ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି ଅବସ୍ଥାକୁ ଡାଇବେଟିସ୍ ବା ମଧୁମେହ କୁହାଯାଏ।

ଡାଏବେଟିସ୍ ବା ମଧୁମେହ କ’ଣ?

“ଖାଇବା ପୂର୍ବରୁ ରକ୍ତରେ ଗ୍ଲୁକୋଜର ପରିମାଣ ୧୨୬ ମିଲି ଗ୍ରାମରୁ ଅଧିକ ଏବଂ ଖାଇବା ପରେ ୨୦୦ ମିଲି ଗ୍ରାମରୁ ଅଧିକ ଥିଲେ ଏବଂ ଶରୀରରେ ମଧୁମେହର ଲକ୍ଷଣ ଥିଲେ ଆମେ ଜଣେ ବ୍ୟକ୍ତିକୁ ମଧୁମେହ ହୋଇଥିବା କହିପାରିବା। ସେହିପରି ଖାଇବା ପୂର୍ବରୁ ରକ୍ତରେ ୧୦୦ ମିଲି ଗ୍ରାମରୁ କମ୍ ଏବଂ ଖାଇବା ପରେ ୧୪୦ ମିଲି ଗ୍ରାମରୁ କମ୍ ଗ୍ଲୁକୋଜ ରହିଲେ ଆମେ ବ୍ୟକ୍ତିକୁ ମଧିୁମେହ ହୋଇନାହିଁ ବୋଲି କହିବା। ଯଦି ଖାଇବା ପୂର୍ବରୁ ରକ୍ତରେ ଶର୍କରା ୧୦୦ରୁ ୧୨୬ ଭିତରେ ରହିଲା ତେବେ ତାକୁ ବର୍ଡର ଲାଇନ ଡାଇବେଟିସ୍ କୁହାଯାଏ”, କହିଛନ୍ତି ପ୍ରଫେସର ଡାକ୍ତର ଅଭୟ କୁମାର ସାହୁ।

ଡାଇବେଟିସ୍‌ କେତେ ପ୍ରକାରର?

“ଡାଏବେଟିସ୍ ହେଉଛି ୪ ପ୍ରକାରର। ଟାଇପ୍ ୧, ଟାଇପ୍ ୨, ସେକେଣ୍ଡାରୀ ଏବଂ ଜେଷ୍ଟେସନାଲ। ଟାଇପ ୧ ଡାଇବେଟିସ୍ ମୁଖ୍ୟତଃ ଛୋଟ ପିଲାଙ୍କଠାରେ ଦେଖାଯାଏ। ଟାଇପ୍‌ ୨ ଡାଏବେଟିସ୍ ବୟସ୍କ ବା ପ୍ରାପ୍ତ ବୟସଙ୍କଠାରେ ଦେଖାଯାଏ। ଅନ୍ୟ କୌଣସି ରୋଗ ବା ଔଷଧ ସେବନ ଦ୍ଵାରା ଯେଉଁ ଡାଇବେଟିସ୍ ହୋଇଥାଏ ତାକୁ ସେକେଣ୍ଡାରୀ ଡାଇବେଟିସ୍ କୁହାଯାଏ। ସେହିପରି ଗର୍ଭାବସ୍ଥାରେ ହେଉଥିବା ଡାଏବେଟିସ୍‌କୁ ଜେଷ୍ଟେସନାଲ ଡାଏବେଟିସ୍‌ କୁହାଯାଏ” କହିଛନ୍ତି ପ୍ରଫେସର ଡାକ୍ତର ଅଭୟ କୁମାର ସାହୁ ।

ଡାଏବେଟିସ୍‌ର ବିଭିନ୍ନ ଲକ୍ଷଣ ଓ କାରଣ

“ଜୀବନଶୈଳୀରେ ପରିବର୍ତ୍ତନ, ମେଦବହୁଳତା, ମାନସିକ ଚାପ, ବଂଶଗତ ଏହି ସବୁ ହେଉଛି ଡାଏବେଟିସ୍‌ର ମୁଖ୍ୟ କାରଣ। ସେହିପରି ଅଧିକ ଭୋକ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ଓଜନ କମିଯିବା, ଦୁର୍ବଳ ଲାଗିବା ହେଉଛି ଡାଏବେଟିସ୍‌ର ମୁଖ୍ୟ ଲକ୍ଷଣ। ଏହାଛଡ଼ା ବିଭିନ୍ନ ସଂକ୍ରମଣ ହେବା, କୌଣସି ଖଣ୍ଡିଆ ଶୀଘ୍ର ନଶୁଖିବା, ମାଂସପେଶୀ ଗୁଡ଼ିକ ସରୁ ହୋଇଯିବା, ମୁଣ୍ଡ ବିନ୍ଧାହେବା ଏବଂ ପରିସ୍ରାରେ ପିମ୍ପୁଡ଼ି ଲାଗିବା ମଧ୍ୟ ଏହାର ଲକ୍ଷଣ। ବେଳେବେଳେ ଡାଏବେଟିସ୍‌ର କୌଣସି ଲକ୍ଷଣ ମଧ୍ୟ ଜଣାପଡ଼େ ନାହିଁ”, କହିଛନ୍ତି ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର

ଡାଏବେଟିସ୍ରେ ଜଟିଳତା

“ଡାଏବେଟିସରୁ ମୁଖ୍ୟତଃ ଉଚ୍ଚ ରକ୍ତଚାପ, ହୃଦଘାତ, କିଡନିରୋଗ, ନ୍ୟୁରୋ, ଆଖି ଏବଂ ରକ୍ତନଳୀଜନିତ ବିଭିନ୍ନ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ। ଗୋଟିଏ ରୋଗରୁ ଏମିତି ଅନେକ ରୋଗର ଜନ୍ମ। ତେଣୁ ଡାଇବେଟିସ୍‌ ନିୟନ୍ତ୍ରଣରେ ନରହିଲେ ଏହି ସବୁ ଶାରୀରିକ ସମସ୍ୟା ଦେଖା ଦେଇପାରେ”, କହିଛନ୍ତି ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର

ଡାଏବେଟିସ୍ ଚିକିତ୍ସା

ଡାଏବେଟିସ୍ ଏକ ସ୍ଲୋ ପଏଜନ ପରି। ଏହା ବିଭିନ୍ନ ବାଟରେ ମଣିଷର ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଠିକଣା ସମୟରେ ଡାକ୍ତରଙ୍କୁ ଦେଖାଇ ଏହାର ଚିକିତ୍ସା କରିବା ଜରୁରୀ। ଡାଏବେଟିସ୍‌ର କୌଣସି ସ୍ଥାୟୀ ଚିକିତ୍ସା ନଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଔଷଧ ସେବନ, ସଠିକ୍‌ ଡାଏଟ ଓ ବ୍ୟାୟାମ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

Tags: #DiabetesLifestyle #TypesOfDiabetes #Cause #Symptoms #Treatment #Complication

Comment