ଓଡ଼ିଶାଲାଇଭ୍ ବ୍ୟୁରୋ

ଇଟ୍ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି ଭଲ ପ୍ରଦର୍ଶନ କରି ୧୧ଟି ସହର ମଧ୍ୟରେ ସ୍ଥାନ ପାଇଛି। ଖାଦ୍ୟ ଓ କୃଷି ସଂସ୍ଥା, ଏମୟୁଏଫପିପି, ଫୁଡ ଫାଉଣ୍ଡେସନ ତଥା ନେଟପ୍ରୋଫାନ (ନେଟୱର୍କ ଅଫ ପ୍ରଫେସନାଲସ ଅଫ ଫୁଡ ଆଣ୍ଡ ନ୍ୟୁଟ୍ରିସନ) ସଂସ୍ଥାର  ସଦସ୍ୟମାନେ ଏହି ପ୍ରତିଯୋଗିତାର ବିଜେତା ଚୟନ କରିଥିଲେ।

ଲୋକମାନଙ୍କୁ ସ୍ୱଚ୍ଛ, ଶୁଦ୍ଧ ତଥା ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିବା ଥିଲା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ, ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା କର୍ତ୍ତୃପକ୍ଷ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ମିଳିତ ସହଯୋଗରେ ଇଟ ସ୍ମାର୍ଟ ସିଟି ପ୍ରତିଯୋଗିତା କରାଯାଇଥିଲା। ସ୍ମାର୍ଟ ସିଟି ମିଶନ ପକ୍ଷରୁ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ସହରଗୁଡ଼ିକ ଆସନ୍ତା ଏକ ବର୍ଷ ପାଇଁ ସେମାନଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସାହାଯ୍ୟ ସହଯୋଗ ପାଇବେ।ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଭିନ୍ନ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ କରାଯାଇଥିଲା। ଚାଷୀଙ୍କ ସୁବିଧା ନିମନ୍ତେ ଶୀତଳ ଭଣ୍ଡାରର ପ୍ରତିଷ୍ଠା। ଏହା ହେବା ଦ୍ୱାରା ଚାଷୀମାନେ ପନିପରିବା ଓ ଫଳ ରଖି ପାରିଲେ ଓ ସେମାନେ ଲାଭ ମଧ୍ୟ ପାଇ ପାରିଛନ୍ତି। ଏହା ଛଡ଼ା ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର ଯୋଜନା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ପାଖରେ ଖାଦ୍ୟ ପହଁଚିବା, ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ, ଅନ୍ୟାନ୍ୟ ଖାଦ୍ୟ ତିଆରି ଦୋକାନଗୁଡ଼ିକୁ ସ୍ୱଚ୍ଛତା ଓ ଶୁଦ୍ଧ ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ତାଲିମ ଦିଆଯିବା, ପୂର୍ଣାନଞ୍ଜଳି କାର୍ଯ୍ୟକ୍ରମ ଦ୍ୱାରା ହୋଟେଲ, ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବଳକା ଖାଦ୍ୟ ଆଣି ପ୍ରତ୍ୟେକ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା, ଶିଶୁଙ୍କ ଶାରୀରିକ ଓ ଭୌତିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତାବ ଦେଇ ଦେଶର ସର୍ବୋତ୍ତମ ୧୧ଟି ସହର ମଧ୍ୟରେ ରହି ସ୍ମାର୍ଟ ସିଟି ରାଉରକେଲା ବିଜୟ ଲାଭ କରିପାରିଛି।  