବ୍ଦ। ନିଜ ଜୀବନ ବଞ୍ଚାଇବା ପାଇଁ କିଏ ଭୂତଳ ରେଳ ଧାରଣାରେ ଲୁଚିଛି ତ ଆଉ କିଏ ନିଜ ପରିବାର ସହ ଘରର ବେସମେଣ୍ଟରେ ଆଶ୍ରୟ ନେଇଛି। ଦୀର୍ଘ ୭ଦିନ ହେବ ଭୋକ ଉପାସ ଏବଂ ଭୟରେ ଜୀବନ ବିତାଉଛନ୍ତି ୟୁକ୍ରେନରେ ରହିଥିବା ଲୋକ। କେତେବେଳେ ଯେ ବିସ୍ଫୋରଣରେ ଜୀବନ ଚାଲିଯିବ ତା’କୁ ନେଇ ଅନିଶ୍ଚିତତା ଭିତରେ କଟୁଛି ସମୟ।

ଏହାରି ଭିତରେ ନିଜ ନାଗରିକମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ‘ଅପରେସନ ଗଙ୍ଗା’କୁ ତ୍ଵରାନ୍ଵିତ କରିଛନ୍ତି ଭାରତ ସରକାର। ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖାରକିଭ ଅନ୍ତର୍ଜାତୀୟ ମେଡିକାଲ ବିଶ୍ଵବିଦ୍ୟାଳୟର ୪ର୍ଥ ବର୍ଷର ଛାତ୍ରୀ ହେଉଛନ୍ତି ତଲତ ଜାହାନ। ଓଡ଼ିଶାର ଭୁବନେଶ୍ଵର ସହର ବାସିନ୍ଦା ତଲତ ମେଡିକାଲ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ। ରୁଷ ଫେବୃଆରୀ ୨୪ ତାରିଖ ଦିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପରିସ୍ଥିତି ସଙ୍ଗୀନ ହେବାରୁ ୟୁକ୍ରେନ ସରକାର ଦେଶରେ କର୍ଫ୍ୟୁ ଜାରି କରିଥିଲେ। ଏହା ସହ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା। ଦୁର୍ଭାଗ୍ୟ ବଶତଃ ତଲତ ୟୁକ୍ରେନରେ ହିଁ ଫସି ରହିଗଲେ।

“ଖାରକିଭ ସହରରେ ସ୍ଥିତି ସଙ୍ଗୀନ ରହିଛି। ଆମେ ଏକ ମେଟ୍ରୋ ଷ୍ଟେସନ ଭିତରେ ନିଜକୁ ସୁରକ୍ଷିତ ରଖିଛୁ। ଲଗାତାର ଏଠାରେ ବିସ୍ଫୋରଣ ଜାରି ରହିଛି। ଅନେକ ସମୟରେ ଟ୍ୟାଙ୍କର ଏବଂ ଯୁଦ୍ଧ ବିମାନ ଯାତାୟତର ଶବ୍ଦ ଶୁଣିବାକୁ ମିଳୁଛି”, କହିଛନ୍ତି ତଲତ।

ୟୁକ୍ରେନ ସରକାର ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। ତେଣୁ ବାହାରକୁ ବାହାରିବା ବିପଦପୂର୍ଣ୍ଣ। ବିସ୍ଫୋରଣର ଭୟ ରହିଥିବାରୁ ଖାଦ୍ୟ ଓ ପାନୀୟ ଜଳ ଅନ୍ଵେଷଣରେ ବାହାରକୁ ଯିବାପାଇଁ ଡର ଲାଗୁଛି। ବିଭିନ୍ନ ସପିଂ ମଲ୍ ଏବଂ ରାସନ ଦୋକାନଗୁଡ଼ିକୁ ଲୋକେ ଲୁଟି ନେଉଥିବା ଶୁଣିବାକୁ ମିଳୁଛି। ଆମ ପାଖରେ ଖୁବ କମ ଦିନ ପାଇଁ ଖାଦ୍ୟ ଗଚ୍ଛିତ ରହିଛି। ଏ ସବୁ ସରିଗଲେ କିପରି ବାହାରକୁ ଯିବୁ ଏବଂ କ’ଣ ଖାଇବୁ ବୋଲି ତଲତ କହିଛନ୍ତି।

“ୟୁକ୍ରେନର ସୀମାବର୍ତ୍ତୀ ଦେଶ ପୋଲାଣ୍ଡ, ହଙ୍ଗେରୀ ଏବଂ ରୋମାନିଆଠାରୁ ଆମେ ୧,୪୦୦ କିମି ଦୂରରେ ରହିଛୁ। ତେଣୁ ସେଠାରେ ପହଞ୍ଚିବା ଆମ ପାଇଁ ଅସମ୍ଭବ। ଓଡ଼ିଶା ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆମେ ଅନୁରୋଧ କରୁଛୁ ଆମକୁ ଉଦ୍ଧାର କରିବା ପାଇଁ ଅନ୍ୟ କିଛି ଉପାୟ କରନ୍ତୁ”, କୋହଭଳ କଣ୍ଠରେ ନିବେଦନ କରିଛନ୍ତି ତଲତ ଜାହାନ।

ତଲତ ଏବଂ ତାଙ୍କ ସାଥୀ ୟୁକ୍ରେନର ପୂର୍ବାଞ୍ଚଳରେ ଫସିରହିଛନ୍ତି। ଯେଉଁଠାରେ ଅଧିକ ବିସ୍ଫୋରଣ ହେଉଥିବା ସେ କହିଛନ୍ତି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେଉଥିବାରୁ ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ତଲତ ଅନୁରୋଧ କରିଛନ୍ତି।

Comment