ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଓଡ଼ିଶା ସରକାର ନୂତନ ନିୟମାବଳୀ ଜାରି କରିଛନ୍ତି। ଏବେ ରାଜ୍ୟରେ ନୂଆ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ଆହୁରି ସହଜ ହେବ। ନୂତନ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା କ୍ଷେତ୍ରରେ ବେସରକାରୀ ନିବେଶକୁ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ପୂର୍ବରୁ ଥିବା ବ୍ୟବସ୍ଥାକୁ ଆହୁରି ସରଳ କରିଛନ୍ତି।

ନର୍ସିଂ, ବି ଫାର୍ମା, ଡି ଫାର୍ମା, ଏମ ଫାର୍ମା, ଫିଜିଓଥେରାପି ଭଳି ଅନ୍ୟାନ୍ୟ ଭେଷଜ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଏନଓସି ମିଳିବା ବ୍ୟବସ୍ଥାକୁ ମଧ୍ୟ ସହଜ କରିଛନ୍ତି ସରକାର। ରାଜ୍ୟ ସ୍ଵାସ୍ଥ୍ୟ ପରିଷଦର ସହମତି କ୍ରମେ ଓଡ଼ିଶା ସରକାର ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏନଓସି ମିଳିବାର ବାଟ ସୁଗମ କରିଦେଇଛନ୍ତି।

“ଏହି ନୂତନ ନିୟମାବଳୀ ରାଜ୍ୟରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ନିବେଶ ପାଇଁ ବେସରକାରୀ ସଂସ୍ଥାମାନଙ୍କୁ ଉତ୍ସାହିତ କରିବ। ନୂଆ ନିୟମାବଳୀରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା କ୍ଷେତ୍ରରେ ପୂର୍ବରୁ ରହୁଥିବା ଜିଲ୍ଲା ପ୍ରଶାସନ ଯଥା କଲେକ୍ଟର, ମାଜିଷ୍ଟ୍ରେଟ୍ ତଥା ବିଡିଓଙ୍କ ହସ୍ତକ୍ଷପକୁ କମ କରାଯାଇଛି। ଏହି ନୂଆ ନିୟମାବଳୀ ୨୦୨୩-୨୪ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ”, କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ।

ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି, “ଏବେ ରାଜ୍ୟରେ ପ୍ରଚଳିତ ଥିବା ଜିଆଇଏସ ଓ ଗ୍ୟାପ ଅନାଲିସିସ୍ ବ୍ୟବସ୍ଥା ଯେଉଁଥିରେ ପ୍ରତି ଜିଲ୍ଲାରେ କେତେଟି ମେଡ଼ିକାଲ କଲେଜ ରହିବ ତାହା ବିଚାର କରାଯାଉଥିଲା, ତାକୁ ବନ୍ଦ କରାଯିବ। ଏହା ବଦଳରେ ଏକ୍ସପର୍ଟ କମିଟି ଏଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନେବ। ଏଥିସହ ବେସରକାରୀ ସଂସ୍ଥାଗୁଡ଼ିକୁ ଉନ୍ନତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଖୋଲିବା ପାଇଁ ଉତ୍ସାହିତ କରାଯିବ। ଆଗକୁ ରାଜ୍ୟ ସରକାର ମଧ୍ୟ ଆହୁରି ଅଧିକ ସ୍ଵାସ୍ଥ୍ୟ ଅନୁଷ୍ଠାନ ଖୋଲିବା ପାଇଁ ଯୋଜନା ରଖିଛନ୍ତି। ଯେଉଁ ଅନୁଷ୍ଠାନଗୁଡ଼ିକ ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟ ନକରି ସ୍ଵାସ୍ଥ୍ୟ କ୍ଷେତ୍ରରେ ଭଲ ସୁବିଧା ଦେବାରେ ବିଫଳ ହେବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ନୂତନ ନିୟମବାଳୀ ରାଜ୍ୟରେ ଅଧିକରୁ ଅଧିକ ଉତ୍ତମ ସ୍ଵାସ୍ଥ୍ୟ ଶିକ୍ଷ୍ୟନୁଷ୍ଠାନ ଖୋଲିବାରେ ସହାୟକ ହେବ। ଏହାସହ ରାଜ୍ୟରେ ଭଲ ଏବଂ ଦକ୍ଷ ସ୍ଵାସ୍ଥ୍ୟ କର୍ମଚାରୀ ସୃଷ୍ଟି କରିବାରେ ଅବଦାନ ଦେବ।

Tags: #Odishagovernment #Healthdepartment #Newrules #HealthEducationInstitutions #privatesector #Investment

Comment