ଇଟ୍ ସ୍ମାର୍ଟ ସିଟି ପ୍ରତିଯୋଗିତା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଭିନ୍ନ କ୍ୟାମ୍ପେନ କରାଯାଇଥିଲା। ସହରରେ ଥିବା ବିଭିନ୍ନ ମଲ, ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ସୁପର ମାର୍କେଟ ଇତ୍ୟାଦିମାନଙ୍କରେ ଲୋକମାନଙ୍କୁ ଫାର୍ଟିଫାଏ ଖାଦ୍ୟ ବା ଏଫ ପ୍ଲସ ଲୋଗୋର ମହତ୍ତ୍ଵ ବିଷୟରେ ସଚେତନ କରାଯାଇଥିଲା। ଏହା ସହ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାକ ରହି ଖାଦ୍ୟରେ ସ୍ୱଳ୍ପ ଲୁଣ, ଚିନି ଓ କମ ଚର୍ବି ଜାତୀୟ ଖାଦ୍ୟ ଖାଇବା ନିମନ୍ତେ ସଚେତନ କରାଯାଇଥିଲା। ଏହା ସହ ବିଭିନ୍ନ ହୋଟେଲମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା, ନିୟମ ଉଲଘଂନ କରିଥିବା ହୋଟେଲଗୁଡ଼ିକ ଉପରେ ଚଢ଼ାଉ ମଧ୍ୟ କରାଯାଇଥିଲା।ଇଟ୍ ସ୍ମାର୍ଟ ସିଟି ପ୍ରତିଯୋଗିତା ଅଧୀନରେ ରାଉରକେଲା ସହରସ୍ଥିତ ଜୟ ପ୍ରକାଶ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା କ୍ୟାଣ୍ଟିନକୁ ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଇଟ ରାଇଟ କ୍ୟାମ୍ପସର ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ପାନପୋଷ ରୋଡସ୍ଥିତ ତାରିଣୀ ମାତା ମନ୍ଦିରକୁ ଭୋଗର ପ୍ରମାଣପତ୍ର ମିଳିଛି। ସେହିପରି ସହରର ବିଭିନ୍ନ ହୋଟେଲ, ବେକରି ଦୋକାନ, ଓ ଅନ୍ୟାନ୍ୟ ଖାଦ୍ୟ ଦୋକାନଗୁଡ଼ିକୁ ସେମାନଙ୍କ ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ଅନୁଯାୟୀ ରେଟିଂ ଦିଆଯାଇଛି।ଏହି ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟରେ ୧୦୮ଟି ସହର ପ୍ରଥମେ ରେଜିଷ୍ଟ୍ରେସନ କରାଇଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ୨୦ଟି ସହରକୁ ଚୟନ କରାଯାଇଥିଲା। ଏହି ପର୍ଯ୍ୟାୟରେ ରାଉରକେଲା ମଧ୍ୟ ସ୍ଥାନ ଅଧିକାର କରିଥିଲା। ତୃତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ରାଉରକେଲା ସ୍ମାର୍ଟ ସିଟିକୁ ଖାଦ୍ୟ ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗରେ କାର୍ଯ୍ୟଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଉପରୋକ୍ତ ସମସ୍ତ କାର୍ଯ୍ୟଗୁଡିକୁ ପ୍ରସ୍ତୁତ କରି ରାଉରକେଲା ସର୍ବଶ୍ରେଷ୍ଠ ୧୧ଟି ସହରରେ ସ୍ଥାନ ପାଇ ପାରିଛି।

ବୁଧବାର ଅନୁଷ୍ଠିତ ବିଜୟ ଘୋଷଣା କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ସଚିବ ମନୋଜ ଯୋଶୀ ବିଜେତା ଘୋଷଣା କରିଥିବାବେଳେ, ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା କର୍ତ୍ତୃପକ୍ଷ ସିଇଓ ଅରୁଣ ଜିନ୍ଦଲ, ସ୍ମାର୍ଟ ସିଟି ମିଶନର ମିଶନ ନିର୍ଦ୍ଦେଶକ କୁନାଲ କୁମାର, ସ୍ମାର୍ଟ ସିଟି ମିଶନ ନିର୍ଦ୍ଦେଶକ ରାହୁଲ କପୁର ପ୍ରମୁଖ ଉପସ୍ଥିତ ଥିଲେ।

Tag : #Rourkela #EatSmartCityChallenge #SmartCityRourkela #ଇଟସ୍ମାର୍ଟସିଟିପ୍ରତିଯୋଗିତା #ରାଉରକେଲା

Comment