ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ଷ ୨୦୨୩ ପାଇଁ ଯୁକ୍ତ ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ଏବେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତାଦେଖା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨ଟି ପର୍ଯ୍ୟାୟ ଏହି ପରୀକ୍ଷା ଖାତା ଦେଖାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ଯାଏଁ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ’ ମାସ ୫ ତାରିଖ ଯାଏଁ ଚାଲିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଖାତା ମୂଲ୍ୟାୟନ କରାଯିବ।

ଯୁକ୍ତ ୨ ଖାତା ମୂଲ୍ୟାୟନ ପାଇଁ ପ୍ରାୟ ୧୨ ହଜାରରୁ ଅଧିକ ଅଧ୍ୟାପକ ସାମିଲ ହେବେ। ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ମାସ ମଧ୍ୟ ଭାଗରେ ଯୁକ୍ତ ୨ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚଏସଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜୁନ ମାସ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍ୟ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ କରାଯିବ।

୨୦୨୩ର ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଚାଲିଥିଲା। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୭ହଜାର ୯୪୨ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିଲେ। ସେହିପରି ଯୁକ୍ତ ୨ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରଛାତ୍ରୀ ରହିଥିଲେ।

ଅନ୍ୟପଟେ ଯୁକ୍ତ ୨ ପରୀକ୍ଷା ଦେବାପାଇଁ ଏକ୍ସ ରେଗୁଲାର ବର୍ଗର ୧ ଲକ୍ଷ ୭୭ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ଓଡିଶାର ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରଯାଇଥିଲା।

Tags: #PlusTwoExam #CopyEvaluation #EvaluationCenter #CHSE #Odisha

Comment